ବରିଷ୍ଠ ପୁଲିସ ଅଧିକାରୀଙ୍କ ଆନ୍ତଃରାଜ୍ୟ ସମନ୍ଵୟ ବୈଠକ: ଶାନ୍ତିଶୃଙ୍ଖଳା ସହ ନିର୍ବାଚନ, ମିଥ୍ୟା ଖବର ରୋକିବା ଉପରେ ଗୁରୁତ୍ବ

ଭୁବନେଶ୍ବର: ଆସନ୍ତା ମଇ ଓ ଜୁନ ମାସରେରାଜ୍ୟରେ ଚାରୋଟି ପର୍ୟ୍ୟାୟରେ ସାଧାରଣ ନିର୍ବାଚନ–୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ଭୁବନେଶ୍ବରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଭିଡିଓ କନଫରେନସିଂ ଜରିଆରେ ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ ଏବଂ ଝାଡଖଣ୍ଡ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଏକ ଆନ୍ତଃରାଜ୍ୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସମସ୍ତ ନିୟମାବଳୀକୁ ସଠିକଭାବେ ପାଳନ କରିବା ସହ ଶାନ୍ତିପୂର୍ଣ୍ଣ , ଅବାଧ, ଅପରାଧମୁକ୍ତ ଏବଂ ନିରପେକ୍ଷତାର ସହ ନିର୍ବାଚନ ପରିଚାଳନା କରାଯିବା ସମ୍ପର୍କରେ ବୈଠକରେ ମତାପ୍ରକାଶ ପାଇଥିଲା। ବିଶେଷକରି ରାଜ୍ୟର ସୀମାବର୍ତ୍ତୀ ଜିଲାଗୁଡିକରେ ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରାଯିବା ଉପରେ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା । ମାଓ ପ୍ରବଣ ଜିଲାଗୁଡିକରେ ନିର୍ବାଚନ ସମ୍ପର୍କିତ ହିଂସା, ରାଜ୍ୟର ସୀମା ତନଖୀ ଫାଟକରେ କଡାକଡି ଯାଞ୍ଚ, ସଂବେଦନଶୀଳ ସ୍ଥାନ ଗୁଡିକରେ ଯାନବାହନ ଯାଞ୍ଚ, ଅବକାରୀ ଧରପଗଡ, ବେଆଇନ ମରଣାସ୍ତ୍ର, ବେଆଇନ ମଦ କାରବାର, ବେଆଇନ ଟଙ୍କା କାରବାର ଉପରେ ରୋକ ଲଗାଯିବ ବୋଲି ବୈଠକରେ ବିଶଦଭାବେ ଆଲୋଚନା ହୋଇଥିଲା ।

ଏହାସହ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପରିବେଷଣ ରୋକାଯିବା ସଂକ୍ରାନ୍ତରେ ମଧ୍ୟ ବୈଠକରେ ମତପ୍ରକାଶ ହୋଇଥିଲା ।ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ), ଶ୍ରୀ ଆର.କେ. ଶର୍ମା, (ଗୁଇନ୍ଦା) ନିର୍ଦ୍ଦେଶକ, ସୌମେନ୍ଦ୍ର ପ୍ରିୟଦର୍ଶୀ,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା),ଶ୍ରୀ ସଞ୍ଜୟ କୁମାର,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ), ଏସ. ଦେବଦତ୍ତ ସିଂ, ଆଇଜିପି (ପ୍ରୋଭିଜନିଙ୍ଗ),  ୟତିନ୍ଦ୍ର କୋୟଲ, ଆଇଜିପି (ଗୁଇନ୍ଦା), ଅନୁପ ସାହୁ, ଡିଆଇଜିପି (ଏସଆଇଡବ୍ଲୁ), ଡ଼ଃ ଉମାଶଙ୍କର ଦାଶ, ଏସପି (ହେଡକ୍ୱାର୍ଟସ),  ବି. ଗଙ୍ଗାଧରଙ୍କ ସମେତ ବିଭିନ୍ନ ରେଞ୍ଜର ଆଇଜି, ଡିଆଇଜି ଏବଂ ସୀମାବର୍ତ୍ତି ଜିଲାଗୁଡିକର ଏସପିମାନେ ବୈଠକରେ ଉପସ୍ଥିତ ଥିଲେ ।

Comments are closed.