ଆଇଏସ୍‍ଆଇ ଗୁପ୍ତଚର ଅଭିଯୋଗରେ କୂଟନୀତିଜ୍ଞଙ୍କ ରୋଷେୟା ଗିରଫ

0

ଡେରାଡୁନ୍‍ : ପାକିସ୍ତନର ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସ୍‍-ଇଣ୍ଟେଲିଜେନ୍ସ (ଆଇଏସ୍‍ଆଇ) ପାଇଁ ଗୁପ୍ତଚରଗିରି କରୁଥିବା ଉତ୍ତରାଖଣ୍ଡର ଜଣେ ବ୍ୟକ୍ତିକୁ ଆତଙ୍କବାଦ ନିରୋଧୀ ସଂସ୍ଥା ପକ୍ଷରୁ ଗିରଫ କରାଯାଇଛି। ରମେଶ ସିଂହ କାନ୍ୟାଲ (୪୩) ନାମକ ଏହି ବ୍ୟକ୍ତି ପାକିସ୍ତାନରେ ନିଯୁକ୍ତ ଜଣେ ଭାରତୀୟ କୂଟନୀତିଜ୍ଞଙ୍କ ଘରେ ରୋଷେୟା ଭାବେ କାମ କରିବା ସମୟରେ ଗୁପ୍ତ ମାଇକ୍ରୋଫୋନ ଦ୍ୱାରା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାରେ ସଫଳ ହୋଇଥିଲେ। ଅର୍ଥ ପ୍ରତିବଦଳରେ ସେ ଏହି ତଥ୍ୟଗୁଡିକ ଆଇଏସ୍‍ଆଇକୁ ପ୍ରଦାନ କରିଥିଲେ। ଉତ୍ତରପ୍ରଦେଶର ଫୈଜାବାଦଠାରେ ଚଳିତମାସ ପ୍ରାରମ୍ଭରେ ଜଣେ ସନ୍ଦୀଗ୍ଧ ଆତଙ୍କବାଦୀଙ୍କ ଗିରଫ କରାଯିବା ପରେ ରମେଶର ଗୁପ୍ତଚରଗିରି ସମ୍ବନ୍ଧରେ ଏଟିଏସ୍‍ ସୂଚନା ପାଇଥିଲା। ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ (ଏଟିଏସ୍‍), ଉତ୍ତରାଖଣ୍ଡ ପୁଲିସ ଏବଂ ସେନା ଗୁଇନ୍ଦା ନିର୍ଦେଶାଳୟ ପକ୍ଷରୁ ମିଳିତ ଭାବେ ତାକୁ ଗିରଫ କରିବା ଲାଗି ଜାଲ ବିଛାଯାଇଥିଲା। ଏହି ତିନି ସଂସ୍ଥାର ଏକ ୫ ଜଣିଆ ଦଳ ଉତ୍ତରାଖଣ୍ଡର ପୀଥୋରାଗଡ଼ ଜଲାରୁ ବୁଧବାର ରମେଶକୁ ଗିରଫ କରିଥିଲା। ପରେ ସ୍ଥାନୀୟ ଏକ କୋର୍ଟ ତାକୁ ଏଟିଏସ୍‍ ହାଜତକୁ ପଠାଇ ଦେଇଛନ୍ତି।
ବରିଷ୍ଠ ପୁଲିସ ଅଧିକାରୀ ଆନନ୍ଦ କୁମାର ଲକ୍ଷ୍ନୌଠାରେ ଗୁରୁବାର ଏ ବିଷୟରେ ସୂଚନା ଦେଇ କହିଛନ୍ତି, ପାକିସ୍ତାନେରେ ନିଯୁକ୍ତ କୂଟନୀତିଜ୍ଞ ଜଣକ ରୋଷେଇ ନିମନ୍ତେ ରମେଶକୁ ପାକିସ୍ତାନ ନେଇଯାଇଥିଲେ। ରମେଶ ସମ୍ପୃକ୍ତ ଅଧିକାରୀଙ୍କ ଘରେ ୨୦୧୫ରୁ ୨୦୧୭ ମଧ୍ୟରେ ରହିବା ସମୟରେ ଆଇଏସ୍‍ଆଇ ପାଇଁ କାମ କରିଥିଲା। ସେ ସମ୍ପୃକ୍ତ ଅଧିକାରୀଙ୍କ ଲାପ୍‍ଟପ୍‍ ଓ ଫୋନ୍‍ ସମେତ ବହୁ ଇଲେକ୍‍ଟ୍ରୋନିକ୍‍ ସାମଗ୍ରୀ ଏବଂ ଡାଏରୀ ତଥା ସରକାରୀ ଫାଇଲ୍‍ ପର୍ଯ୍ୟନ୍ତ ପହଞ୍ଚି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାରେ ସମର୍ଥ ହୋଇଥିଲା। ରମେଶ ସହିତ ଯୋଗାଯୋଗ କରିବା ନିମନ୍ତେ ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସର କିଛି ସଫେଇ କର୍ମଚାରୀଙ୍କୁ ଆଇଏସ୍‍ଆଇ ମାଧ୍ୟମ କରିଥିଲା। ଉତ୍ତର ପ୍ରଦେଶସ୍ଥିତ ସାମରିକ ପ୍ରତିଷ୍ଠାନରୁ ମଧ୍ୟ ରମେଶ ସୂଚନା ହାସଲ କରିବାକୁ ଉଦ୍ୟମ କରିଥିବା ଜେରା ବେଳେ ଜଣାପଡିଛି। ତେବେ ବହୁ ବ୍ୟାଙ୍କ ଏବଂ ଋଣଦାତାଙ୍କଠାରୁ ଆଣିଥିବା ୮ରୁ ୯ ଲକ୍ଷ ଟଙ୍କାର ଋଣ ପ୍ରତିଶୋଧ କରିବା ଲାଳସାରେ ଆଇଏସ୍‍ଆଇ ପ୍ରରୋଚନାରେ ପଡିଯାଇଥିବା ରମେଶ ସ୍ୱୀକାର କରିଛି। ଏହି କାମ ପାଇଁ ଆଇଏସ୍‍ଆଇ ତାକୁ ୧,୩୦୦ ଡଲାର ପ୍ରଦାନ କରିଥିଲା। ଏହାବାଦ୍‍ ତାକୁ ଅଧିକ ଅର୍ଥ ପ୍ରଦାନର ପ୍ରତିଶ୍ରୁତି ମଧ୍ୟ ପାକ୍‍ ଗୁଇନ୍ଦା ସଂସ୍ଥା ପକ୍ଷରୁ ଦିଆଯାଇଥିବା ରମେଶ ସ୍ୱୀକାର କରିଛି। ରମେଶର ଭାଇ ଭାରତୀୟ ସେନା ବାହିନୀର ଜଣେ କର୍ମଚାରୀ। ନିଜ ଭାଇ ମାଧ୍ୟମରେ ସେ ସମ୍ପୃକ୍ତ କୂଟନୀତିଜ୍ଞଙ୍କ ଘରେ ରୋଷେୟା ଭାବେ ନିଯୁକ୍ତି ପାଇବାକୁ ସକ୍ଷମ ହୋଇଥିଲା।

Leave A Reply