ଆଇଏନଏକ୍ସ ମିଡିଆ ଦୁର୍ନୀତି: ଚିଦମ୍ବରମ୍‍ଙ୍କୁ ସିବିଆଇ ସମନ

0

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତିକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍‍ଙ୍କୁ ଜେରା ଲାଗି ସିବିଆଇ ଶୁକ୍ରବାର ସମନ ଜାରି କରିଛି। ସମନ ଅନୁଯାୟୀ ଜୁନ୍‍ ୬ରେ ଚିଦମ୍ବରମ୍‍ ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ। ଗୁରୁବାର ଚିଦମ୍ବରମ୍‍ଙ୍କୁ ଜେରା ଲାଗି ପ୍ରଥମେ ଡକାଯାଇଥିଲା; ମାତ୍ର ସେ ହାଜର ହେବା ଲାଗି ଅକ୍ଷମତା ପ୍ରକାଶ ପୂର୍ବକ ଅନ୍ୟ ଏକ ଦିନ ଧାର୍ଯ୍ୟ କରିବାକୁ ନିବେଦନ କରିଥିଲେ। ଚିଦମ୍ବରମ୍‍ଙ୍କ ନିବେଦନ ଆଧାରରେ ତାଙ୍କୁ ଜୁନ୍‍ ୬ରେ ହାଜର ହେବାକୁ କୁହାଯାଇଥିବା ତଦନ୍ତକାରୀ ଏଜେନ୍ସି କହିଛି।
ଇନ୍ଦ୍ରାଣୀ ମୁଖାର୍ଜୀ ଓ ପିଟର ମୁଖାର୍ଜୀଙ୍କ ପରିଚାଳିତ ଆଇଏନଏକ୍ସ ମିଡିଆ ପ୍ରାଇଭେଟ୍‍ ଲିମିଟେଡକୁ ବିଦେଶୀ ପୁଞ୍ଜିନିବେଶ ପ୍ରୋତ୍ସାହନ ବୋର୍ଡ (ଏଫଆଇପିବି)ର ଅନୁମତି ମିଳିବା ପଛରେ ଚିଦମ୍ବରମ୍‍ଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି। ୨୦୦୭ରେ ଚିଦମ୍ବରମ୍‍ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆକୁ ଏଫଆଇପିବି ଅନୁମୋଦନ ମିଳିଥିଲା। ଚିଦମ୍ବରମ୍‍ଙ୍କ ପୁଅ କାର୍ତ୍ତୀ ଚିଦମ୍ବରମ୍‍ଙ୍କ ମାଧ୍ୟମରେ ଉକ୍ତ ମିଡିଆ କମ୍ପାନୀ ଏହି ଅନୁମୋଦନ ହାସଲ କରିଥିଲା। ଏହି ମାମଲାରେ କାର୍ତ୍ତୀ ଅନେକ ବାର ସିବିଆଇ ଜେରାର ସମ୍ମୁଖୀନ ହେବା ସହ ଫେବୃଆରୀ ୨୮ରେ ଗିରଫ ହୋଇ ଜାମିନରେ ଖଲାସ ହୋଇଛନ୍ତି। ଏବେ ଚିଦମ୍ବରମ୍‍ଙ୍କ ପାଳି ପଡିଛି। ଏହି ମାମଲାରେ ଜୁନ୍‍ ୩ ପର୍ଯ୍ୟନ୍ତ ଚିଦମ୍ବରମ୍‍ଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ସିବିଆଇକୁ କହିଛନ୍ତି। ଅନ୍ୟପଟେ ଆଇଏନଏକ୍ସ ମିଡିଆର ଦୁଇ ମାଲିକ ଇନ୍ଦ୍ରାଣୀ ଓ ପିଟର ଝିଅ ସିନାବୋରା ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‍ରେ ଅଛନ୍ତି।

Leave A Reply