bjd gruha runa

ରାଜସ୍ଥାନ ପରାସ୍ତ ; ଚେନ୍ନଇର କ୍ରମାଗତ ୨ୟ ବିଜୟ

BJD Bijuli 480×75 Mob

ମୁମ୍ବଇ : ସୋମବାର ଚଳିତ ଆଇପିଏଲ୍‌ର ୧୨ଶ ମ୍ୟାଚ୍‌ରେ ବିଜୟୀ ହୋଇଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)। ସମସ୍ତ ବିଭାଗରେ ଉନ୍ନତ ପ୍ରଦର୍ଶନ କରି ସିଏସ୍‌କେ ୪୫ ରନ୍‌ରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତକରି କ୍ରମାଗତ ୨ୟ ବିଜୟ ହାସଲ କରିଛି। ସାମୂହିକ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନଇ ୯ ୱିକେଟରେ ୧୮୮ ରନ୍‌ର ପ୍ରଭାବଶାଳୀ ସ୍କୋର୍ କରି ପାରିଥିଲା। ପରେ ଜୋସ୍‌ ବଟ୍‌ଲରଙ୍କ ୪୯ ରନ୍ ସତ୍ତ୍ବେ ରାଜସ୍ଥାନ ୯ ୱିକେଟ ହରାଇ ୧୪୩ ରନ୍ କରି ପାରିଥିଲା। ୩ୟ ମ୍ୟାଚ୍‌ରେ ଏହା ଚେନ୍ନଇର ୨ୟ ବିଜୟ ହୋଇଥିବା ବେଳେ ୩ୟ ମ୍ୟାଚ୍‌ରେ ଏହା ରାଜସ୍ଥାନର ୨ୟ ପରାଜୟ।
ରାଜସ୍ଥାନ ରୟାଲ୍‌ସ ଦୃଢ଼ତାର ସହ ୧୮୯ ରନ୍‌ର ପିଛା ଆରମ୍ଭ କରିଥିଲା। ୪ର୍ଥ ଓଭରରେ ୩୦ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ମନନ ବୋହ୍‌ରା ୧୧ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍‌କରି ବିଦାୟ ନେଇଥିଲେ। ଅନ୍ୟପଟେ ଜୋସ୍ ବଟ୍‌ଲର ଚମତ୍କାର ବ୍ୟାଟିଂ କରୁଥିବା ବେଳେ ଅଧିନାୟକ ସଞ୍ଜୁ ସାମ୍‌ସନଙ୍କୁ ହରାଇବା ରାଜସ୍ଥାନ ପାଇଁ ଶକ୍ତ ଧକ୍କା ଥିଲା। ସାମ୍‌ସନ ୧ ରନ୍ କରିଥିଲେ। ପରେ ବଟ୍‌ଲର ଓ ଶିବମ୍ ଦୁବେ ସ୍କୋର୍‌କୁ ଆଗେଇ ନେଇଥିଲେ। ଦୁହେଁ ୩୨ ରନ୍ ଯୋଡ଼ିବା ପରେ ବଟ୍‌ଲରଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ ରବୀନ୍ଦ୍ର ଜାଡ଼େଜା। ଏହାସହ ରାଜସ୍ଥାନ ୮ ରନ୍‌ରେ ୫ଟି ୱିକେଟ ହରାଇ ପରାଜୟ ଆଡ଼କୁ ଅଗ୍ରସର ହୋଇଥିଲା। ବଟ୍‌ଲର ୩୫ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୪୯ ରନ୍‌ କରିଥିଲେ। ଶିବମ୍ ଦୁବେ ୨୦ ବଲ୍‌ରୁ ୧୭ ଓ ଡେଭିଡ୍‌ ମିଲର ୨ ରନ୍‌ କରି ପାରିଥିଲେ। କ୍ରିସ୍ ମରିସ୍ ଖାତା ଖୋଲି ପାରିନଥିଲେ। ରାହୁଲ ତିୱତିଆ ୨ଟି ଛକା ସହ ୨୦ ରନ୍ କରିଥିଲେ। ଜୟଦେବ ଉନାଦ୍‌କତ ୧୭ ବଲ୍‌ରୁ ୨୪ ରନ୍ କରିଥିଲେ। ମୋଇନ୍ ଅଲୀ ୩ଟି ଏବଂ ରବୀନ୍ଦ୍ର ଜାଡ଼େଜା ଓ ସାମ୍ କରନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଚେନ୍ନଇ ସୁପର କିଙ୍ଗ୍‌ସ ନିୟମିତ ଭାବେ ୱିକେଟ ହରାଇଥିବା ବେଳେ ଏହାର ବ୍ୟାଟ୍‌ସମ୍ୟାନ୍ କିନ୍ତୁ ସଟ୍‌ ଖେଳିବାରେ ପଛଘୁଞ୍ଚା ଦେଇନଥିଲେ। ଚେନ୍ନଇର ଓପ୍‌ନିଂ ଯୋଡ଼ି ୪ର୍ଥ ଓଭରରେ ୨୫ ରନ୍‌ କରିବା ପରେ ଋତୁରାଜ ଗାଏକ୍‌ୱାଡ ୧୦ ରନ୍‌କରି ବିଦାୟ ନେଇଥିଲେ। ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଫାଫ୍ ଡୁ ପ୍ଲେସି ବିସ୍ଫୋରକ ବ୍ୟାଟିଂ କରିବାର ପ୍ରୟାସ କରିଥିଲେ ହେଁ ୬ଷ୍ଠ ଓଭରରେ ଆଉଟ ହୋଇଥିଲେ। ଡୁ ପ୍ଲେସି ୧୭ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୩ ରନ୍ କରିଥିଲେ। ପରେ ଦୁଇ ଅଭିଜ୍ଞ ବାମହାତି ବ୍ୟାଟ୍‌ସମ୍ୟାନ୍ ମୋଇନ୍ ଅଲୀ ଓ ସୁରେଶ ରୈନା ୩୩ ରନ୍ ଯୋଡ଼ିଥିଲେ। ମୋଇନ୍ ୨୦ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୬ ରନ୍‌ କରିଥିଲେ। ଅମ୍ବତି ରାୟୁଡୁ ଓ ସୁରେଶ ରୈନା ୪ର୍ଥ ୱିକେଟ ପାଇଁ ୪ ଓଭରରୁ ୪୫ ରନ୍ ଯୋଡ଼ିଥିଲେ। ରୈନା ୧୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୮ ରନ୍ କରିଥିଲେ। ରାୟୁଡୁ ଆକ୍ରମଣାତ୍ମକ ବ୍ୟାଟିଂକରି ୧୭ ବଲ୍‌ରୁ ୩ଟି ଛକା ସହ ୨୭ ରନ୍‌ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୧୭ ବଲ୍‌ରୁ ୨ଟି ଚୌକା ସହ ୧୮ ରନ୍ କରିଥିଲେ। ରବୀନ୍ଦ୍ର ଜାଡ଼େଜା ୮ ରନ୍ କରି ପାରିଥିଲେ। ସାମ୍ କରନ୍ ୬ ବଲ୍‌ରୁ ୧୩ ରନ୍ କରିଥିଲେ। ଇନିଂସର ଶେଷଆଡ଼କୁ ଡ୍ବେନ୍ ବ୍ରାଭୋ ୮ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୦ ରନ୍‌କରି ଅପରାଜିତ ଥିଲେ। ଯୁବ ବାମହାତି ପେସ୍ ବୋଲର ଚେତନ ସାକାରିୟା ୩ଟି ଓ ଅଭିଜ୍ଞ କ୍ରିସ୍ ମରିସ୍ ୩ଟି ୱିକେଟ ନେଇଥିଲେ।

Comments are closed.