ଦାକ୍ଷିଣାତ୍ୟ ନୌସେନାରେ ଯୋଗଦେଲା ଆଇଏନ୍‌ଏସ୍‌ ମଗର

0

କୋଚି : ନୌସେନାର ବୃହତକାୟ ଲ୍ୟାଣ୍ଡିଂ ଟ୍ୟାଙ୍କ ଜାହାଜ ‘ଆଇଏନ୍‌ଏସ୍‌ ମଗର’ ଦାକ୍ଷିଣାତ୍ୟ ନୌସେନା କମାଣ୍ଡରେ ଯୋଗଦେଇଛି। ଏହାକୁ ନୌସେନାର ଯୁବ କ୍ୟାଡେଟ୍‌ମାନଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟରେ ବ୍ୟବହାର କରାଯିବ। ବୁଧବାର ଏହା ବିଶାଖାପାଟନାମ୍‌ରୁ ଆସି କୋଚିଠାରେ ପହଞ୍ଚିବା ପରେ ନୌସେନା ଅଧିକାରୀ ରିଅର୍‌ ଆଡମିରାଲ ଆର୍‌. ଜେ. ନାଦକାର୍ଣ୍ଣି ଏହାକୁ ସ୍ୱାଗତ କରିଥିଲେ। ଆଗାମୀ ସପ୍ତାହରେ ସାମୁଦ୍ରିକ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏଥିରେ କିଛି ପରିବର୍ତ୍ତନ କରାଯିବ। ପରେ ଏହାକୁ ଜାହାଜର ଦିଗନିର୍ଣ୍ଣୟ, ବୋଟ୍‌ କାମ, ଇଞ୍ଜିନିୟରିଂ ଏବଂ ବୈଦ୍ୟୁତିକ ବିଭାଗର ଦକ୍ଷତା ବୃଦ୍ଧି ସମ୍ବନ୍ଧୀୟ ପ୍ରଶିକ୍ଷଣ ନିମନ୍ତେ ଉପଯୋଗ କରାଯିବ। ‘ଗାର୍ଡେନ୍‌ ରିଚ୍‌ ସିପ୍‌ ବିଲ୍‌ଡର ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ୍‌’ ଦ୍ୱାରା ନିର୍ମିତ ଏହି ଜାହାଜଟିକୁ ୧୯୮୭ ଜୁଲାଇ ୧୮ରେ ନୌସେନାରେ ସାମିଲ କରାଯାଇଥିଲା। ବିଗତ ୩୦ ବର୍ଷ ମଧ୍ୟରେ ଏହା ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଥିଲା। ଶ୍ରୀଲଙ୍କାରେ ଭାରତୀୟ ଶାନ୍ତି ରକ୍ଷା ବାହିନୀର ‘ଅପରେସନ୍‌ ପୱନ୍‌’ ଏବଂ ୨୦୦୪ରେ ୧,୩୦୦ ଲୋକଙ୍କୁ ରିଲିଫ୍‌ ଯୋଗାଣରେ ଏହାକୁ ବ୍ୟବହାର କରାଯାଇଥିଲା। କମାଣ୍ଡର ପ୍ରବୀଣ କୁମାର ସିହ୍ନା ଏହାର କମାଣ୍ଡର ଥିଲେ।

Leave A Reply