ଭାରତ-ପାକ୍‍ ସୀମାରେ ଚାଲିବନି ଗୁଳି, ଶାନ୍ତି ପାଇଁ ସହମତି

0

ନୂଆଦିଲ୍ଲୀ : ସୀମାରେ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ଭାରତ ଓ ପାକିସ୍ତାନ ଡିଜିଏମ୍‍ଓସ୍ତରୀୟ ଆଲୋଚନା ହୋଇଛି। ଏହି ଆଲୋଚନାରେ ଉଭୟ ପକ୍ଷ ଅସ୍ତ୍ରବିରତି ବଜାୟ ରଖିବା ପାଇଁ ସହମତି ପ୍ରକାଶ କରିଥିଲେ। ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସମୟରେ ୨୦୦୩ରେ ଉଭୟ ସେନା ସୀମାରେ ଶାନ୍ତି ବଜାୟ ରଖିଥିଲେ ଓ ଅସ୍ତ୍ରବିରତି ଫଳପ୍ରସୂ ହୋଇଥିଲା। ଚଳିତ ବର୍ଷ ଅପ୍ରେଲରେ ଉଭୟ ରାଷ୍ଟ୍ରର ଡିଜିଏମ୍‍ଓସ୍ତରୀୟ ଆଲୋଚନା ହୋଇଥିଲା। ଏହାପରେ ଏହା ହେଉଛି ଦ୍ୱିତୀୟ ବୈଠକ। ଏହି ବୈଠକରେ ଉଭୟ ସେନାର ଡଜିଏମଓ ଜାମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୟ ସୀମାର ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ। ଭାରତ ଡିଜିଏମ୍‍ଓ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ ଏବଂ ତାଙ୍କ ପ୍ରତିପକ୍ଷ ପାକିସ୍ତାନ ଡିଜିଏମ୍‍ଓ ମେଜର ଜେନେରାଲ ସାହିର ଶାମସାଦ ମିର୍ଜା ଆଲୋଚନା କାଳରେ ୧୫ ବର୍ଷ ପୁରୁଣା ‘ଶାନ୍ତି ଓ ଅସ୍ତ୍ର ବିରତି’ ନୀତିକୁ ପାଳନ କରିବାକୁ ସହମ୍ମତି ପ୍ରକାଶ କରିଥିଲେ। କୌଣସି କାରଣୁ ପରିସ୍ଥିତି ବିଗିଡିଲେ ସୀମାରେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରାଯିବ। ଉଭୟ ପକ୍ଷ ହଟଲାଇନରେ ସମ୍ପର୍କ କରିବା ସହ ସ୍ଥାନୀୟ କମାଣ୍ଡରସ୍ତରୀୟ ଫ୍ଲାଗ ବୈଠକ କରି ବିବାଦର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କଥା ହୋଇଛି। ଉଲ୍ଲେଖଯୋଗ୍ୟ ଯେ ପବିତ୍ର ରମଜାନ ମାସରେ ଭାରତୀୟ ସେନା ସମ୍ପୂର୍ଣ୍ଣ ଶାନ୍ତି ଓ ଅସ୍ତ୍ରବିରତି ନୀତି ଅବଲମ୍ବନ କରିଛି। ଅପରପକ୍ଷରେ ପାକିସ୍ତାନ ସୈନ୍ୟ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ସୀମାରେ ଗୁଳିଗୋଳା ମାଡ଼ କରିଛି। ପ୍ରତିଜବାବରେ ଭାରତ ସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେନାର ଅଦ୍ଭୁତପୂର୍ବ କ୍ଷତି ଘଟିଛି। ପାକିସ୍ତାନ ସୈନ୍ୟଙ୍କ ଗୁଳି ମାଡ଼ରେ ଗତ ବୁଧବାର ଜାମ୍ମୁ କାଶ୍ମୀର ସୀମାର ପୃଥକ ସ୍ଥାନରେ ୪ ଜଣ ପ୍ରାଣ ହରାଇଥିଲେ ଓ ୨୦ ଲୋକ ଆହତ ହୋଇଥିଲେ। ପାକିସ୍ତାନ ସୈନ୍ୟ ଜାମ୍ମୁ କାଶ୍ମୀରର ସାମ୍ବା, ଜାମ୍ମୁ ଏବଂ କଠୁଆ ଅନ୍ତର୍ଜାତୀୟ ସୀମାରେ ଥିବା ଭାରତୀୟ ସେନା ଶିବିର ଓ ପୁଲିସ୍‍ ଥାନାକୁ ଲକ୍ଷ୍ୟ କରି ଗୁଳି ଓ ମୋର୍ଟାର ମାଡ଼ କରିଥିଲେ। ଏହାପୂର୍ବରୁ ରବିବାର ଭାରତ ସେନା ଗୁଳିରେ ଜଣେ ପାକିସ୍ତାନ ରେଞ୍ଜର୍ସ ପ୍ରାଣ ହରାଇଥିଲେ ଓ ତାଙ୍କର କେତେକ ବଙ୍କର ନଷ୍ଟ ହୋଇଥିଲା। ଶେଷରେ ଡିଜିଏମ୍‍ଓସ୍ତାରୀୟ ବୈଠକରେ ଉଭୟ ପକ୍ଷ ଶାନ୍ତି ପାଇଁ ସହମତ ହୋଇଛନ୍ତି।

Leave A Reply