www.samajalive.in
Monday, December 15, 2025
16.1 C
Bhubaneswar

ତରୁର ମନେପକାଇଲେ ଇତିହାସ : ‘ଇଣ୍ଡିଆ’କୁ ବିରୋଧ କରିଥିଲେ ଜିନ୍ନା ; ବିତର୍କ ତୁଟାଇଥିଲେ ଆମ୍ବେଦକର

ନୂଆଦିଲ୍ଲୀ : ଇଣ୍ଡିଆ-ଭାରତ ବିବାଦ ଥମିବା ପରିବର୍ତ୍ତେ ଇତିହାସକୁ ଘାଣ୍ଟିବା ଉଦ୍ୟମ ଆରମ୍ଭ ହୋଇଛି। ‘ବର୍ଷ ବର୍ଷ ଧରି ତିଆରି ହୋଇଥିବା ବ୍ରାଣ୍ଡ ଇଣ୍ଡିଆର ନାମ ପରିବର୍ତ୍ତନ ଦ୍ବାରା ସରକାର ବୋକାମି କରିବେ ନାହିଁ; ତେବେ ସମ୍ବିଧାନ ମତେ ଇଣ୍ଡିଆ ବଦଳରେ କେହି ଭାରତ ସମ୍ବୋଧନ କଲେ କିଛି ଆପତ୍ତି ନାହିଁ’ ବୋଲି ମଙ୍ଗଳବାର ମତ ଦେଇଥିବା ବିଶିଷ୍ଟ ଲେଖକ ତଥା କଂଗ୍ରେସ ସାଂସଦ ଶଶି ତରୁର ବୁଧବାର ଇତିହାସକୁ ଅଧିକ ଉଖାଡ଼ିଛନ୍ତି। ସମ୍ବିଧାନ ପ୍ରଣେତା ତଥା ତତ୍କାଳୀନ ଆଇନ ମନ୍ତ୍ରୀ ଡଃ ଆମ୍ବେଦକର ୭୪ ବର୍ଷ ପୂର୍ବେ, ୧୯୪୯ ସେପ୍ଟେମ୍ବର ୧୭ରେ ଇଣ୍ଡିଆ-ଭାରତ ବିତର୍କର ଅନ୍ତ ଶେଷ ମୁହୂର୍ତ୍ତରେ ଘଟାଇଥିଲେ ଏବଂ ସମ୍ବିଧାନର ଧାରା-୧ରେ ‘ଇଣ୍ଡିଆ, ଦ୍ୟାଟ୍‌ ଇଜ୍‌ ଭାରତ…’ ଲେଖିବାକୁ ପ୍ରସ୍ତାବ ଦେଇଥିଲେ। ଠିକ୍‌ ପରଦିନ ଏହା ସମ୍ବିଧାନ ସଭାରେ ଗୃହୀତ ହୋଇଥିଲା। ଦୀର୍ଘ ୭ ଦଶନ୍ଧି ପରେ ପୁଣି ଏହି ବିବାଦ ଆରମ୍ଭ ହେବା ପରିତାପର ବିଷୟ ବୋଲି ତରୁର ମତ ଦେଇଛନ୍ତି। ସେତେବେଳେ ଦେଶର ନାମ, ହିନ୍ଦୁସ୍ଥାନ, ଭାରତବର୍ଷ, ଭାରତଭୂମି, ହିନ୍ଦ୍‌ ଆଦି ରଖାଯିବା ପାଇଁ ପ୍ରସ୍ତାବ ଆସିଥିଲା। ଭାରତ ପୁରୁଣା ନାମ ଥିବାରୁ ଏକ ନବଜାତ ଶିଶୁର ନୂଆ ନାମକରଣ ନ୍ୟାୟରେ ‘ଇଣ୍ଡିଆ’ ବଛା ଯାଇଥିଲା। ସେତେବେଳେ ‘ଇନ୍‌କିଲାବ୍‌ ଜିନ୍ଦାବାଦ’ ସ୍ଲୋଗାନ୍‌ର ପ୍ରବକ୍ତା ସାମ୍ୟବାଦୀ ନେତା ମୌଲାନା ହସ୍‌ରତ ମୋହାନି ଏପରି ନାମକରଣରୁ ଦୂରେଇ ଯାଇ ‘ୟୁନିୟନ୍‌ ଅଫ୍‌ ଷ୍ଟେଟ୍ସ’ ଲେଖାର ପ୍ରତିବାଦ କରିଥିଲେ। ସେ ସମସ୍ତ ରାଜ୍ୟକୁ ସ୍ବୟଂଶାସିତ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ଗୃହୀତ ନହେବା ନେଇ ସେ ଜବାହରଲାଲ​‌େ‌ନହେରୁ ଓ ଆମ୍ବେଦକରଙ୍କୁ ସମାଲୋଚନା କରିଥିଲେ। କମଳାପତି ତ୍ରିପାଠୀ ‘ଇଣ୍ଡିଆ, ଦ୍ୟାଟ୍‌ ଇଜ୍‌ ଭାରତ’ ବଦଳରେ ‘ଭାରତ, ଦ୍ୟାଟ୍‌ ଇଜ୍‌ ଇଣ୍ଡିଆ’ ଲେଖିବାକୁ ପ୍ରସ୍ତାବ ଦେଇଥିଲେ। ସେ ଦେଶର ନାମ ଭାରତ ରଖିବାକୁ ନିବେଦନ କରିଥିଲେ। ନାମକରଣ ଉପରେ ମତଦାନବେଳେ ଅନେକ ପ୍ରସ୍ତାବ କାଟ ଖାଇଯାଇଥିଲା।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ମହମ୍ମଦ ଅଲ୍ଲି ଜିନ୍ନା ‘ଇଣ୍ଡିଆ’ ନାମକରଣକୁ ବିରୋଧ କରିଥିଲେ। ‘ବ୍ରିଟିଶ ଶାସକଠାରୁ ଉତ୍ତରାଧିକାର ସୂତ୍ରରେ ଆମେ ଦେଶକୁ ପାଇଥିବାବେଳେ ପାକିସ୍ତାନ ଏକ ବଳକା ରାଷ୍ଟ୍ର ଭାବେ ବିବେଚିତ ହେବ’ ବୋଲି ସେ ମତ ଦେଇଥିବା ତରୁର କହିଛନ୍ତି। ଏବେ ବିଜେପି ସରକାର ଜିନ୍ନାଙ୍କ ମତକୁ ପ୍ରାଧାନ୍ୟ ଦେଉଥିବା ସେ କହିଛନ୍ତି। ‘ଭାରତ’ ହେଉଛି ଗୋଟିଏ ଦୁୁଇଟି ସରକାରୀ ନାମ ମଧ୍ୟରୁ ଗୋଟିଏ। ଏହାର ବ୍ୟବହାର ନେଇ କୌଣସି ସାମ୍ବାଧାନିକ ଆପତ୍ତି ନାହିଁ। ଭାରତ ବିଶ୍ବ ତମାମ ଏକ ପରିଚିତ ନାମ; ତେଣୁ ସରକାର ଓ ଦେଶବାସୀ ଦୁଇଟି ନାମ ବ୍ୟବହାର କରିବାରେ ସମସ୍ୟା ନାହିଁ ବୋଲି ସେ ମତ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କର ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି; ଯେଉଁଥିରେ ସେ ଭାରତ ଓ ଇଣ୍ଡିଆ ମଧ୍ୟରେ ପାର୍ଥକ୍ୟ ଦର୍ଶାଉଛନ୍ତି। ଲିମ୍ବ କାଠିରେ ଦାନ୍ତ ଘଷୁଥିବାବେଳେ ଲାଲୁ କହୁଛନ୍ତି, ‘ପାର୍ଥକ୍ୟ ଉଲ୍ଲେଖ କରିବା କଷ୍ଟକର; ତେବେ ବୁଝିବାକୁ ହେବ ଯେ ଦିଲ୍ଲୀ ଇଣ୍ଡିଆ ଅଧୀନରେ ଆସୁଥିବାବେଳେ ପାଟନା ଭାରତରେ ଅଛି।’ ଉଲ୍ଲେଖଯୋଗ୍ୟ ଯେ ୧୯୪୬ ଡିସେମ୍ବର ୯ରୁ ସମ୍ବିଧାନ ସଭାର ବୈଠକ ଆରମ୍ଭ ହୋଇଥିଲା ଏବଂ ୨ବର୍ଷ ୧୧ମାସ ମଧ୍ୟରେ ୧୧ଟି ଅଧିବେଶନରେ ୧୬୬ ଦିନ ଧରି ବିତର୍କ ହୋଇଥିଲା। ୧୯୪୯ ସେପ୍ଟେମ୍ବର ୧୮ରେ ଏହା ଚୂଡ଼ାନ୍ତ ହୋଇଥିଲା। ଭାରତୀୟ ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ତରୁରଙ୍କ ଲିଖିତ ଏକ ପୁସ୍ତକ ନିକଟରେ ପ୍ରକାଶ ପାଇଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories