BJD Bijuli 480×75 Mob

ଆଇଆଇଟିରେ ଖାଲି ଆସନ ସଂଖ୍ୟା ବୃଦ୍ଧି

BJD Bijuli 480×75 Mob
0

ନୂଆଦିଲ୍ଲୀ : ଭାରତୀୟ ପ୍ରାଦ୍ୟୋଗିକ ଶିକ୍ଷାନୁଷ୍ଠାନ (ଆଇଆଇଟି) ଗୁଡିକରେ ବହୁ ସଂଖ୍ୟାକ ଆସନ ଖାଲିପଡୁଥିବା ଜଣାପଡିଛି। ସମଗ୍ର ଦେଶରେ ଥିବା ୨୩ଟି ଆଇଆଇଟିରେ ଥିବା ପ୍ରାୟ ୧୧,୦୦୦ଟି ଆସନ ମଧ୍ୟରୁ ବିଗତ ୫ ବର୍ଷ ମଧ୍ୟରେ ୨୭୪ଟି ଆସନ ଖାଲି ରହିଛି। ଆଇଆଇଟି-ବିଏଚ୍‌ୟୁ (ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ)ରେ ସର୍ବାଧିକ ଆସନ ଖାଲିପଡିଛି ବୋଲି ମାନବ ସମ୍ବଳ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟି ଏହାର ରିପୋର୍ଟରେ ଦର୍ଶାଇଛି।
ମନ୍ତ୍ରଣାଳୟ ନିକଟରେ ଥିବା ତଥ୍ୟ ମୁତାବକ, ୨୦୧୩ ପରଠାରୁ ଏହି ଶିକ୍ଷାନୁଷ୍ଠାନଗୁଡିକରେ ଖାଲି ଆସନ ସଂଖ୍ୟା ବୃଦ୍ଧି ପାଇଆସୁଛି। ଅବଶ୍ୟ ୨୦୧୪ରେ ଏହି ସଂଖ୍ୟା ବେଶୀ ନ ଥିଲା। ତଥାପି ଆଇଆଇଟି, ଏନ୍‌ଆଇଟି ଏବଂ ସିଏଫ୍‌ଟିଆଇ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନରେ ନାମଲେଖାକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ଲାଗି ମନ୍ତ୍ରଣାଳୟ ପକ୍ଷରୁ ଏହି କମିଟି ଗଠନ କରାଯାଇଥିଲା। ୨୦୧୮ ପ୍ରାରମ୍ଭରେ କମିଟି ଏହାର ରିପୋର୍ଟ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲା। ଏଥିଅନୁଯାୟୀ, ୨୦୧୩ରେ ୧୫ଟି, ୨୦୧୪ରେ ୫ଟି, ୨୦୧୫ରେ ୩୯ଟି, ୨୦୧୬ରେ ୯୬ଟି ଏବଂ ୨୦୧୭ରେ ୧୨୧ଟି ଆସନ ଖାଲିପଡିଥିଲା। ଅନ୍ୟ ଆଇଆଇଟି ତୁଳନାରେ ଆଇଆଇଟି-ବିଏଚ୍‌ୟୁରେ ନାମଲେଖା ଢିଲା ପଡିଥିଲା। ଏଠାରେ ୨୦୧୭ରେ ୩୨ଟି, ୨୦୧୬ରେ ୩୮ଟି, ୨୦୧୫ରେ ୨୮ଟି, ୨୦୧୪ରେ ୩ଟି ଏବଂ ୨୦୧୩ରେ ୪ଟି ଆସନ ଖାଲି ରହିଥିଲା। ୨୦୧୬ରେ ଆଇଆଇଟି ମାନ୍ୟତା ଲାଭ କରିଥିବା ଭାରତୀୟ ଖଣି ବିଦ୍ୟାଳୟରେ ୨୦୧୬ ଓ ୨୦୧୭ରେ ୨୩ଟି ଲେଖାଏଁ ଆସନ ଖାଲିଥିଲା। ଏହି ୫ ବର୍ଷ ମଧ୍ୟରେ ଆଇଆଇଟି କାନପୁର ଏବଂ ଆଇଆଇଟି ହାଇଦ୍ରାବାଦ୍‌ର ସମସ୍ତ ଆସନ ପୂରଣ ହୋଇଛି। କିନ୍ତୁ ଆଇଆଇଟି ଦିଲ୍ଲୀରେ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ସବୁ ଆସନରେ ନାମ ଲେଖାହୋଇଥିଲା। ମାତ୍ର ୨୦୧୬ ଏବଂ ୨୦୧୭ରେ ଏଠାରେ ଦୁଇଟି ଲେଖାଏଁ ଆସନ ଖାଲିଥିଲା। ଆଇଆଇଟି-ମୁମ୍ବଇରେ ୨୦୧୬ରେ ଦୁଇଟି ଏବଂ ୨୦୧୭ରେ ଗୋଟିଏ ଆସନ ଖାଲି ରହିଥିଲା। ନିଯୁକ୍ତି ସୁଯୋଗ, ଜାତୀୟ ଆବଶ୍ୟକତା, ଉପଲବ୍ଧ ଭିତ୍ତିଭୂମି ଏବଂ ଭବିଷ୍ୟତ ଗଠନର ସୁଯୋଗକୁ ଦୃଷ୍ଟିରେ ରଖି ଏହି ଶିକ୍ଷାନୁଷ୍ଠାନଗୁଡିକର ଆସନ ସଂଖ୍ୟା ପୁନଃ ସମୀକ୍ଷା କରିବାକୁ କମିଟି ସୁପାରିସ କରିଛି। ଏକାଧିକ ଥର କାଉନ୍‌ସିଲିଂ କରିବା ସହିତ ଛାତ୍ରଛାତ୍ରୀଙ୍କୁ ନାମ ଲେଖା ସମ୍ବନ୍ଧୀୟ ନିଷ୍ପତ୍ତି ନେବାରେ ସହଯୋଗ କରିବା ନିମନ୍ତେ ହେଲପଲାଇନ୍‌ ଖୋଲିବାକୁ ମଧ୍ୟ କମିଟି ସୁପାରିସ କରିଥିବା ଅଧିକାରୀ ଜଣକ କହିଛନ୍ତି। ତେବେ ନିଯୁକ୍ତି ସୁଯୋଗ ସମୀକ୍ଷା କରିବା ପରେ ନୂତନ ପାଠ୍ୟକ୍ରମ ପ୍ରଚଳନ କରାଯିବ। ଆବଶ୍ୟକ ହେଲେ ଏହି ପ୍ରତିଷ୍ଠାନଗୁଡିକର କିଛି ବିଭାଗକୁ ବନ୍ଦ କରାଯିବ ଅଥବା ଅଟକାଇ ରଖାଯିବ ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

Leave A Reply