-ଚିନ୍ତା ବଢାଇଛି ୬୬ ଜିଲା
-ମହାରାଷ୍ଟ୍ର, କେରଳରୁ ୫୦% ସଂକ୍ରମଣ
-ଦେଶରେ ୪୩,୩୯୩ ସଂକ୍ରମିତ; ୯୧୧ ମୃତ
-ଡେଲ୍ଟା, ଡେଲ୍ଟା ପ୍ଲସ୍ ପରେ ଆସିଲା କାପ୍ପା ଓ ଲାମ୍ବଡା ପ୍ରଜାତିର କରୋନା ଭୂତାଣୁ
ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ଏକ ନିର୍ଦ୍ଦିଷ୍ଟ ସ୍ଥିତିରେ ସ୍ଥିର ରହିଛି। ଅର୍ଥାତ୍ ଦୈନିକ ସଂକ୍ରମଣ ନିୟମିତ ହ୍ରାସ ପାଉ ନାହିଁ। କିଛି ଦିନ ତଳେ ଦୈନିକ ସଂକ୍ରମଣ ୩୦ ହଜାର ନିକଟତର ହୋଇଥିବାବେଳେ ଏବେ ଏହା ପୁଣି ବୃଦ୍ଧି ପାଇ ନିୟମିତ ଭାବେ ୪୦ରୁ ୪୫ ହଜାର ମଧ୍ୟରେ ରହୁଛି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମନ୍ତ୍ରଣାଳୟ କହିଛି ଦେଶରୁ କରୋନାର ଦ୍ବିତୀୟ ଲହର ଶେଷ ହୋଇ ନାହିଁ। ଦେଶ ଏବେ ମଧ୍ୟ କରୋନା ଲହର ବିରୋଧରେ ଲଢେଇ ଜାରି ରଖିଛି। ତେଣୁ ଲୋକେ ସାମାଜିକ ଦୂରତା ଓ ତୁଣ୍ଡି ବାନ୍ଧିବା ପୂର୍ବକ କରୋନା ସତର୍କତାକୁ କଡାକଡି ପାଳନ କରନ୍ତୁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଦେଶର ୧୭ଟି ରାଜ୍ୟର ୬୬ ଜିଲାରେ ସଂକ୍ରମଣ ହାର ୧୦% ଉପରେ ରହିଛି। ମନ୍ତ୍ରଣାଳୟର କହିଛି ଯେ ଗତ ସପ୍ତାହ ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୫୦% ମହାରାଷ୍ଟ୍ର ଓ କେରଳରୁ ବାହାରିଛନ୍ତି। ମହାରାଷ୍ଟ୍ରରୁ ୨୧% ଓ କେରଳରୁ ୩୨% ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ରାଜ୍ୟରେ କରୋନାର ତୃତୀୟ ଲହର ଆରମ୍ଭ ହେବାର ସୂଚନା ମିଳିଛି।
କେରଳରେ ଶୁକ୍ରବାର ୧୩,୫୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମଣ ହାର ୧୦.୪ ପ୍ରତିଶତ ରହିଛି। ରାଜ୍ୟର ୧୪ଟି ଜିଲାରୁ ୭ଟି ଜିଲାରେ ୧୦୦୦ରୁ ଅଧିକ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗୁରୁବାର ରାଜ୍ୟରେ ୧୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୦ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହା ରାଜ୍ୟରେ ତୃତୀୟ ଲହର ଆସିବାର ସୂଚୀତ କରୁଛି।
ସେହିପରି ଶୁକ୍ରବାର ସମଗ୍ର ଦେଶରେ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମଣର ୮୦% ୯୦ଟି ଜିଲାରୁ ବାହାରିଛନ୍ତି। ଶୁକ୍ରବାର ସମଗ୍ର ଦେଶରେ ୪୩,୩୯୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯୧୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ଏହି ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୭,୫୨,୯୫୦ରେ ପହଞ୍ଚିଛି। ସେହିପରି ମୋଟ ମୃତ୍ୟୁସଂଖ୍ୟା ୪,୦୫,୯୩୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୪୪,୪୫୯ ଜଣ ସୁସ୍ଥ ହୋଇଥିବାବେଳେ ମୋଟ ୨,୯୮,୮୮,୨୮୪ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ ୪,୫୮,୭୨୭ ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୨.୪୨ ପ୍ରତିଶତ ରହିଥିବାବେଳେ ସାପ୍ତାହିକ ସଂକ୍ରମଣ ୨.୩୬ ପ୍ରତିଶତ ରହିଛି। ସେହିପରି ସୁସ୍ଥତା ହାର ୯୭.୧୯ ପ୍ରତିଶତ ରହିଛି। ଆଇସିଏମ୍ଆର ତଥ୍ୟ ଅନୁଯାୟୀ ଗୁରୁବାର ଦେଶରେ ୧୭,୯୦,୭୦୮ ନମୁନା ପରୀକ୍ଷା କରାଯାଇଥିଲା।
ଅନ୍ୟପକ୍ଷରେ ଡେଲଟା ଓ ଡେଲଟା ପ୍ଲସ୍ ପ୍ରଜାତିର କରୋନା ଭୂତାଣୁ ପରେ ଆଉ ଦୁଇଟି ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି। ଏହି ଦୁଇଟି ପ୍ରଜାତି ହେଲା କାପ୍ପା ଓ ଲାମ୍ବଡା। ଉତ୍ତରପ୍ରଦେଶରେ କାପ୍ପା ପ୍ରଜାତିରେ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କାପ୍ପା (ବି.୧.୧୬୭.୧) ଦ୍ଵୈତ ଗୁଣସୂତ୍ର ପରିବର୍ତ୍ତନକାରୀ ଭୂତାଣୁ (ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ)। ଅନ୍ୟପଟେ ଇଂଲଣ୍ଡ ସ୍ବାସ୍ଥ୍ୟ ବିଭାଗ ଲାମ୍ବଡା ପ୍ରଜାତିର ଭୂତାଣୁକୁ ଚିହ୍ନଟ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ପ୍ରଜାତିର ଭୂତାଣୁକ ନେଇ ଚିନ୍ତା ପ୍ରକାଶ କରିଛି। ଏହି ପ୍ରଜାତି ସମ୍ପର୍କରେ ସବିଶେଷ ସୂଚନା ମିଳିପାରି ନାହିଁ। ତେବେ ୨୦୨୦ ଅଗଷ୍ଟରେ ଲାମ୍ବଡା ପ୍ରଜାତିର ଭୂତାଣୁ ପ୍ରଥମେ ପେରୁରେ ଚିହ୍ନଟ ହୋଇଥିଲା। ଏହା ଏବେ ଇଂଲଣ୍ଡ ସମେତ ୨୯ଟି ଦେଶକୁ ବ୍ୟାପିଛି। ଡେଲଟା ପ୍ରଜାତିର ଭୂତାଣୁ ଭାରତରେ ପ୍ରଥମେ ଚିହ୍ନଟ ହୋଇଥିଲା। କରୋନାର ଦ୍ବିତୀୟ ଲହର ସମୟରେ ଏହି ପ୍ରଜାତି ଚିହ୍ନଟ ହୋଇଥିଲା। ଡେଲଟା ପ୍ରଜାତିର ପରିବର୍ତ୍ତନ ହୋଇ ଡେଲଟା ପ୍ଲସ୍ ପ୍ରଜାତି ବାହାରିଛି। କରୋନା ଭୂତାଣୁ ଏହାର ଗୁଣସୂତ୍ରରେ ନିୟମିତ ପରିବର୍ତ୍ତନ କରୁଥିବାରୁ ନୂଆ ନୂଆ ପ୍ରଜାତି ସୃଷ୍ଟି ହେଉଛି। ଏହି କ୍ରମରେ କାପ୍ପା ଓ ଲାମ୍ବା ପ୍ରଜାତି ସୃଷ୍ଟି ହୋଇଛି। ଏହା ପୂର୍ବରୁ ଉତ୍ତରପ୍ରଦେଶର ଦେଓରିଆ ଓ ଗୋରଖପୁରରେ ଡେଲଟା ପ୍ଲସ୍ ପ୍ରଜାତିର ଦୁଇ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଦେଓରିଆ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବଙ୍କ କହିବା ଅନୁଯାୟୀ ରାଜ୍ୟରେ ଦୁଇଜଣ ଡେଲଟା ପ୍ଲସ୍ ପ୍ରଜାତି ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି।



