ଜୟପୁର: ଆଇପିଏଲ୍ ଇତିହାସରେ ୨ୟ ଦ୍ରୁତତମ ଏବଂ ଭାରତୀୟ ଭାବେ ଦ୍ରୁତତମ ଶତକ ହାସଲ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଆଇପିଏଲ୍ ଇତିହାସରେ ସର୍ବକନିଷ୍ଠ ଶତକବୀର ୧୪ ବର୍ଷର ସୂର୍ଯ୍ୟବଂଶୀଙ୍କ ୩୫ ବଲ୍ରୁ ଶତକ ଓ ଯଶସ୍ବୀ ଜୟସୱାଲଙ୍କ ଅର୍ଦ୍ଧଶତକ ବଳରେ ସୋମବାର ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ। ଗୁଜରାଟ ଟାଇଟାନ୍ସକୁ ୮ ୱିକେଟ୍ରେ ରାଜସ୍ଥାନ ପରାସ୍ତ କରିଛି। ଶୁଭମନ ଗିଲ୍ ଓ ଜୋସ୍ ବଟ୍ଲରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଗୁଜରାଟ ଟାଇଟାନ୍ସ ୪ ୱିକେଟ୍ରେ ୨୦୯ ରନ୍ କରି ପାରିଥିଲା। ପରେ ସୂର୍ଯ୍ୟବଂଶୀ ଓ ଯଶସ୍ବୀଙ୍କ ବିସ୍ଫୋରକ ଇନିଂସ ବଳରେ ୨୫ଟି ବଲ୍ ବାକିଥାଇ ୨ ୱିକେଟ୍ ହରାଇ ରାଜସ୍ଥାନ ଜିତିଥିଲା। ୧୦ମ ମ୍ୟାଚ୍ରେ ୩ୟ ବିଜୟ ହାସଲ କରିଛି ରାଜସ୍ଥାନ। ୯ମ ମ୍ୟାଚ୍ରେ ଗୁଜରାଟ ୩ୟ ପରାଜୟ ଭୋଗିଛି।
ରାଜସ୍ଥାନ ରୟାଲ୍ସର ଦୁଇ ଓପ୍ନର ବୈଭବ ସୂର୍ଯ୍ୟବଂଶୀ ଓ ଯଶସ୍ବୀ ଜୟସୱାଲ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୪ର୍ଥ ଓଭରରେ ୨୮ ଓ ୫ମ ଓଭରରେ ୨୧ ମାରିଥିଲେ ଏହି ଦୁଇ ଯୁବ ବାମହାତି। ୫ ଓଭରରେ ରାଜସ୍ଥାନ ୮୧ ରନ୍ କରିଥିଲା। ୧୪ ବର୍ଷ ବୟସ୍କ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୭ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଚଳିତ ସଂସ୍କରଣରେ ଏହା ଦ୍ରୁତତମ ଅର୍ଦ୍ଧଶତକ। ୧୦ମ ଓଭରରେ ସୂର୍ଯ୍ୟବଂଶୀ ୩ଟି ଲେଖାଏଁ ଛକା ଓ ଚୌକା ସହ ୩୦ ରନ୍ ମାରିଥିଲେ। ୧୧ଶ ଓଭରରେ ଛକାମାରି ବୈଭବ ସୂର୍ଯ୍ୟବଂଶୀ ମାତ୍ର ୩୫ ବଲ୍ରୁ ଶତକ ପୂରଣ କରିଥିଲେ। ୧୬୬ ରନ୍ର ଓପ୍ନିଂ ଭାଗୀଦାରି ପରେ ବୈଭବ ସୂର୍ଯ୍ୟବଂଶୀ ୩୮ ବଲ୍ରୁ ୧୧ଟି ଛକା ଓ ୭ଟି ଚୌକା ସହ ୧୦୧ ରନ୍କରି ଆଉଟ୍ ହୋଇଥିଲେ। ନୀତୀଶ ରାଣା ୪ ରନ୍କରି ବିଦାୟ ନେଇଥିଲେ। ପରେ ଜୟସୱାଲ ଓ ଅଧିନାୟକ ରିୟାନ ପରାଗ ଅବିଭାଜିତ ୩ୟ ୱିକେଟ୍ ପାଇଁ ୨୦ ବଲ୍ରୁ ୪୧ ରନ୍ ଯୋଗକରି ରାଜସ୍ଥାନକୁ ଜିତାଇଥିଲେ। ପରାଗ ୧୫ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୨ ଏବଂ ଯଶସ୍ବୀ ଜୟସୱାଲ ୪୦ ବଲ୍ରୁ ୨ଟି ଛକା ଓ ୯ଟି ଚୌକା ସହ ୭୦ ରନ୍କରି ଅପରାଜିତ ଥିଲେ। ବୈଭବ ସୂର୍ଯ୍ୟବଂଶୀ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଘରୋଇ ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କରିଥିଲା। ଗୁଜରାଟ ଟାଇଟାନ୍ସର ଦୁଇ ଓପ୍ନର ସାଇ ସୁଦର୍ଶନ ଓ ଅଧିନାୟକ ଶୁଭମନ ଗିଲ୍ ଆରମ୍ଭରୁ ଚମତ୍କାର ବ୍ୟାଟିଂ କରିଥିଲେ। ଗିଲ୍ ଓ ସୁଦର୍ଶନ ୬ ଓଭରର ପାୱରପ୍ଲେରେ ୫୩ ରନ୍ କରିଥିଲେ। ୯୩ ରନ୍ର ଓପ୍ନିଂ ଭାଗୀଦାରି ପରେ ସୁଦର୍ଶନ ଆଉଟ୍ ହୋଇ ଯାଇଥିଲେ। ସାଇ ସୁଦର୍ଶନ ୩୦ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୯ ରନ୍ କରିଥିଲେ। ପରେ ଶୁଭମନ ଗିଲ୍ ଓ ଜୋସ୍ ବଟ୍ଲର ବିସ୍ଫୋରକ ବ୍ୟାଟିଂକରି ୩୭ ବଲ୍ରୁ ୭୩ ରନ୍ ଯୋଡ଼ିଥିଲେ। ଗୁଜରାଟ ଶେଷ ୭ ଓଭରରୁ ୯୯ ରନ୍ କରି ପାରିଥିଲା। ଗିଲ୍ ମାତ୍ର ୨୯ ବଲ୍ରୁ ଚଳିତ ସଂସ୍କରଣରେ ୪ର୍ଥ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୭ଶ ଓଭରରେ ଆଉଟ୍ ହୋଇଥିବା ଶୁଭମନ ଗିଲ୍ ୫୦ ବଲ୍ରୁ ୪ଟି ଛକା ଓ ୫ଟି ଚୌକା ସହ ୮୪ ରନ୍କରି ଆଉଟ୍ ହୋଇ ଯାଇଥିଲେ। ଜୋସ୍ ବଟ୍ଲର ଇନିଂସର ଅନ୍ତିମ ବଲ୍ରେ ୨ ରନ୍ ନେଇ ୨୬ ବଲ୍ରୁ ଚଳିତ ସଂସ୍କରଣର ୪ର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ବଟ୍ଲର ୨୬ ବଲ୍ରୁ ୪ଟି ଚୌକା ଓ ୩ଟି ଚୌକା ସହ ୫୦ ରନ୍କରି ଅପରାଜିତ ଥିଲେ। ୱାଶିଂଟନ ସୁନ୍ଦର ୧୩ ରନ୍ କରିଥିଲେ। ସ୍ପିନର ମାହିଶ ତୀକ୍ଷଣ ୨ଟି ୱିକେଟ୍ ନେଇଥିଲେ।
୧୪ ବର୍ଷୀୟ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ; ରାଜସ୍ଥାନ ବିଜୟୀ
Popular Categories



