ଧର୍ମ ଓ ଦେଶ ବଞ୍ଚାଅ ରାଲିରେ ଏକାଠି ହେଲେ ଲକ୍ଷାଧିକ ମୁସଲମାନ

0

ପାଟନା : ବିହାର ରାଜଧାନୀ ପାଟନାସ୍ଥିତ ଗାନ୍ଧି ପଡ଼ିଆରେ ଇମାରତ ଶରିୟା ଏବଂ ଅଖିଳ ଭରତୀୟ ମୁସଲମାନ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲବି) ପକ୍ଷରୁ ଆୟୋଜିତ ‘ଇସଲାମ ଓ ଦେଶ ବଞ୍ଚାଅ’ ରାଲିରେ ରବିବାର ଲକ୍ଷାଧିକ ମୁସଲମାନ ଏକାଠି ହୋଇଛନ୍ତି । ଭାରତରେ ମୁସଲମାନ ଧର୍ମ (ଦିନ) ଓ ଦେଶ ବିପଦରେ ରହିଥିବା ଦର୍ଶଯାଇ ଏହି ରାଲି ଡାକରା ଦିଆଯାଇଥିଲା । ତିନି ତଲାକ ଉପରେ ନୂଆ ଆଇନ୍‌କୁ ଇମାରତ ଶରିୟା ଏବଂ ମୁସଲମାନ ପର୍ସନାଲ ଲ’ ବୋର୍ଡ ବିରୋଧ କରିଆସୁଥିବା ବେଳେ ଏହା ଇସଲାମ ଧର୍ମ ବିରୋଧୀ ବୋଲି କହିଛନ୍ତି । ଫଳରେ ଦେଶରେ ଆଇନ ବ୍ୟବସ୍ଥା, ସମ୍ବିଧାନ ଏବଂ ଇସଲାମ ବିପଦରେ ଥିବା ଦର୍ଶାଇ ଏହି ଦୁଇ ମୁସଲମାନ ସଂଗଠନ ସରକାରଙ୍କ ବିରୋଧରେ ଆକ୍ରାମକ ନୀତି ଆପଣାଇଛନ୍ତି । ପ୍ରକାଶ ଯେ ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡର ମୁସଲମାନଙ୍କ ପାଇଁ ୧୯୨୧ରେ ଇମାରତ ସରିୟା ଗଠନ କରାଯାଇଥିଲା । ମୁସଲମାନ ଲ’ ବୋର୍ଡର ମହାସଚିବ ମୌଲାନା ୱଲି ରହମାନି କହିଛନ୍ତି ଯେ ବିଜେପି ସମ୍ବିଧାନ ଅନୁସାରେ ଦେଶ ଚଳାଇବ ବୋଲି ଆମେ ଆଶା ରଖିଥିଲୁ । ଏଥିପାଇଁ ୪ ବର୍ଷ ଅପେକ୍ଷା ବି କଲୁ । ମୁସଲମାନଙ୍କ ବ୍ୟକ୍ତିଗତ ଆଇନ ଉପରେ ଆକ୍ରମଣ ହେଉଛି । ଆମକୁ ଦେଶବାସୀଙ୍କ ସହ ମୁସଲମାନଙ୍କୁ କହିବାକୁ ପଡୁଛି ଯେ ଏବେ ଦେଶ ସହ ଇସଲାମ ବିପଦରେ ଅଛି । ଏହି ରାଲିକୁ ଦୃଷ୍ଟିରେ ରଖି ବିହାର ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଛନ୍ତି । ଏହି ରାଲି ପଛରେ କୌଣସି ରାଜନୈତିକ ଦଳର ସମର୍ଥନ ଅଛି କି ନାହିଁ ତାହା ଜଣାପଡିନାହିଁ ।

Leave A Reply