ନବରଙ୍ଗପୁରରେ ଜିଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସମାରୋହ ମହିଳାମାନେ ପୁରୁଷଙ୍କର ଠାରୁ କୌଣସି ଗୁଣରେ କମ ନୁହନ୍ତି
ନବରଙ୍ଗପୁର: ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ସପ୍ତାହ ବ୍ୟାପି ଲିଙ୍ଗଗତ ସମାନତା ପାଇଁ ଚାଲିଥବା ସଚେତନ କାର୍ଯ୍ୟକ୍ରମ ଅବସରରେ ନବରଙ୍ଗପୁରରେ ଜିଲା ପ୍ରଶାସନର ସମାଜ କଲ୍ୟାଣ ବିଭାଗ ତରଫରୁ ମିଶନଶକ୍ତି ସଭାଗୃହରେ ଜିଲା ସ୍ତରୀୟ ମହିଳା ଦିବସ ସମାରୋହ ପାଳିତ ହୋଇଯାଇଛି। ଏଥିରେ ଜିଲା ପରିଷଦ ଅଧକ୍ଷ ମୋତିରାମ ନାୟକ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।
ପ୍ରାରମ୍ଭରେ ଜିଲା ସମାଜ କଲ୍ୟାଣ ଅଧିକାରୀ ସ୍ବର୍ଣ୍ଣଲତା ବିଶ୍ବାସ ମହିଳା ଦିବସର ଉଦେଶ୍ୟ ବିଷୟରେ ଆଲୋକପାତ କରି କହିଥିଲେ ଯେ ଆଜିର ଦିନରେ ସମଗ୍ର ବିଶ୍ବରେ ମହିଳାମାନେ ଏକତ୍ରିତ ହୋଇ ନିଜର ଅଧିକାରକୁ ସାବ୍ୟସ୍ତ କରୁଛନ୍ତି। ମହିଳାମାନେ ଆଗପରି ଅବଳା ନୁହଁନ୍ତି। ଆଜିର ଡିଜିଟାଲ ଦୁନିଆରେ ପୁରୁଷମାନଙ୍କ ପରି ମହିଳାମାନେ ସାମାଜରେ ସବୁ କାର୍ଯ୍ୟ କରିପାରୁଛନ୍ତି ।
ସମାଜରେ ପୁରୁଷ ମହିଳା ମାନଙ୍କ ମଧ୍ୟରେ ସମାନ ଆଣିବା ନିମନ୍ତେ ଚଳିତ ବର୍ଷ ଆର୍ନ୍ତଜାତିକ ମହିଳା ଦିବସର ଆଲୋଚ୍ୟ ବିଷୟ ‘ଡିଜିଟାଲ: ଲିଙ୍ଗଗତ ସମାନତା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗୀତା’ ରହିଛି ବୋଲି ସୂଚନା ପ୍ରଦାନ କରିଥିଲେ । ଉଦଘାଟନ ଅଭିଭାଷଣରେ ମୁଖ୍ୟ ଅତିଥି ଜିଲା ପରିଷଦ ଅଧକ୍ଷ ଶ୍ରୀ ନାୟକ ସମାଜରେ ସବୁକ୍ଷେତ୍ରରେ ମହିଳା ମାନଙ୍କର ଭାଗିଦାରିତାକୁ ସୁନିଶ୍ଚିତ କରିବା ସହିତ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବନଶୀଳ କରିବାପାଇଁ ଆହ୍ବାନ ଦେଇଥିଲେ। ଏଥି ସହିତ ପୁରୁଷମାନେ ମହିଳାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ଦେଇ କାର୍ଯ୍ୟ କରିଲେ ସମାଜରୁ ବିଷମତା ହଟିବ ବୋଲି ମତବ୍ୟକ୍ତ କରିଥିଲେ।
ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ସମାଜରେ ହଜାର ବର୍ଷର ତଳୁ ମହିଳା ମାନଙ୍କ ଉପରେ ହେଉଥିବା ଅନ୍ୟାୟକୁ ମହିଳାମାନେ ନୀରବରେ ସହ୍ୟ ନକରି ଏହାର ପ୍ରତିବାଦ କରିବା ପାଇଁ ଆହ୍ବାନ ଦେବା ସହିତ ସମସ୍ତ ବ୍ୟକ୍ତି ନିଜ ନିଜ ସ୍ତରରେ ପ୍ରତ୍ୟେକ ଦିନକୁ ମହିଳା ଦିବସ ଭାବରେ ପାଳନ କରିବାକୁ ମତବ୍ୟକ୍ତ କରିଥିଲେ। ଜିଲା ପରିଷଦ ଉପାଧ୍ୟକ୍ଷା ଲିପିକା ବରାଇ, ଶିଶୁମଙ୍ଗଳ ସମିତି ଅଧକ୍ଷା ଅଜନ୍ତା ପ୍ରିୟ ଦର୍ଶନୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଲଧର ନିଆଲ, ସମାଜସେବୀ ମନୋରମା ମାଝି, ଅଧ୍ୟାପିକା ସଂଯୁକ୍ତା ପଣ୍ଡା, ସଂଗୀତା ତ୍ରିପାଠୀ, ପ୍ରଭାସିନୀ ମହାନ୍ତି, ଆକ୍ସନଏଡର ଜିଲା ପରାମର୍ଶ ଦାତା ଫକିର ଚରଣ ରାଉତ, ଆଇନିଜୀବୀ କିଶୋରୀ ପଟ୍ଟନାୟକ , ପ୍ରଭାତୀ ବିଷୋୟୀ, ସୁରକ୍ଷା ଅଧିକାରୀ ବାଳା ପଦ୍ମା, ଶିଶୁ ସୁରକ୍ଷା ୟୁନିଟି ତରଫରୁ କୁନିମଣି ସ୍ବାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ନବରଙ୍ଗପୁର ଜିଲାରେ ହେଉଥିବା ବାଲ୍ୟବିବାହର କାରଣ ଓ ନିରାକରଣ ଏବଂ ହିଂସାର ଶିକାର ହେଉଥିବା ମହିଳାମାନଙ୍କର ସମସ୍ୟାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ଏଥିସହିତ ଲିଙ୍ଗଗତ ସମାନତା ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗୀତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲାରେ ବାଲ୍ୟବିବାହକୁ ରୋକିବା ଓ କିଶୋରୀ ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶ୍ରେଷ୍ଠ ବାଲ୍ୟବିବାହ ନିଷେଧ ଅଧିକାରୀ , ସୁପର ଭାଇଜର , ଅଙ୍ଗନବାଡି କର୍ମୀ ଓ ସଖୀ ସହେଳିମାନଙ୍କୁ ଉପଜିଲାପାଳ ଶ୍ରୀ ରାଉତ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବୟଂ ସହାୟକ ଦଳର ମହିଳା, କିଶୋରୀ ବାଳିକା, ଅଙ୍ଗନବାଡି କର୍ମୀ, ସମସ୍ତ ସିଡିପିଓ, ମହିଳା ସୁପରଭାଇଜର ଓ ୱାନଷ୍ଟପ କେନ୍ଦ୍ରର କର୍ମକର୍ତ୍ତାଙ୍କ ସହିତ ଜିଲାର ଅନ୍ୟ ଅଧିକାରୀ ମାନେ ଯୋଗଦେଇ ଥିଲେ। ଶେଷରେ ନନ୍ଦାହାଣ୍ଡି ସିଡିପିଓ ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.