ଦିଲ୍ଲୀରେ ପ୍ରଦର୍ଶିତ ହେବ ପ୍ରଜ୍ଞାପନ ମେଢ଼: ସମୀକ୍ଷା କଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦେଶକ

ଭୁବନେଶ୍ବର: ସାରା ଦେଶ ଦେଖିବ ଓଡ଼ିଶାର କଳାଚାତୁରୀ ଓ ନୃତ୍ୟ କୌଶଳ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ। ଏନେଇ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ର ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ସରୋଜ କୁମାର ସାମଲ ନୂଆଦିଲ୍ଲୀରେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି। ରଘୁରାଜପୁର ଐତିହ୍ୟ ଗ୍ରାମର ପଟ୍ଟଚିତ୍ରକୁ ନେଇ ମହିଳା ଶିଳ୍ପୀମାନେ କିଭଳି ନିଜର ଆର୍ଥିକ ଅଭିବୃଦ୍ଧି କରିବା ସହ ନିଜକୁ ସ୍ବାବଲମ୍ବୀ ଓ ସଶକ୍ତ କରିପାରିଛନ୍ତି, ତାହାର ଏକ ନିଖୁଣ ଚିତ୍ର ଏହି ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ଉପସ୍ଥାପନ କରାଯିବ। ପୂର୍ବାହ୍ଣରେ ନିର୍ଦେଶକ ଶ୍ରୀ ସାମଲ ଶିବିରରେ ପହଞ୍ଚି ପ୍ରଜ୍ଞାପନ ମେଢ଼ର ବିଭିନ୍ନ ଅଂଶ, ସେଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଆଦି ସମ୍ପର୍କରେ ପଚାରି ବୁଝିବା ସହିତ ସେଗୁଡ଼ିକ ତଦାରଖ କରିଥିଲେ।

ସେହିପରି ମେଢ଼ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବିଭିନ୍ନ ବର୍ଗର ଶ୍ରମିକ ଓ କାରିଗରଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ପରେ ସେ କଳାକୌଶଳ ପ୍ରଦର୍ଶନ କରିବାକୁ ଥିବା ମହିଳା କାରିଗର ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବାକୁ ଥିବା ମହିଳା ଶିଳ୍ପୀମାନଙ୍କ ସହିତ ଆଲୋଚନା କରିଥିଲେ। ୨୧ରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରର ଝଙ୍କାର ହଲରେ ଅନୁଷ୍ଠିତ ହେବାକୁ ଥିବା ନୃତ୍ୟ ପ୍ରତିଯୋଗିତା ଏବଂ କର୍ତ୍ତବ୍ୟ ପଥରେ ମେଢ଼ ସହ ନୃତ୍ୟ କରିବାକୁ ଥିବା କଳାକାରମାନଙ୍କ ନୃତ୍ୟ ଦେଖିବେ।

ପରିଦର୍ଶନ ସମୟରେ ବିଭାଗୀୟ ଯୁଗ୍ମ ନିର୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତି ଏବଂ ମେଢ଼ ନିର୍ମାଣର ଦାୟିତ୍ୱ ନେଇଥିବା ଇମାଜେରୀ ସଂସ୍ଥାର କୀର୍ତ୍ତି କିଶୋର ମହାରଣା ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ମୋଟ ୨୮ ଜଣ କାରିଗର ଏବଂ ନୃତ୍ୟ ପାଇଁ ୨୪ ଜଣ ଶିଳ୍ପୀ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ରହି ବିକଶିତ ଭାରତରେ ଓଡ଼ିଶାର ମହିଳା ସଶକ୍ତୀକରଣ ଚିତ୍ରକୁ ସଫଳତାର ସହିତ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରିବାକୁ ପ୍ରୟାସ କରୁଛନ୍ତି।

Comments are closed.