ଆଠଗଡ଼: ଆଠଗଡ଼ ଅଞ୍ଚଳରେ ଘରେ କେହି ନଥିବାର ସୁଯୋଗ ନେଇ ଦୃର୍ବୃତ୍ତ ବାରମ୍ବାର ଲୁଟ୍ କରୁଥିବା ଘଟଣା ସାମ୍ନାକୁ ଆସୁଛି। ଏହିଭଳି ଘଟଣା ନିୟମିତ ବ୍ୟବଧାନରେ ଘଟୁଥିବାବେଳେ ଆଠଗଡ଼ ପୁଲିସ ଲୁଟିଆଙ୍କ ଟେର ପାଉ ନାହିଁ । ସେହିଭଳି ଏକ ଲୁଟ ଘଟଣା ରବିବାର ବିଳମ୍ବିତ ରାତିରେ ଆଠଗଡ଼ ଥାନା ଅନ୍ତର୍ଗତ ରଧାପତିପୁର (ଚିରିଗୁଡିଆ)ଗ୍ରାମରେ ଘଟିଛି । ଘର ଭଡା ନେଇ ରହୁଥିବା ମିସ୍ତ୍ରୀ ରଘୁନାଥ ସାମନ୍ତରାଙ୍କ ଘର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ବାଙ୍କୀ ଥାନା ଅନ୍ତର୍ଗତ ଘୋଡାବର ଗ୍ରାମର ଭିକାରି ଚରଣ ସାହୁଙ୍କ ପୁଅ ରଘୁନାଥ ସାମନ୍ତରାୟ ଦୀର୍ଘ ଦିନ ଧରି ଆଠଗଡ଼ ଅଂଚଳରେ ମିସ୍ତ୍ରୀ ଭାବେ କାର୍ୟ୍ୟ କରି ଆସୁଛନ୍ତି। ଗତ କିଛି ଦିନ ହେବ ଆଠଗଡ଼ ରାଧାପତିପୁର ଗ୍ରାମରେ ଘର ଭଡା ନେଇ ରହି ଆସୁଥିଲେ। କିନ୍ତୁ ଗତକାଲି ରଘୁନାଥ ଘର ଚାବି ପକାଇ ବାହାରକୁ ଯାଇଥିଲେ। ପୂର୍ବରୁ ଛକି ରହିଥିବା ଲୁଟିଆ ଦଳ ତାଙ୍କ ଝରକା ଭାଙ୍ଗି ଘରେ ପଶି ନଗଦ ୨୫ ହଜାର ଟଙ୍କା, ସୁନା କାନଫୁଲ, ସୁନା ମୁଦି ଓ ପାଉଁଜି ଆଦି ମୋଟ ଅନୁମାନିକ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ଅଳଙ୍କାର ଲୁଟ କରି ନେଇଥିବା ଆଠଗଡ଼ ଥାନାରେ ରଘୁନାଥ ଏତଲା ଦେଇଛନ୍ତି। ଏତଲା ଆଧାରରେ ଆଠଗଡ଼ ଥାନା ମାମଲା ରୁଜୁ କରି ଉପନିରୀକ୍ଷକ ଦିଲୀପ କୁମାର ବେହେରା ତଦନ୍ତକାରୀ ଅଧିକାରୀ ଭାବେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଦେଖନ୍ତୁ ଭିଡିଓ; କୁଲ୍ଫି ଖାଇବା ବେଳେ ବାହାରିଲା ବ୍ଲେଡ୍,ଆଉ ତା’ପରେ..



