ଇସ୍ରାଏଲ ଠାରୁ ଟ୍ୟାଙ୍କ ବିଧ୍ୱଂସୀ ‘ସ୍ପାଇକ୍‍’ କ୍ଷେପଣାସ୍ତ୍ର କିଣିବ ଭାରତ

0

ନୂଆଦିଲ୍ଲୀ : ନିଜର ପରମ ଶତ୍ରୁ ପାକିସ୍ତାନକୁ ଘେରିବା ଲାଗି ଭାରତ ଯୋଜନା କରିଛି। ଯୁଦ୍ଧ ସମୟରେ ପାକିସ୍ତାନର ଟ୍ୟାଙ୍କକୁ କିପରି ଧ୍ୱଂସ କରାଯାଇପାରିବ ସେଥିପାଇଁ ଭାରତ ଟ୍ୟାଙ୍କ ବିଧ୍ୱଂସୀ ‘ସ୍ପାଇକ୍‍’ କ୍ଷେପଣାସ୍ତ୍ର କିଣିବାକୁ ନିଷ୍ପତ୍ତି ନେଇଛି। ଇସ୍ରାଏଲଠାରୁ ଭାରତ ଏହି କ୍ଷେପଣାସ୍ତ୍ରକୁ କିଣିବ। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଭାରତ ସରକାର ସ୍ପାଇକ କ୍ଷେପଣାସ୍ତ୍ର କିଣିବା ଲାଗି ଖୁବଶୀଘ୍ର ଇସ୍ରାଏଲକୁ ବରାଦ (ଅର୍ଡର) କରିବାକୁ ଯାଉଛନ୍ତି। ସ୍ପାଇକ କ୍ଷେପଣାସ୍ତ୍ର ହାସଲ ଦ୍ୱାରା ଭାରତୀୟ ସେନାର ଟ୍ୟାଙ୍କ ବିଧ୍ୱଂସ କ୍ଷମତା ବୃଦ୍ଧି ପାଇବ।
ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ସ୍ୱଦେଶୀ ଜ୍ଞାନକୌଶଳରେ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ତିଆରି ଲାଗି ଯୋଜନା କରିଛି। ତେବେ ଡିଆରଡିଓର ଏହି କ୍ଷେପଣାସ୍ତ୍ର ତିଆରି ପାଇଁ ଆହୁରି ତିନିବର୍ଷ ଲାଗି ଯିବ। ଏହି ସମୟ ମଧ୍ୟରେ ସୈନ୍ୟବାହିନୀର ଶକ୍ତି ବୃଦ୍ଧି କରିବା କ୍ଷେପଣାସ୍ତ୍ର କିଣିବାକୁ ଗୁରୁତ୍ୱ ଦିଆଯାଇଛି। କ୍ଷେପଣାସ୍ତ୍ର କିଣିବା ପ୍ରସ୍ତାବ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ କେବଳ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ସରକାରଙ୍କ ଅନୁମୋଦନ ମିଳିଗଲେ ଏ ବର୍ଷ କ୍ଷେପଣାସ୍ତ୍ର ଯୋଗାଣ ଲାଗି ଅର୍ଡର ଦିଆଯିବ। ଟ୍ୟାଙ୍କ ବିଧ୍ୱଂସୀ ସ୍ପାଇକ କ୍ଷେପଣାସ୍ତ୍ରକୁ ଇସ୍ରାଏଲ ରାଫେଲ ଆଡଭାନ୍ସ ଡିଫେନ୍ସ ସିଷ୍ଟମ୍‍ ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଛି। ରାଫେଲ କମ୍ପାନୀର ମୁଖପାତ୍ର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସ୍ପାଇକ କ୍ଷେପଣାସ୍ତ୍ର କିଣିବା ଯୋଜନା ଭାରତ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ସୂଚନାଯୋଗ୍ୟ ଯେ ୨୦୧୮ ଜାନୁଆରୀରେ ଭାରତ ସରକାର ସ୍ପାଇକ କ୍ଷେପଣାସ୍ତ୍ର କିଣିବା ଯୋଜନାକୁ ଅଗ୍ରାହ୍ୟ କରିଦେଇଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଭାରତ ଗସ୍ତ ପୂର୍ବରୁ ସରକାର ଏହି ଯୋଜନାକୁ ଖାରଜ କରିଥିଲେ। ତେବେ ନେତାନ୍ୟାହୁ ଏହି ପ୍ରସଙ୍ଗକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଉଠାଇଥିଲେ। ପରବର୍ତ୍ତୀ ସମୟରେ ସାମ୍ବାଦିକ ସମ୍ମିଳନୀରେ ନେତାନ୍ୟାହୁ କହିଥିଲେ ଯେ ସ୍ପାଇକ କ୍ଷେପଣାସ୍ତ୍ର କିଣିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରାଯିବ। ଏବେ ଏହି ଯୋଜନାକୁ ପୁନର୍ବାର କାର୍ଯ୍ୟକାରୀ କରାଯିବାକୁ ଯାଉଛି। ସେନା ପାଇଁ ଡିଆରଡିଓ ୮୦୦୦ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ତିଆରି ପାଇଁ ଯୋଜନା କରିଛି। ତେବେ ଏହି କ୍ଷେପଣାସ୍ତ୍ର ତିଆରି ପାଇଁ ଆହୁରି ତିନିବର୍ଷ ଲାଗିଯିବ।

Leave A Reply