ଇରାକରୁ ଆସିଲା ୩୮ ଭାରତୀୟଙ୍କ ଦେହାବଶେଷ

0

ଅମୃତସର : ଇସଲାମିକ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ୩୯ ଭାରତୀୟଙ୍କ ମଧ୍ୟରୁ ୩୮ ଜଣଙ୍କ ଦେହାବଶେଷ ସୋମବାର ଆସି ଭାରତରେ ପହଞ୍ଚିଛି । ବୈଦେଶିକ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହଙ୍କ ନେତୃତ୍ୱରେ ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ବିମାନ (ସି ୧୭ ଏୟାରକ୍ରାଫ୍ଟ)ରେ ମୃତକଙ୍କ ଦେହାବଶେଷକୁ ଭାରତ ଅଣାଯାଇଛି । ମୃତ ଭାରତୀୟଙ୍କ ଦେହାବଶେଷକୁ ବାଗଦାସ୍ଥିତ ମେଡିକୋ ଲିଗାଲ ଇନଷ୍ଟିଚ୍ୟୁଟ୍‌ର ଫ୍ରିଜରରେ ରଖାଯାଇଥିଲା । ଜଣେ ମୃତକଙ୍କୁ ଚିହ୍ନଟ କରାଯାଇପାରି ନ ଥିବାରୁ ତାଙ୍କ ଶବ ଅଣାଯାଇପାରିନାହିଁ । ଇରାକରେ ମୃତ ଭାରତୀୟଙ୍କ ପରିବାରବର୍ଗଙ୍କ ପାଇଁ ପଞ୍ଜାବ ସରକାର ୫ ଲକ୍ଷ ଲେଖାଏଁ କ୍ଷତିପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି । ପ୍ରକାଶ ଯେ ଭାରତୀୟଙ୍କ ମୃତ୍ୟୁ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମାର୍ଚ୍ଚ ୨୦ରେ ସଂସଦରେ ଘୋଷଣା କରିଥିଲେ। ୨୦୧୪ରେ ଇରାକର ମୋସୁଲ ସହରରୁ ୩୯ଜଣ ଭାରତୀୟଙ୍କ ଆଇଏସ୍‌ ଆତଙ୍କବାଦୀମାନେ ଅପହରଣ କରିନେଇ ହତ୍ୟା କରିଥିଲେ। ଆତଙ୍କବାଦୀମାନେ ମୃତଦେହଗୁଡିକ ପୋତି ଦେଇଥିଲେ। ଅନେକ ଅନୁସନ୍ଧାନ ପରେ ମୃତଦେହଗୁଡିକୁ ଠାବ କରାଯାଇଥିଲା। ମୃତ ୩୯ ଭାରତୀୟଙ୍କ ମଧ୍ୟରୁ ୨୭ ଜଣ ପଞ୍ଜାବ, ୪ ଜଣ ବିହାର ଓ ଅନ୍ୟମାନେ ପଶ୍ଚିମବଙ୍ଗର ବାସିନ୍ଦାଥିଲେ । ମନ୍ତ୍ରୀ ସିଂହ ବାୟୁ ସେନାର ସ୍ୱତନ୍ତ୍ର ବିମାନ (ସି ୧୭ ଏୟାରକ୍ରାଫ୍ଟ)ରେ ମୃତ ଭାରତୀୟଙ୍କ ଦେହାବଶେଷ ଆଣି ପ୍ରଥମେ ପଞ୍ଜାବର ଅମୃତସରରେ ପହଞ୍ଚଛନ୍ତି । ଏହାପରେ ସେ ପାଟନା ଓ କଲକାତା ଯିବେ। ଅମୃତସହରରେ ସେ ମୃତଦେହ ଗୁଡିକୁ ପରିବାର ଓ ଆତ୍ମୀୟ ସ୍ୱଜନଙ୍କୁ ହସ୍ତାନ୍ତର କରିଛନ୍ତି । ଇରାକ ସରକାର ଡିଏନଏ ନମୁନା ପରୀକ୍ଷା ପୂର୍ବକ ମୃତଦେହଗୁଡିକୁ ଚିହ୍ନଟ କରିଥିଲେ । ମୃତ ଭାରତୀୟଙ୍କ ଦେହାବଶେଷ ଆଣିବାକୁ ମନ୍ତ୍ରୀ ଭିକେ ସିଂହ ଅପ୍ରେଲ ୧ରେ ଇରାକ ଯାଇଥିଲେ ।

Leave A Reply