ଗୋଆ କହିଲେ ମନକୁ ଆସେ ସମୁଦ୍ର କୂଳ, ପର୍ଯ୍ୟଟନ ଏବଂ ମଉଜ-ମସ୍ତିର ଏକ ଚିତ୍ର; କିନ୍ତୁ ନିକଟରେ ସେଠାରେ ସ୍ଥାପିତ ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଗୋଆର ଏକ ଭିନ୍ନ ପରିଚୟକୁ ସାମ୍ନାକୁ ଆଣିଛି। ଏହା କେବଳ ଧାତୁରେ ନିର୍ମିତ ଏକ ଉଚ୍ଚ ମୂର୍ତ୍ତି ନୁହେଁ, ବରଂ ଏହା ବଦଳୁଥିବା ଭାରତର ଏକ ନୂତନ ଚିତ୍ର। ପର୍ଯ୍ୟଟନର ଚାକଚକ୍ୟ ତଳେ ଗୋଆର ଯେଉଁ ପ୍ରାଚୀନ ଧାର୍ମିକ ପରମ୍ପରା ରହିଛି, ଏହି ମୂର୍ତ୍ତି ତାହାର ଏକ ପ୍ରତୀକ। ଗୋଆର ପ୍ରସିଦ୍ଧ ‘ପର୍ତ୍ତଗାଲି ମଠ’ ନିଜର ୫୫୦ ତମ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଏହି ବିଶାଳ ମୂର୍ତ୍ତିର ସ୍ଥାପନ ସାଂସ୍କୃତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ଏହି ଅବସରରେ ମୂର୍ତ୍ତି ସହ ମଠ ଦ୍ୱାରା ନିର୍ମିତ ‘ରାମାୟଣ ଥିମ୍ ପାର୍କ’ର ମଧ୍ୟ ଉଦ୍ଘାଟନ କରିଛନ୍ତି। ଶହ ଶହ ବର୍ଷ ଧରି ବିଦେଶୀ ଶାସନ ସତ୍ତ୍ୱେ ଗୋଆର ମଠ ଓ ମନ୍ଦିରଗୁଡ଼ିକ ନିଜର ସଂସ୍କୃତି, ଭାଷା ଓ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି।
ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ, ଏହା ବର୍ତ୍ତମାନର ସରକାରଙ୍କ ସାଂସ୍କୃତିକ ପୁନରୁତ୍ଥାନ ଯୋଜନାର ଏକ ଅଂଶ। ଅଯୋଧ୍ୟା, କାଶୀ ଏବଂ ଉଜ୍ଜୟିନୀ ଭଳି ଗୋଆ ମଧ୍ୟ ଏହି ଧାର୍ମିକ ମାନଚିତ୍ରରେ ଯୋଡ଼ି ହୋଇଛି। ଅନେକ ଲୋକ ଏହାକୁ ସ୍ୱାଗତ କରୁଛନ୍ତି କାରଣ ସେମାନଙ୍କ ମତରେ ଦୀର୍ଘ ଦିନ ଧରି ଦେଶର ‘ଆଧୁନିକ’ ବିକାଶ ନାମରେ ନିଜସ୍ୱ ସଂସ୍କୃତିକୁ ଉପେକ୍ଷା କରାଯାଉଥିଲା। ତେବେ, ଏହି ଉତ୍ସାହ ଭିତରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ମଧ୍ୟ ରହିଛି। ଯେତେବେଳେ ଧର୍ମ ଏବଂ ରାଜନୀତି ମିଶିଯାଏ, ସେତେବେଳେ ଆଧ୍ୟାତ୍ମିକତା ଅପେକ୍ଷା ପ୍ରଚାର ଅଧିକ ହୁଏ। ଶ୍ରୀରାମ ହେଉଛନ୍ତି ‘ମର୍ଯ୍ୟାଦା ପୁରୁଷୋତ୍ତମ’, ଯିଏ ସମାଜକୁ ଯୋଡ଼ନ୍ତି; କିନ୍ତୁ ଆଜି ଯଦି ତାଙ୍କୁ କେବଳ ଭୋଟ୍ ବ୍ୟାଙ୍କ କିମ୍ବା ରାଜନୈତିକ ଶକ୍ତି ପ୍ରଦର୍ଶନର ମାଧ୍ୟମ କରାଯାଏ, ତେବେ ତାହା ଚିନ୍ତାର ବିଷୟ। ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଦ୍ବାରା ଗୋଆବାସୀ, ଓ ପର୍ଯ୍ୟଟକ ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ୍।
ଏହା ସତ୍ୟ ଯେ, ମୂର୍ତ୍ତି ସ୍ଥାପନ ଧର୍ମ ନୁହେଁ। ପ୍ରକୃତ ଧର୍ମ ହେଉଛି ‘ଲୋକ କଲ୍ୟାଣ’। ରାମ କେବଳ ଏକ ମୂର୍ତ୍ତି ନୁହନ୍ତି, ସେ ଏକ ଆଦର୍ଶ। ତେଣୁ ରାମଙ୍କର ବିଶାଳ ମୂର୍ତ୍ତି ସ୍ଥାପନ କରିଦେଲେ ଦାୟିତ୍ୱ ସରିଯିବ ନାହିଁ। ପ୍ରଶାସନର ପ୍ରକୃତ ଲକ୍ଷ୍ୟ ‘ରାମରାଜ୍ୟ’ ହେବା ଉଚିତ। ରାମରାଜ୍ୟର ଅର୍ଥ ହେଉଛି- ସମତା, ନ୍ୟାୟ ଏବଂ ଲୋକ କଲ୍ୟାଣ। ଯେଉଁ ଉତ୍ସାହରେ ମୂର୍ତ୍ତି ନିର୍ମାଣ ହେଉଛି, ସେହି ଉତ୍ସାହରେ ଗୋଆର ଗରିବ ମତ୍ସ୍ୟଜୀବୀଙ୍କ ଜୀବିକା, ବେକାର ଯୁବକଙ୍କୁ ନିଯୁକ୍ତି ଏବଂ ଗୋଆର ପରିବେଶ ସୁରକ୍ଷା ପାଇଁ କାମ ହେବା ଜରୁରୀ।
ଶେଷରେ ଏତିକି କୁହାଯାଇପାରେ ଯେ, ଗୋଆର ଏହି ମୂର୍ତ୍ତି ପ୍ରଶାସନ ପାଇଁ ଏକ ସୁଯୋଗ ଏବଂ ଚେତାବନୀ ମଧ୍ୟ। ସୁଯୋଗ ଏଥିପାଇଁ ଯେ, ସରକାର ମୂଳ ସଂସ୍କୃତି ସହ ପୁଣି ଦେଶକୁ ଓ ଜନସାଧାରଣଙ୍କୁ ଯୋଡ଼ିବାକୁ ସମର୍ଥ େହଉଛନ୍ତି; କିନ୍ତୁ ଚେତାବନୀ ହେଉଛି ଯେ, ଯଦି ଧର୍ମକୁ କେବଳ ଦଳୀୟ ରଙ୍ଗରେ ରଙ୍ଗାଯାଏ, ତେବେ ସାମାଜିକ ଏକତା ନଷ୍ଟ ହୋଇପାରେ। ସବୁଠାରୁ ଉଚ୍ଚ ମୂର୍ତ୍ତିର ମହତ୍ତ୍ୱ ସେତିକିବେଳେ ରହିବ, ଯେତେବେଳେ ସମାଜର ସବୁଠାରୁ ତଳ ସ୍ତରରେ ଥିବା ମଣିଷଟିଏ ତା’ର ଛାଇ ତଳେ ସୁରକ୍ଷିତ ଏବଂ ସମ୍ମାନର ସହ ବଞ୍ଚିପାରିବ।



