ଅଚଳ ଭାରତୀୟ ନୋଟ୍‍ କିଣୁଛି ଆଇଏସ୍‍ଆଇ

0

ନୂଆଦିଲ୍ଲୀ : ଆତଙ୍କବାଦର ମଞ୍ଜି ବୁଣୁଥିବା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ (ଇଣ୍ଟର ସର୍ଭିସ୍‍ ଇଣ୍ଟେଲିଜେନ୍ସ) ଏବେ ଜାଲ୍‍ ନୋଟ୍‍ କାରବାର ଚଳାଇଛି। ଦେଶ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବାବେଳେ ସଂସ୍ଥା ନିଜପାଇଁ ପାଣ୍ଠି ଯୋଗାଡର ଏହି ନୂଆ ବାଟ ଖୋଜିନେଇଛି। ଭାରତରେ ବିମୁଦ୍ରାୟନ ପରେ ଅଚଳ ହୋଇପଡିଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‍କୁ ନେଇ ସଂସ୍ଥା ପ୍ରସ୍ତୁତ କରୁଛି ଜାଲ୍‍ ନୋଟ୍‍। ଏହି ଜାଲ୍‍ ନୋଟ୍‍ ଗୁଡିକୁ ଏଭଳି ସତର୍କତାର ସହିତ ପ୍ରସ୍ତୁତ କରାଯାଉଛି ଯେ ସାଧାରଣ ଲୋକେ ଏଥିରେ ପାର୍ଥକ୍ୟ ବାରିବା ଅସମ୍ଭବ। ଡି-କମ୍ପାନୀର ପୂର୍ଣ୍ଣ ସହଯୋଗରେ ଭାରତରୁ ଆରମ୍ଭ କରି ସୁଦୂର ଦୁବାଇ ପର୍ଯ୍ୟନ୍ତ ଚାଲିଥିବା ଏହି ଜାଲ୍‍ ନୋଟ୍‍ କାରବାରର ପର୍ଦାଫାସ କରିଛି ଭାରତୀୟ ଗୁଇନ୍ଦା ସଂସ୍ଥା।
ଗୁଇନ୍ଦା ରିପୋର୍ଟ ଅନୁସାରେ ବିମୁଦ୍ରାୟନ ପରେ ଅଚଳ ହୋଇପଡିଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‍କୁ ଆଇଏସ୍‍ଆଇ ଏଜେଣ୍ଟମାନେ କ୍ରୟ କରି ନେପାଳ ପଠାଇ ଦେଉଛନ୍ତି। ଡି-କମ୍ପାନୀ ଏଜେଣ୍ଟଙ୍କ ସହାୟତାରେ ନେପାଳରୁ ପାକିସ୍ତାନର କରାଚୀ ଏବଂ ପେଶାୱାର ସହରକୁ ଏହି ଅଚଳ ନୋଟ୍‍ ଚୋରାଚାଲାଣ ହେଉଛି। ସେଠାକାର ଛାପା କାରଖାନାରେ ପୁରୁଣା ନୋଟ୍‍ରୁ ଆର୍‍ବିଆଇ ଲିଖିତ ସ୍ୱତନ୍ତ୍ର ତାର ବାହାର କରିନେଇ ୫୦୦, ୨୦୦୦ ଏବଂ ୫୦ ଟଙ୍କିଆ ଜାଲ ନୋଟ୍‍ରେ ଖଞ୍ଜାଯାଉଛି। ପୁନଃ ଡି-କମ୍ପାନୀର ଏଜେଣ୍ଟଙ୍କ ସହାୟତାରେ ଜାଲ ନୋଟ୍‍ଗୁଡିକୁ ଦୁବାଇ ଏବଂ ବାଂଲାଦେଶ ବଜାରକୁ ଛଡାଯାଉଛି। ଏହି ଜାଲ୍‍ ନୋଟ୍‍ ପ୍ରସ୍ତୁତି ନିମନ୍ତେ ଭାରତର ବିଭିନ୍ନ ରାଜ୍ୟରୁ ପୁରୁଣା ନୋଟ୍‍ କ୍ରୟ କରାଯାଉଥିବା ଗୁଇନ୍ଦା ବିଭାଗ ଏହାର ରିପୋର୍ଟରେ ଉଲ୍ଲେଖ କରିଛି ବୋଲି ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ତଦନ୍ତକାରୀମାନେ ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ଜାଲ ନୋଟ୍‍ ଜବତ କରିଛନ୍ତି। ଭାରତରେ ଏହି ନୋଟ୍‍ କାରବାର କରୁଥିବା ଲୋକଙ୍କୁ ଜେରା ବେଳେ ଆଇଏସ୍‍ଆଇର ସମ୍ପୃକ୍ତି ବିଷୟ ପଦାକୁ ଆସିଛି ବୋଲି ତଦନ୍ତକାରୀମାନେ କହିଛନ୍ତି। ରିପୋର୍ଟ ଅନୁସାରେ ନେପାଳରେ ପୁରୁଣା ନୋଟ୍‍ ପହଞ୍ଚିବା ପରେ ହିଁ ଭାରତରେ ସକ୍ରିୟ ଆଇଏସ୍‍ଆଇ ଏଜେଣ୍ଟଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇଥାଏ। ତେବେ କେତେ ପରିମାଣର ପୁରୁଣା ନୋଟ୍‍ ଚୋରାଚାଲାଣ ହୋଇଛି ତାହା ଗୁଇନ୍ଦା ସଂସ୍ଥା ଯାଞ୍ଚ କରୁଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ମଧ୍ୟ ତଦନ୍ତ ଆରମ୍ଭ କରିଛି।

Leave A Reply