ବିକାଶ ଖୋଜୁଛି ଶିଳ୍ପର ସହର ଲାଞ୍ଜିଗଡ

ଲାଞ୍ଜିଗଡ଼: ଶିଳ୍ପର ସହର ହେଉଛି ଲାଞ୍ଜିଗଡ। ହେଲେ ଏବେ ବି ଏଠାରେ ବିକାଶ ଅପହଞ୍ଚ। ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟଜଳ ଭଳି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବା ବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କଳାହାଣ୍ଡି ଜିଲାର ଲାଞ୍ଜିଗଡ ସହରରେ ୧୫ଟି ପଡା ରହିଥିବା ବେଳେ ୨୫୦୦ ପରିବାରର ପ୍ରାୟ ୭୦୦୦ ଲୋକେ ବସବାସ କରନ୍ତି। ଏହା ବ୍ୟତୀତ ଲାଞ୍ଜିଗଡ ସହର ଉପରେ ପ୍ରାୟ ୧୬ ଗୋଟି ପଞ୍ଚାୟତ ଲୋକେ ନିର୍ଭର କରୁଥିବା ବେଳେ କମ୍ପାନୀରେ କାମ କରିବା ପାଇଁ ବିଭିନ୍ନ ରାଜ୍ୟରୁ ଆସି ଶତାଧିକ କର୍ମଚାରୀ ବସବାସ କରୁଛନ୍ତି। ଶିଳ୍ପର ସହର ଲାଞ୍ଜିଗଡରେ ସରକାର ଓ ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ ଆଜିକୁ ୬୮ ବର୍ଷ ହେଲା ନିଜସ୍ଵ ବୋଲି ପଞ୍ଚାୟତ କାର୍ଯ୍ୟାଳୟ ନ ଥିବା ବେଳେ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଲାଗି ରହିଛି।

ମୁଖ୍ୟ ସମସ୍ୟା ହେଉଛି ପାନୀୟଜଳ। ବର୍ତ୍ତମାନ ୪୫ ଦିନ ହେଲା ପୁଣି ଲାଞ୍ଜିଗଡରେ ଜଳ ସଙ୍କଟ ଦେଖା ଦେଉଛି। ପାଇପ ଯୋଗୁ ଆସୁଥିବା ପାଣି ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଫଳରେ ସହରର ବିଭିନ୍ନ ପଡ଼ାର ହଜାର ହଜାର ଲୋକ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଲାଞ୍ଜିଗଡଠାରେ ଜଳ ସଙ୍କଟ ଦୂର ପାଇଁ ୨୦୧୦ ମସିହାରେ ୧ କୋଟି ୩୦ ଲକ୍ଷ ଟଙ୍କାରେ ନିକଟସ୍ଥ ବଂଶଧାରା ନଦୀରୁ ସହରର ବିଭିନ୍ନ ପଡାକୁ ଜଳ ଯୋଗାଣ ପାଇଁ ପାଇପ ବିଛା ଯାଇଥିଲା । କିନ୍ତୁ ଠିକାଦାରଙ୍କ ନିମ୍ନମାନର କାମ ଓ ବ୍ୟବହାର ହୋଇଥିବା ପାଇପଗୁଡିକ ନିମ୍ନମାନର ହୋଇଥିବାରୁ ବିଭିନ୍ନ ସ୍ଥାନରେ ଫାଟି ଜଳ ଯୋଗାଣରେ ବ୍ୟାହତ ହେଉଛି। ସ୍ୱାସ୍ଥ୍ୟସେବାରେ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବ୍ଳକର ୧୬ଟି ପଞ୍ଚାୟତର ୨୮୦ ଗ୍ରାମର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ନିର୍ଭର କରିଥାନ୍ତି। ପୂର୍ବରୁ ପ୍ରତି ମାସରେ ୨୦୦ ରୋଗୀଙ୍କୁ ଅନ୍ତଃ ବିଭାଗ ଚିକିତ୍ସା, ବହିଃ ବିଭାଗରେ ୨୦୦୦ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୫୦ରୁ ଅଧିକ ମହିଳାଙ୍କୁ ପ୍ରସୂତି ସୁବିଧା ଦିଆ ଯାଉଥିଲା। କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଉଛି। ଫଳରେ ସ୍ଵାସ୍ଥ୍ୟସେବା ବି ପ୍ରଭାବିତ ହୋଇଛି। ବର୍ଷା ହେଲେ ଡାକ୍ତରଖାନା ପରିସରରେ ଆଣ୍ଠୁଏ ପାଣି ଜମି ରହୁଥିବା ବେଳେ ବର୍ଷ ବର୍ଷ ଧରି ବିଶେଷଜ୍ଞ ପଦ ଖାଲି ପଡିଥିବାରୁ ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିପାରୁ ନାହିଁ।

ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଲାଞ୍ଜିଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ବର୍ତ୍ତମାନ ସ୍କୁଲଟି ବିପଦସଂକୁଳ ଅବସ୍ଥାରେ ପଡ଼ିରହିଛି। ୧୮୯୧ ମସିହାରେ ସ୍ଥାପିତ ଏହି ସ୍କୁଲ ଏବେ ୧୩୩ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବାରୁ ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ କରିଛି। ସ୍କୁଲରେ ପଢୁଥିବା ୪୦୦ ଛାତ୍ରଛାତ୍ରୀଙ୍କ ଉପରେ କେଉଁ ମୁହୂର୍ତ୍ତରେ ବିପଦ ଆସିବ କହିହେବ ନାହିଁ। ଲାଞ୍ଜିଗଡରେ ଡିଗ୍ରୀ କଲେଜ ପାଇଁ ଭାଟଗୁଡା ଗାଁ ନିକଟରେ ୧୨ ବର୍ଷ ହେଲା  କମ୍ପାନୀ ପକ୍ଷରୁ ପାଚେରୀ ନିର୍ମାଣ ହୋଇଛି। କିନ୍ତୁ ବିଭିନ୍ନ ଦାବି ସତ୍ତ୍ୱେ ମଧ୍ୟ କଲେଜ ହୋଇ ପାରିନାହିଁ। ଏଣୁ ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ଯୁକ୍ତ ୨ ପରେ ଇଚ୍ଛାଶକ୍ତି ଥାଇ ବି ପାଠପଢ଼ାରେ ଅଧାରୁ ଡୋରି ବାନ୍ଧିବାକୁ ବାଧ୍ୟ ହୁଅନ୍ତି। ଶିଳ୍ପର ସହର ଲାଞ୍ଜିଗଡରେ ଏକ ଆଇଟିଆଇ ସ୍ଥାପନ କରିବା ପାଇଁ ୭ ବର୍ଷ ହେଲା ଜାଗା ଚିହ୍ନଟ କରାଯାଇ ପଞ୍ଜୀକରଣ ସରିଛି। କିନ୍ତୁ ଆଇଟିଆଇ ସ୍ଥାପନକୁ ନେଇ ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ନ ଥିବାରୁ ପୁଅମାନେ ପାଠ ଛାଡି ଦାଦନ ଖଟିବାକୁ ଯାଉଥିବାବେଳେ ଝିଅମାନଙ୍କୁ କମ ବୟସରେ ବାଧ୍ୟ ବାଧକତାରେ ବିବାହ କରି ଦିଆଯାଇଥାଏ।

ଲାଞ୍ଜିଗଡ଼ର ବିଭିନ୍ନ ପଡାରେ ଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି। ଡ୍ରେନେଜର ବ୍ୟବସ୍ଥା ନ ଥିବା ଯୋଗୁ ସହରରେ ଥିବା ବିଭିନ୍ନ ପଡାରୁ ଆସୁଥିବା ଆବର୍ଜନା ପାଣି ବର୍ଷ ବର୍ଷ ଧରି ବସ୍ତିର ମୁଖ୍ୟ ରାସ୍ତାରେ ଜମା ହେଉଛି। କୁଢ଼କୁଢ଼ ଆବର୍ଜନା ପଡ଼ିରହି ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି। ଦୁଇ ବର୍ଷ ହେଲା ସହରର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ପାଇଁ ଟେଣ୍ଡର ଦିଆଯାଇଥିଲେ ବି ରାସ୍ତା କାମ ଆରମ୍ଭ କରାଯାଉନାହିଁ। ଦିନସାରା ସହର ମଧ୍ୟରେ କମ୍ପାନୀର ଭାରି ଯାନ ପ୍ରବେଶ କରୁଥିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଲାଞ୍ଜିଗଡ ପ୍ରତି ନୂତନ ସରକାର ଓ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଲାଞ୍ଜିଗଡବାସୀ ଦାବି କରିଛନ୍ତି।

Comments are closed.