ପରିବର୍ତ୍ତନ ପାଇଁ ସବୁଠାରୁ ଶକ୍ତିଶାଳୀ ଉପାୟ ହେଉଛି ଅନ୍ୟମାନଙ୍କ ସେବା

ଭୁବନେଶ୍ୱର : କଥାରେ ଅଛି – ମାନବ ସେବା ହିଁ ମାଧବଙ୍କ ସେବା । ସେବା ମାଧ୍ୟମରେ ହିଁ ନିଜ ସହ ଅନ୍ୟକୁ ପରିବର୍ତ୍ତିତ କରିବା ସମ୍ଭବପର। ଶନିବାର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ସେବା ମାଧ୍ୟମରେ ଆତ୍ମ ପରିବର୍ତ୍ତନ ଶୀର୍ଷକରେ କୁଳପତି ପ୍ରଫେସର ଡ଼. ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବିଶ୍ଵବିଦ୍ୟାଳୟର ଦର୍ଶନ  ବିଭାଗ ଏବଂ ଥିଓସୋଫିକାଲ ସୋସାଇଟି ଓଡିଶା ମିଳିତ ଆନୁକୁଲ୍ୟରେ ଏକଦିବସୀୟ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି।ଏହି ଅବସରରେ ଇଣ୍ଟେରନେଶନାଲ ପ୍ରେସିଡେଣ୍ଟ ଅଫ ଥିଓସୋଫିକାଲ ସୋସାଇଟି ଆଣ୍ଡ ଅର୍ଡର ଟୁ ସର୍ଭିସ ଟିମ୍ ବୟଡ଼ ମୁଖ୍ୟ ଅତିଥି ଏବଂ ଲିଲି ବୟଡ଼ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ପରିବର୍ତ୍ତନ ପାଇଁ ସବୁଠାରୁ ଶକ୍ତିଶାଳୀ ଉପାୟ ହେଉଛି ଅନ୍ୟମାନଙ୍କ ସେବା।ସମସ୍ତେ ଜଗତକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି, କିନ୍ତୁ କେହି ନିଜକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି ନାହିଁ। ତେଣୁ ନିଜକୁ ସେବାରେ ନିୟୋଜିତ କରିବା ବିଧେୟ ଅଟେ। ଆତ୍ମ ପରିବର୍ତ୍ତନର କାର୍ଯ୍ୟ ଲମ୍ବା ଏବଂ ଆହ୍ୱାନପୂର୍ଣ୍ଣ। ତେଣୁ ଆମର ପ୍ରଥମ କର୍ତ୍ତବ୍ୟ ନିଜକୁ ଅନ୍ୟ ସେବାରେ ଉତ୍ସର୍ଗ କରିବା ବୋଲି ପ୍ରକାଶ କରିଛନ୍ତି ମୁଖ୍ୟ ଅତିଥି ଟିମ୍ ବୟଡ଼ ।

ସେବା ପାଇଁ ପ୍ରଥମେ ନିଜକୁ ଭୁଲି ନିଃସ୍ଵାର୍ଥପର ହେବାକୁ ପଡ଼ିବ। ସେବାରେ ଆତ୍ମ-ପରିବର୍ତ୍ତନ ହେଉଛି ତୁମର ଜୀବନର ସକରାତ୍ମକ ପରିବର୍ତ୍ତନ ଦିଗ, ଯେପରିକି ତୁମର ଆଚରଣ, ଅଭ୍ୟାସ, ଏବଂ ମାନସିକତାରେ ପରିଲକ୍ଷିତ ହୋଇଥାଏ। ଆତ୍ମ-ପରିବର୍ତ୍ତନ ଆପଣଙ୍କୁ ଉନ୍ନତି ଏବଂ ସକରାତ୍ମକ ମାନସିକତା ଏବଂ ସୁସ୍ଥତାକୁ ଉପଭୋଗ କରିବାରେ ସାହାଯ୍ୟ କରିଥାଏ। ସେବା ଦ୍ଵାରା ଆତ୍ମ-ପ୍ରକୃତିକରଣ ଏବଂ ଆତ୍ମ-ରୂପାନ୍ତରଣ କରିବା ପାଇଁ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ମତ ପ୍ରକାଶ କରିଛନ୍ତି କୁଳପତି ପ୍ରଫେସର ଡ଼ ଅପରାଜିତା ଚୌଧୁରୀ। ବସୁଧୈବ କୁଟୁମ୍ବକମ୍ ସେବା ଦ୍ଵାରା ହିଁ ସମ୍ଭବ। ସେବା ଦ୍ଵାରା ମନର ବିସ୍ତାର ହୁଏ। ଯାହା ଦ୍ଵାରା ନିଜର ଓ ଅନ୍ୟ ଜଣଙ୍କ ମଧ୍ୟରେ ପାର୍ଥକ୍ୟ ଦେଖି ହୁଏନାହିଁ ବୋଲି କହିଛନ୍ତି ଦର୍ଶନ ବିଭାଗର ମୁଖ୍ୟ ଡ଼.କଲ୍ୟାଣୀ ଷଡ଼ଙ୍ଗୀ ।

ସେବା ମାଧ୍ୟମରେ ଏହି ସମ୍ମିଳନୀର ବିଷୟବସ୍ତୁ ବ୍ୟବହାରିକ ତତ୍ତ୍ୱର ପ୍ରକୃତ ଅର୍ଥକୁ ଆଲୋକିତ କରେ। ଅଧ୍ୟୟନ ଏବଂ ଧ୍ୟାନ ମାଧ୍ୟମରେ ଆମେ ବୌଦ୍ଧିକ ଭାବରେ ତତ୍ତ୍ୱକୁ ବୁଝିପରିବା ବୋଲି ପ୍ରକାଶ କରିଛନ୍ତି ଡ଼. ଦିପା ପାଢ଼ୀ।ଏହି ଅବସରରେ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବିଭାଗର ମୁଖ୍ୟ ପ୍ରଫେସର ଚଣ୍ଡୀ ଚରଣ ରଥ, ଦର୍ଶନ ବିଭାଗର ମୁଖ୍ୟ କଲ୍ୟାଣୀ ଷଡ଼ଙ୍ଗୀ, ଓଡ଼ିଶା ଥିଓସୋଫିକାଲ ଅର୍ଡର ସର୍ଭିସ ରିଜିଓନାଲ ସେକ୍ରେଟାରୀ ଏବଂ ଭାଇସ ପ୍ରେସିଡେଣ୍ଟଙ୍କ ସମେତ ସମସ୍ତ ବିଭାଗର ଶିକ୍ଷାବିତ୍ , ଏବଂ ଶିକ୍ଷାର୍ଥୀ ଉପସ୍ଥିତ ଥିଲେ। ଦୀପା ପାଢ଼ୀ ସ୍ବାଗତ ସମ୍ବର୍ଦ୍ଧନା ଏବଂ କେ.ପି. ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.