ଚେନ୍ନଇ-ହାଇଦରାବାଦ ଫାଇନାଲ ଆଜି

0

ମୁମ୍ବଇ: ବିଶ୍ୱର ସବୁଠାରୁ ଧନଶାଳୀ ଏବଂ ସର୍ବବୃହତ୍‍ ଟ୍ୱେଣ୍ଟି୨୦ କ୍ରିକେଟ୍‍ ଲିଗ୍‍ ଆଇପିଏଲ୍‍ର ୧୧ଶ ସଂସ୍କରଣ ରବିବାର ଅନ୍ତଃ ହେବାକୁ ଯାଉଛି। ୱାଙ୍ଖେଡ଼େ ଷ୍ଟାଡିୟମ୍‍ରେ ରବିବାର ସନ୍ଧ୍ୟାରେ ସନ୍‍ରାଇଜର୍ସ ହାଇଦରାବାଦ ଓ ଚେନ୍ନଇ ସୁପର କିଙ୍ଗ୍‍ସ ମଧ୍ୟରେ ହାଇଭୋଲ୍‍ଟେଜ୍‍ ଫାଇନାଲ ମ୍ୟାଚ୍‍ ଖେଳାଯିବ। ଆଇପିଏଲ୍‍ର ୧୧ଶ ସଂସ୍କରଣରେ କିଏ ଟାଇଟଲ ଜିତିବ; ତାହା କହିବା କଷ୍ଟକର ନିଶ୍ଚୟ। ତେବେ ଆଇପିଏଲ୍‍ ରେକର୍ଡ ସହ ଚଳିତବର୍ଷର ପ୍ରଦର୍ଶନ ଦେଖିଲେ ଫାଇନାଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ)ର ବିଜୟ ସମ୍ଭାବନା ଅଧିକ ବୋଲି ସ୍ୱୀକାର କରିବାକୁ ପଡ଼ିବ। ତେବେ କ୍ରିକେଟ ହେଉଛି ଅନିଶ୍ଚିତତାର ଖେଳ ଏବଂ ଟ୍ୱେଣ୍ଟି୨୦ରେ ଅନିଶ୍ଚିତତା ଅଧିକ ରହିଥାଏ। ସୂଚନାଯୋଗ୍ୟ; ଲିଗ୍‍ ପର୍ଯ୍ୟାୟରେ ସନ୍‍ରାଇଜର୍ସ ହାଇଦରାବାଦ ଓ ଚେନ୍ନଇ ସୁପର କିଙ୍ଗ୍‍ସ ପଏଣ୍ଟ ଟେବୁଲ୍‍ର ପ୍ରଥମ ୨ଟି ସ୍ଥାନରେ ରହିଥିଲେ ଏବଂ ଯଥାର୍ଥ ଭାବେ ଦୁହେଁ ଫାଇନାଲରେ ପହଞ୍ଚିଛନ୍ତି।
ପ୍ରଥମ କ୍ୱାଲିଫାୟରରେ ମଧ୍ୟ ସନ୍‍ରାଇଜର୍ସ ହାଇଦରାବାଦ ଓ ଚେନ୍ନଇ ସୁପର କିଙ୍ଗ୍‍ସ ମଧ୍ୟରେ ମୁକାବିଲା ହୋଇଥିଲା ଏବଂ ଏଥିରେ ଫାଫ୍‍ ଡୁ ପ୍ଲେସିଙ୍କ ଚମତ୍କାର ଇନିଂସ ବଳରେ ଜିତି ଚେନ୍ନଇ ଫାଇନାଲରେ ପହଞ୍ଚିଛି। ସନ୍‍ରାଇଜର୍ସ ପ୍ରଥମ ପ୍ରୟାସରେ ବିଫଳ ହୋଇଥିବା ବେଳେ କ୍ୱାଲିଫାୟର-୨ରେ କଲକାତା ନାଇଟ ରାଇଡର୍ସକୁ ପଛରେ ପକାଇ ଫାଇନାଲରେ ପହଞ୍ଚିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ସନ୍‍ରାଇଜର୍ସ ଓ ଚେନ୍ନଇ ମଧ୍ୟରେ ୩ ଥର ମୁକାବିଲା ହୋଇଥିବା ବେଳେ ଚେନ୍ନଇ ୩-୦ରେ ଆଗୁଆ ରହିଛି। ଦାକ୍ଷିଣାତ୍ୟର ଏହି ଦୁଇ ଦଳଙ୍କ ମଧ୍ୟରେ ହେବାକୁ ଥିବା ଫାଇନାଲରେ ଚେନ୍ନଇ ବ୍ୟାଟିଂ ଓ ସନ୍‍ରାଇଜର୍ସ ବୋଲିଂ ମଧ୍ୟରେ ଲଢ଼େଇ ହେବ। ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ ଓ ରସିଦ୍‍ ଖାଁଙ୍କୁ ନେଇ ସନ୍‍ରାଇଜର୍ସର ବୋଲିଂ ଆକ୍ରମଣ ବେଶ୍‍ ସୁଦୃଢ଼। ଅନ୍ୟପକ୍ଷରେ ସେନ୍‍ ୱାଟ୍‍ସନ, ଅମ୍ବତି ରାୟୁଡୁ, ସୁରେଶ ରୈନା ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଚେନ୍ନଇ ସୁପର କିଙ୍ଗ୍‍ସର ବ୍ୟାଟିଂ ମଧ୍ୟ ବେଶ୍‍ ମଜ୍‍ଭୁତ। ଚେନ୍ନଇର ପ୍ରାୟ ସମସ୍ତ ବ୍ୟାଟ୍‍ସମ୍ୟାନ୍‍ ଚଳିତ ସଂସ୍କରଣରେ ଭଲ ପ୍ରଦର୍ଶନ କରିଛନ୍ତି। ଯେପରି କ୍ୱାଲିଫାୟରରେ ଦଳର ସମସ୍ତ ପ୍ରମୁଖ ବ୍ୟାଟ୍‍ସମ୍ୟାନ୍‍ ବିଫଳ ହୋଇଥିବା ବେଳେ ଡୁ ପ୍ଲେସି ଶେଷ ପର୍ଯ୍ୟନ୍ତ କ୍ରିଜ୍‍ରେ ରହି ଦଳକୁ ଜିତାଇଥିଲେ। ଅମ୍ବତି ରାୟୁଡୁ ଚଳିତ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍‍ଙ୍କ ପରି ବ୍ୟାଟିଂ କରିଛନ୍ତି। ରାୟୁଡୁ ୫୮୬ ରନ୍‍ କରିଥିବା ବେଳେ ସେନ୍‍ ୱାଟ୍‍ସନ ୧୩ ମ୍ୟାଚ୍‍ରୁ ୪୩୮ ରନ୍‍ କରିଛନ୍ତି। ମହେନ୍ଦ୍ର ସିଂହ ଧୋନି ଅଦ୍ୟାବଧି ସଠିକ୍‍ ଭାବେ ମଧ୍ୟକ୍ରମ ସମ୍ଭାଳି ପାରିଛନ୍ତି। ପେସ୍‍ ବୋଲିଂ ବିଭାଗରେ ଲୁଙ୍ଗି ଏନ୍‍ଗିଡ଼ି ଅଦ୍ୟାବଧି ଚମତ୍କାର ବୋଲିଂ କରିଛନ୍ତି ଏବଂ ଓଭର ପିଛା ୫.୯୦ ରନ୍‍ ମାତ୍ର ଦେଇଛନ୍ତି। ପେସ୍‍ ବୋଲିଂ ବିଭାଗରେ ସାର୍ଦ୍ଦୁଳ ଠାକୁର, ଡ୍ୱେନ୍‍ ବ୍ରାଭୋ ଓ ଦୀପକ ଚହର ଭଲ ବୋଲିଂ କରିଥିବା ବେଳେ ଚେନ୍ନଇର ଦୁଇ ସ୍ପିନର ହରଭଜନ ସିଂହ ଓ ରବୀନ୍ଦ୍ର ଜାଡ଼େଜା ବେଶ୍‍ ଅଭିଜ୍ଞ।
ସନ୍‍ରାଇଜର୍ସ ହାଇଦରାବାଦର ଆଫ୍‍ଗାନ ଲେଗ୍‍ସ୍ପିନର ରସିଦ୍‍ ଖାଁ ଏହି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଭଲ ବୋଲିଂ କରିଛନ୍ତି। ଅଦ୍ୟାବଧି ୧୬ଟି ମ୍ୟାଚ୍‍ରୁ ଦଳ ପାଇଁ ସର୍ବାଧିକ ୨୧ଟି ୱିକେଟ ରସିଦ୍‍ ନେଇଛନ୍ତି। କଲକାତା ବିପକ୍ଷରେ ସନ୍‍ରାଇଜର୍ସକୁ ଜିତାଇବାରେ ରସିଦ୍‍ଙ୍କ ଅଲ୍‍ରାଉଣ୍ଡ ସଫଳତା ଗୁରୁତ୍ୱପୂର୍ଣ୍ଣ ଥିଲା। ଚେନ୍ନଇ ବିପକ୍ଷରେ କ୍ୱାଲିଫାୟରରେ ରସିଦ୍‍ ୪ ଓଭରରୁ ମାତ୍ର ୧୧ ରନ୍‍ଦେଇ ୨ଟି ୱିକେଟ ନେଇଥିଲେ। ସନ୍‍ରାଇଜର୍ସ ବ୍ୟାଟିଂର ମଙ୍ଗ ସମ୍ଭାଳିଛନ୍ତି ଅଧିନାୟକ କେନ୍‍ ୱିଲିୟମ୍‍ସନ। ନ୍ୟୁଜିଲାଣ୍ଡର ଏହି ବ୍ୟାଟ୍‍ସମ୍ୟାନ୍‍ ୧୬ଟି ମ୍ୟାଚ୍‍ରୁ ୫୨.୯୨ ଆଭ୍‍ରେଜ୍‍ରେ ସର୍ବାଧିକ ୬୮୮ ରନ୍‍ କରିଛନ୍ତି। ଓପ୍‍ନର ଶିଖର ଧାୱନ ୧୫ଟି ମ୍ୟାଚ୍‍ରୁ ୪୭୧ ରନ୍‍ କରିଛନ୍ତି। ତେବେ ମଧ୍ୟକ୍ରମ ଦଳକୁ ନିରାଶ କରିଛି। ମନୀଷ ପାଣ୍ଡେ, ଋଦ୍ଧିମାନ ଶାହା, ୟୁସୁଫ୍‍ ପଠାନ୍‍ ଓ ସାକିବ୍‍ ଅଲ୍‍୍‍ ହାସନ୍‍ ଅଦ୍ୟାବଧି ବଡ଼ ଇନିଂସ ଖେଳି ପାରିନାହାନ୍ତି। ୨୦୧୦ ଓ ୨୦୧୧ରେ ଚମ୍ପିଆନ୍‍ ହୋଇଥିବା ଚେନ୍ନଇ ୨ ବର୍ଷ ବ୍ୟବଧାନରେ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଛି।

Leave A Reply