ପିଡିଏସ୍ ଅନିୟମିତା ପ୍ରସଙ୍ଗ : ଲଡୁଗାଁ ପଞ୍ଚାୟତରେ ଉଚ୍ଚ ସ୍ତରୀୟ ତଦନ୍ତ ହେବ କେବେ

ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ  ଗ୍ରାମ ପଞ୍ଚାୟତରେ ପିଡିଏସ୍ ହେରଫେରକୁ ନେଇ ସରପଞ୍ଚ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ୨୦୨୩ ଜାନୁୟାରୀ ୩ ତାରିଖରେ  ପତ୍ର ସଂଖ୍ୟା ୦୩  ଅନୁସାରେ  ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକ ଅଜିତ କୁମାର ଠାକୁର ପଞ୍ଚାୟତରେ ଯୋଗଦାନ କରିବା ଦିନଠାରୁ ଯୋଗାଣ ସମ୍ଵନ୍ଧୀୟ କୌଣସି ଉଠାଣ, ବଣ୍ଟନ, ଷ୍ଟକ୍ କ୍ୟାସ୍ ବୁକ୍ ଓ ଅନ୍ୟାନ୍ୟ ତଥ୍ୟ ଗୁଡ଼ିକ ଅଦ୍ୟାବଧି ହସ୍ତାନ୍ତର କରି ନଥିବା ଓ ମୌଖିକ ତଥା ଫୋନ ଯୋଗେ କୁହାଯାଉଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନସ ବେଣୁପାଣି କୈଫତ ମାଗିଥିଲେ। ଚଳିତ ମାସ ୧୨ ତାରିଖ  ପତ୍ର ସଂଖ୍ୟା ୨୩  ଅନୁସାରେ ଆଇଁଲି ଗ୍ରାମର ଅଭିଯୋଗ ଓ ପୂର୍ବ ନୋଟିସକୁ ଭ୍ରୁକ୍ଷେପ ନକରିବା ହେତୁ ପତ୍ର ପାଇ ତୁରନ୍ତ ସବୁ ତଥ୍ୟ ପ୍ରଦାନ କରିବାକୁ  ନୋଟିସ ଜାରି କରାଯାଇଥିଲା। ଏହାସହ ଜିଲ୍ଲା ପଞ୍ଚାୟତ ଅଧିକାରୀ କଳାହାଣ୍ଡିଙ୍କ ପତ୍ର ସଂଖ୍ୟା ୨୦୩୭ /୨୨ ଅନୁସାରେ ଗ୍ରାମ ପଞ୍ଚାୟତ ମାନଙ୍କରେ ପରିଦର୍ଶନ ଓ ନିରୀକ୍ଷଣ କରିବା ସମୟରେ ଅନିୟମିତତା ଦୃଷ୍ଟିଗୋଚର ହୋଇଥିବା ବେଳେ କଣ୍ଟ୍ରୋଲ କାରବାର ସୁପରିଚାଳନା ସମ୍ବନ୍ଧରେ ଏକ ନୋଟିସ ତଥା ପଞ୍ଚାୟତ ପକ୍ଷରୁ ବାରମ୍ବାର ଲିଖିତ ଓ ମୌଖିକ ଭାବେ କୁହାଯାଉଥିଲା।
ତେବେ ଏ ନେଇ ଲଡୁଗାଁ ସରପଞ୍ଚ ନକୁଳ ନାଏକ ମଧ୍ୟ ଗତ ୧୮  ତାରିଖରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । କାରଣ ଦର୍ଶାଅ ନୋଟିସ୍ ନଂ ୩୩ ରେ ଉଲ୍ଲେଖ ଅଛି ଯେ ଚିଠି ପାଇବାର ୧୦ ଦିନ ମଧ୍ୟରେ ଯୋଗାଣ ସହାୟକ ସମସ୍ତ ତଥ୍ୟ ନ ଦିଅନ୍ତି ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଏତେସବୁ ସତ୍ତ୍ବେ ମଧ୍ୟ ଯୋଗାଣ ସହାୟକ  ନୋଟିସକୁ ବେଖାତିର୍ କରି ଏହାର ଅବମାନନା କରୁଥିବା  ଓ କାର୍ଯ୍ୟରେ ଅବହେଳା କରି ବୁଲୁଥିବା କେତେଦୂର ଯୁକ୍ତିଯୁକ୍ତ ତାହା ବୋଧେ ଉପରିସ୍ଥ ଅଧିକାରୀ ବେଶ୍ ଭଲ ଭାବରେ ଜାଣିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ୨୦୧୬ ମସିହା ଜୁଲାଇ ୨୫ ତାରିଖରେ ମଧ୍ୟ ଏହି ପଞ୍ଚାୟତରେ ପିଡିଏସ୍ ଚାଉଳ ଆତ୍ମସାତ୍ କରୁଥିବାରୁ ଉତ୍ତେଜିତ  ହିତାଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗୋଦାମ ଗୃହରେ ଦୀର୍ଘ ସମୟ ଧରି ତାଲାଦେଇ ରଖିଥିଲେ । ସେତେବେଳର ନିର୍ବାହୀ ଅଧିକାରୀ ପିଡିଏସ୍ ହେରଫେର କରିଥିବାରୁ ଜେଲ ଯିବାକୁ ପଡ଼ିଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଲଡୁଗାଁ ପଞ୍ଚାୟତରେ  ପିଡିଏସ୍ ହେରଫେର ମାମଲା ପିଛା ଛାଡି ନ ଥିବା ଯୋଗୁଁ ଗରିବ ଖାଉଟିଙ୍କ ମଧ୍ୟରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପ୍ରତି ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ପ୍ରାପ୍ତ ସୂଚନାନୁସାରେ ସୂଚନା ଅନୁସାରେ    ଲଡୁଗାଁ ପଞ୍ଚାୟତରେ ପିଏଚଏଚ ୨୧୭୯, ଏସଏଫଏସଏସ ୨୯୨  ଓ  ଅନ୍ତୋଦୟ  ୩୪୨ ଏଭଳି ସମୁଦାୟ ୨ ହଜାର ୮ ଶହ ୧୩  କାର୍ଡଧାରୀ ରହିଛନ୍ତି ।   ତେବେ ଆଜକୁ ୩ ମାସ ହେଲା ଆଇଁଲି ଗ୍ରାମର ମୋଟ ୩୨୦ ହିତାଧିକାରୀଙ୍କୁ ଆଦୌ ଚାଉଳ ନଦେଇ ଯୋଗାଣ ସହାୟକ ହଡପ୍ କରିଥିବା ଅଭିଯୋଗ ହୋଇଛି । ଏ ସମନ୍ଧରେ ସମ୍ପୃକ୍ତ ଯୋଗାଣ ସହାୟକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । ହେଲେ ସେ ଧରାଛୁଆଁ ଦେଉନଥିବା ବେଳେ ଫୋନ୍ ଯୋଗେ ବାରମ୍ବାର  ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ ।
ଯୋଗାଣ ସହାୟକଙ୍କ ପକ୍ଷରୁ କୌଣସି  ପ୍ରତିକ୍ରିୟା କିମ୍ବା ତଥ୍ୟ ନମିଳିବାରୁ  ଏନେଇ କୋକସରା ବ୍ଲକ ଯୋଗାଣ ବିଭାଗ ଅଧିକାରୀ ଜଗାରାମ ମୁର୍ମୁଙ୍କୁ ପଚାରିବାରୁ ସେ କହିଥିଲେ ମୁଁ ନିଜେ ତଦନ୍ତ କରିଥିଲି। ଯେ ପର୍ଯ୍ୟନ୍ତ ଯୋଗାଣ ସହାୟକ ଆତ୍ମସାତ୍ କରିଥିବା ପିଡିଏସ୍ ଚାଉଳ ଭରଣ ନ କରିଛି ସେ ପର୍ଯ୍ୟନ୍ତ ଲଡୁଗାଁ ପିଇଓ ଯୋଗାଣ ବଣ୍ଟନ ଦାୟିତ୍ଵରେ ରହିବେ ଷ୍ଟକ କଥା ବୁଝିବେ ଏବଂ ଖୁବ ଶୀଘ୍ର ଯୋଗାଣ ସହାୟକ ହେରଫେର କରିଥିବା ଚାଉଳ ଭରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।
ପଞ୍ଚାୟତରେ ୩ ମାସର  ପିଡିଏସ ଚାଉଳ ହଡ଼ପ କରିଥିବା ପଞ୍ଚାୟତବାସୀଙ୍କ ଅଭିଯୋଗକୁ ଭିତ୍ତି କରି ପିଡିଏସ୍ ଚାଉଳ ବଣ୍ଟନରେ ଅନିୟମିତତା ସମ୍ବନ୍ଧରେ ‘ସମାଜ’ ଖବର କାଗଜ​ରେ ଖବର ବାହାରିବା ପରେ କିଛି ଲୋକଙ୍କୁ ଚାଉଳ ଦେଇଥିବା ସୂଚନା ମିଳିଛି । ତେବେ ତୁରନ୍ତ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗକୁ ଏହାର ତଦନ୍ତ କରିବାକୁ ଦେବା ସହିତ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ଅଧିକାରୀ ଏହାର ତଦନ୍ତ କଲେ ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଓ ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ଗୁମର ଖୋଲିବା ସହିତ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

Comments are closed.