ଇମ୍ଫା ତରଫରୁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟିତ

ଚୌଦ୍ୱାର :  ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଓ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ଗ୍ରାମରେ ଅନେକ ଜନ କଲ୍ୟାଣ ପ୍ରକଳ୍ପର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଙ୍ଗରାଜପୁର ପଞ୍ଚାୟତ ଅଧିନ ବେରେଣା ଗ୍ରାମରେ ନିର୍ମିତ ଗୋଷ୍ଠୀ କେନ୍ଦ୍ର, ଶଙ୍କରପୁର ଠାରେ ନିର୍ମିତ ଏକ ଗୋଷ୍ଠୀ ଶୌଚାଳୟ ଏବଂ ଏକ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉଦ୍ଘାଟନ କରିଥିଲେ। ଏଥି ସହିତ ମହିସାଲଣ୍ଡା ପଞ୍ଚାୟତର ଆଦିବାସୀ ଅଧ୍ୟୁସିତ ଆମ୍ବିଳିଝରୀ ଗ୍ରାମର ଅଧିବାସୀ ମାନଙ୍କୁ ୩୦୦ ବିଶୋଧିତ ମଶାରୀ ବିତରଣ କରିଥିଲେ। ଇମ୍ଫାର ଉପ ସଭାପତି ବିନୟ କୁମାର ଅଗ୍ରଓ୍ବାଲାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଜେଡ଼ି ନେତା ସେକ୍ ସାହାଜାନ୍, ଜିଲା ପରିଷଦ ସଦସ୍ୟ ବିଶ୍ୱଜିତ ପ୍ରଧାନ, ମଙ୍ଗରାଜପୁର ସରପଞ୍ଚ ଦେବେନ୍ଦ୍ର କୁମାର ପାଣ୍ଡବ, ସମିତି ସଭ୍ୟା ମମତା ସାମାଡ଼, ଶଙ୍କରପୁର ସରପଞ୍ଚ ପ୍ରମୋଦିନୀ ଖଟୁଆ, ସମିତି ସଭ୍ୟ ସୁକାନ୍ତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟଯେ, ଆଦିବାସୀ ଅଧ୍ୟୁଷିତ ଆମ୍ବିଳିଝରୀ ଗ୍ରାମରେ ମଶା ଉପଦ୍ରବ ବୃଦ୍ଧି ପାଇବା ଓ ଜାପାନୀ ଏନ୍ସିଫାଲାଟିସ୍ ରୋଗରେ ଜଣେ ଆଦିବାସୀଙ୍କ ମୃତ୍ୟୁ ଘଟିଥିବା ହେତୁ ଇମ୍ଫା ତରଫରୁ ଅଞ୍ଚଳର ସମସ୍ତ ବସ୍ତିରେ ବାରମ୍ବାର ମଶାତେଲ ପକାଯିବା ଓ ମଶାଧୁଆଁ ପ୍ରୟୋଗ ସହିତ ବସ୍ତି ଗୁଡ଼ିକୁ ବିଶୋଧନ କରା ଯାଇଥିବାରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଇମ୍ଫାର ଏତାଦୃଶ ଜନହୀତକର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଇମ୍ଫାର ଜିଏମଜିଏସ୍.ପି ରାଓ, ସିନିୟର ମ୍ୟାନେଜର ମାନସ ରଞ୍ଜନ ପ୍ରଧାନ, ବିଆଇପିଏଫର ଚୌଦ୍ୱାର ଶାଖା ମୁଖ୍ୟ ଆଶୀଷ ଦାସଙ୍କ ସମେତ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଇମ୍ଫା ଲୋକ ସମ୍ପର୍କ ଉପ ସାଧାରଣ ପ୍ରଶାସକ ଧ୍ରୁବ ଚରଣ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.