ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପଠାରେ ଦୁଇଦିନିଆ ଆମ୍ବେଦକରବାଦୀ ସାହିତ୍ୟ-ସଂସ୍କୃତି-କଳା ଉତ୍ସବ-୨୦୨୩ ଉଦ୍ଯାପିତ ହୋଇଯାଇଛି। ବିଶିଷ୍ଟ ଦଳିତ ଲେଖକ ଡ.ବାସୁଦେବ ସୁନାନୀଙ୍କ ଆବାହକତ୍ୱରେ ଆୟୋଜିତ ଏହି ଉତ୍ସବର ଉଦ୍ଯାପନୀ ଉତ୍ସବରେ ବଙ୍ଗଳା ସାହିତ୍ୟର ବିଶିଷ୍ଟ ଲେଖକ ତଥା ବାଲାଘାଟର ବିଧାୟକ ମନୋରଞ୍ଜନ ବ୍ୟାପାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଜୀବନର ଅଙ୍ଗେନିଭା ଘଟଣା ବର୍ଣ୍ଣନା କରିବା ସହ ତାଙ୍କର ବହୁସୁଖ୍ୟାତି ଅର୍ଜନ କରିଥିବା ପୁସ୍ତକ ‘ଇତିବୃତ୍ତେ ଚଣ୍ଡାଳ ଜୀବନ’ ସଂପର୍କରେ କହି, ଯେତେ ପ୍ରତିକୂଳ ପରିସ୍ଥିତି ଥିଲେ ହେଁ ଆଜିର ଦିନରେ ସମସ୍ତଙ୍କୁ ଏକଜୁଟ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ସେ ବାର୍ତ୍ତା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ରାୟଗଡ଼ାର ବିଧାୟକ ମକରନ୍ଦ ମୁଦୁଲି, ଭୋପାଳରୁ ଡ. ଅସଂଘୋଷ, ଦିଲ୍ଲୀରୁ କବୟିତ୍ରୀ ଡ. ଅନିତା ଭାରତୀ, ସନ୍ତୋଷ ପଟେଲ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଭାକର ପାଲାକା, ଅବସରପ୍ରାପ୍ତ ଆଇଏଏସ୍ ସଞ୍ଜୟ କୁମାର ହାବଡ଼ା, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଶରତ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଉତ୍ସବରେ ଲୁପ୍ତପ୍ରାୟ ଦଳିତ ସଂସ୍କୃତି ଓ କଳାକୁ କିପରି ସଂରକ୍ଷଣ କରାଯାଇ ପାରିବ ଏବଂ ତା’ର ପ୍ରଚାରପ୍ରସାର ହେବ ସେ ଦିଗରେ ଅତିଥିମାନେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ ।
ଭିନ୍ନ ଭିନ୍ନ ଅଧିବେଶନରେ ସାଂପ୍ରତିକ ଦଳିତ ସାହିତ୍ୟ, ଓଡ଼ିଆ ସାହିତ୍ୟରେ ଆମ୍ବେଦକରବାଦର ସ୍ଥାନ, ଦଳିତଙ୍କ ସଂପର୍କରେ ଦଳିତ ଲେଖକ, ବହୁଜନ ସଂସ୍କୃତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ଓଡ଼ିଶାର ମୂଳନିବାସୀଙ୍କ ଭାଷାର ସ୍ଥିତି ଏବଂ ତା’ର ବିକାଶ, ବହୁଜନ ସଂଗଠନ ଓ ମିଡ଼ିଆର ଭୂମିକା ଭଳି ଶୀର୍ଷକ ଉପରେ ପ୍ରାଧ୍ୟାପକ ବସନ୍ତ ମଲ୍ଲିକ, ସାମାଜିକ କର୍ମୀ, ମାନସ ଜେନା, ସଂଗ୍ରାମ ମଲ୍ଲିକ, ଆଶୁତୋଷ ପରିଡ଼ା, କବି ପୀତାମ୍ବର ତରାଇ, ପଦ୍ମଶ୍ରୀ ଜିତେନ୍ଦ୍ର ହରପାଲ, କବି କେଦାର ମିଶ୍ର, ହେମନ୍ତ ଦଳପତି, ଡ. ଚିନ୍ମୟ ମହାନନ୍ଦ, ଡ. ପଙ୍କଜ ନାୟକ, ସାଇମନ୍ ବିଡ଼ିକା, ସୁପି୍ରୟା ମଲ୍ଲିକ, ଝରଣା ଧଙ୍ଗଡ଼ାମାଝୀ ପ୍ରମୁଖ ଅଂଶଗ୍ରହଣ କରି ଅତି ଉଚ୍ଚ ମାନର ଚର୍ଚ୍ଚା କରିଥିଲେ ।
ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ବିରଳ ‘ଗୀତକୁଡ଼ିଆ ଗୀତ କୁଡ଼ିଆଣୀ’ ଅଂଶଗ୍ରହଣ କରି ତାଙ୍କ ଆଶୁ କବିତ୍ୱର ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସେହିପରି ଦେବଦେବୀଙ୍କ ପୂଜାପାର୍ବଣରେ ବ୍ୟବହାର ହେଉଥିବା କଳାହାଣ୍ଡିର ନାଗ୍ରା ବାଜା ପରିବେଷଣ ସହ ସେଥିରେ ଥିବା ଭିନ୍ନ ଭିନ୍ନ ତାଳ, ଲୟ ଓ ପାର୍ଗୁଡ଼ିକ ଉପରେ ବିଶେଷଜ୍ଞମାନେ ଅଧିକ ଚର୍ଚ୍ଚା କରିଥିଲେ । ବରଗଡ଼ ଜିଲ୍ଲା ପଦମ୍ପୁରରୁ ଆସିଥିବା ଗଣାବାଜା ପରିବେଷଣ କରି ସେଥିରେ ରହିଥିବା ଧ୍ୱନୀ ସମ୍ବନ୍ଧରେ ସମସ୍ତେ ଅବଗତ ହେବାକୁ ଏହି ଉତ୍ସବରେ ସୁଯୋଗ ସୃଷ୍ଟି କରାଯାଇଥିଲା । ଏସବୁ ବାଦ୍ୟ କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ଏହା ସେତେବେଳର ଏକ ବାର୍ତ୍ତା ପ୍ରେରଣାର ମାଧ୍ୟମ ଭାବେ ବ୍ୟବହୃତ ହେଉଥିବା ତଥ୍ୟ ଉପସ୍ଥାପନ କରାଯାଇଥିଲା ।
ପ୍ରଥମ ଦିନରେ ଡୁମା ବାଜାର ଆବାହନୀ ସହ ଏକ ନିଆରା ଢଙ୍ଗରେ ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ପଦ୍ମଶ୍ରୀ ଜିତେନ୍ଦ୍ର ହରପାଲଙ୍କ କଣ୍ଠରୁ ରଙ୍ଗବତୀ ସମେତ ବହୁତ ଲୋକପି୍ରୟ ଗୀତର ସୁରେ ସୁରେ ଦର୍ଶକ ନାଚି ଉଠିଥିଲେ ।
ସମାଜସେବା ପାଇଁ ବିଶିଷ୍ଟ ଆମ୍ବେଦକରବାଦୀ ବଲାଙ୍ଗିରର ରାଜେନ୍ଦ୍ର ସୁନା, ଦଳିତ ସାହିତ୍ୟର ପ୍ରଚାରପ୍ରସାର ପାଇଁ ପି.କେ. ଜେନା ଓ ସଂଗୀତ ଜଗତକୁ ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ଜିତେନ୍ଦ୍ର ହରପାଲଙ୍କୁ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଯୁବକବି ଚନ୍ଦନ ନାଗଙ୍କୁ ‘ଯୁବ ପ୍ରେରଣା ସମ୍ମାନ’ ଭାବେ ଏକ ମାନପତ୍ର, ୧୦ ହଜାର ଟଙ୍କା ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ପରେ ପ୍ରଥମ କରି ଡମଭାଷାରେ ଲିଖିତ ଓ ବାସୁଦେବ ସୁନାନୀଙ୍କ ଦ୍ୱାରା ସଂକଳିତ କବିତା ସଂକଳନ ‘ଡମକାଥା’ଓ ମୁଖ୍ୟ ଅତିଥି ମନୋରଞ୍ଜନ ବ୍ୟାପାରୀଙ୍କ ବଙ୍ଗଳା ପୁସ୍ତକର ଓଡ଼ିଆ ଅନୁବାଦ ‘ପବନରେ ବାରୁଦର ଗନ୍ଧ’ର ଶୁଭ ଉନ୍ମୋଚନ କରାଯାଇଥିଲା । ପରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଭୋଜପୁରୀ ଓ ଇଂରେଜୀ କବିତା ଆବୃତ୍ତି ଓ କବିତା ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ପ୍ରାୟ ୨୦ ଜଣ କବି, କବୟିତ୍ରୀ ଅଂଶଗ୍ରହଣ କରି କବିତାମାନ ଉପସ୍ଥାପନ କରିଥିଲେ । ଏତଦ୍ବ୍ୟତୀତ ବିଭିନ୍ନ ଲେଖକଙ୍କ ଦ୍ୱାରା ଲିଖିତ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।



