୧୧ ଆତଙ୍କବାଦୀ ନିହତ; ୩ ଯବାନ ସହିଦ

0

ଶ୍ରୀନଗର : ଜାମ୍ମୁ କାଶ୍ମୀରର ତିନିଟି ସ୍ଥାନରେ ନିରାପତ୍ତାରକ୍ଷୀଙ୍କ ସହ ଗୁଳିବିନିମୟରେ ୧୧ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ତିନି ଜଣ ଯବାନ ସହିଦ ହୋଇଛନ୍ତି। ଅପରପକ୍ଷରେ ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇବାକୁ ଉଦ୍ୟମ କରୁଥିବାବେଳେ ନିରାପତ୍ତାରକ୍ଷୀଙ୍କ ଗୁଳିରେ ଦୁଇ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି ଓ ୨୦ରୁ ଊର୍ଦ୍ଧ୍ବ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏହାବ୍ୟତୀତ ଅନନ୍ତନାଗ ଜିଲାରେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ଜଣାପଡିଛି।
ଅନନ୍ତନାଗ ଓ ସୋପିଆନ ଜିଲାରେ କେତେକ ସ୍ଥାନରେ ଏକାଧିକ ଆତଙ୍କବାଦୀ ଏକତ୍ର ହୋଇ ବଡଧରଣର ଆକ୍ରମଣ କରିବାକୁ ଯୋଜନା ଚଳାଇଛନ୍ତି ବୋଲି ରବିବାର ଗୁଇନ୍ଦା ରିପୋର୍ଟ ମିଳିଥିଲା। ଏହାକୁ ଆଧାର କରି ଜାମ୍ମୁ କାଶ୍ମୀର ପୁଲିସ, ରାଷ୍ଟ୍ରୀୟ ରାଇଫଲ୍‌ସ ଓ ସିଆରପିଏଫ୍‌ ଯବାନଙ୍କ ମିଳିତ ବାହିନୀ ଏହି ସ୍ଥାନଗୁଡିକୁ ଘେରାଉ କରି ତଲାସି ଅଭିଯାନ ଆରମ୍ଭ କରିଥିଲେ। ଅନନ୍ତନାଗ ଜିଲାର ଡିଆଲଗାମ୍‌ ଠାରେ ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟ ଜଣେ ଆତ୍ମସମର୍ପଣ କରିଥିଲା। ମୃତ ଆତଙ୍କବାଦୀ ଜଣକ ରୌଫ୍‌ ଖାନ୍‌ଦେ ବୋଲି ଚିହ୍ନଟ କରାଯାଇଛି। ଅନ୍ତିମ ସଂସ୍କାର ପାଇଁ ତା’ର ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ରୌଫ୍‌ ଚଳିତବର୍ଷ ପ୍ରାରମ୍ଭରେ ନିଖୋଜ ହୋଇଯାଇଥିଲା। ତେବେ କିଛି ଦିନ ପରେ ଏକେ-୪୭ ରାଇଫଲ ସହ ରୌଫ୍‌ର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପରିବାରବର୍ଗ ବିଚଳିତ ହୋଇପଡିଥିଲେ।
ଅପରପକ୍ଷରେ ସୋପିଆନ ଜିଲାର ଦ୍ରାଗାଡ୍‌ଠାରେ ଯବାନଙ୍କ ସହ ଗୁଳିବିନିମୟରେ ସାତ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆନ ଜିଲାର କାଚ୍‌ଡୁରା ଗ୍ରାମରେ ଆତଙ୍କବାଦୀଙ୍କ ସହ ମୁକାବିଲା କରୁଥିବାବେଳେ ତିନିଜଣ ଯବାନ ସହିଦ ହୋଇଛନ୍ତି। ଦ୍ରାଗାଡ୍‌ରେ ନିହତ ହୋଇଥିବା ସାତଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ସମସ୍ତେ କାଶ୍ମୀର ଉପତ୍ୟକାର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି। ୨୦୧୭ ମେ’ରେ ସୋପିଆନ ଜିଲାରେ ୨୨ ବର୍ଷୀୟ ସେନା ଅଧିକାରୀ ଉମର ଫୟାଜଙ୍କୁ ହତ୍ୟା କରାଯାଇଥିଲା। ସେହି ଘଟଣାରେ ସଂପୃକ୍ତ ଥିବା ଦୁଇଜଣ ଆତଙ୍କବାଦୀ ମଧ୍ୟ ଆଜିର ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ବୋଲି ଜାମ୍ମୁ କାଶ୍ମୀର ପୁଲିସ ଡିଜି ଏସ.ପି.ବୈଦ ସୂଚନା ଦେଇଛନ୍ତି। ଅପରପକ୍ଷରେ କାଚ୍‌ଡୁରା ଗ୍ରାମରେ ଯବାନଙ୍କ ଗୁଳିରେ ତିନିଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।
ଦ୍ରାଗାଡ୍‌ ଓ କାଚ୍‌ଡୁରାରେ ସ୍ଥାନୀୟ ବାସିନ୍ଦା ଏହି ଅଭିଯାନକୁ ଭଣ୍ଡୁର କରିବାକୁ ଯବାନଙ୍କ ଉପରକୁ ଟେକାପଥର ମାଡ କରିଥିଲେ। ଫଳରେ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ଯବାନଙ୍କ ପକ୍ଷରୁ ପେଲେଟ୍‌ ବନ୍ଧୁକର ସହାୟତା ନିଆଯାଇଥିଲା। ଏଥିରେ ଜଣେ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ କେତେକ ଆହତ ହୋଇଛନ୍ତି। ୧୧ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯିବାପରେ କାଶ୍ମୀର ଉପତ୍ୟକାରେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଛି।

Leave A Reply