ଟି୨୦ ବିଶ୍ବ ଚମ୍ପିଆନ୍‌ ଭାରତୀୟ ଦଳକୁ ବିସିସିଆଇର ଅର୍ଥ ପୁରସ୍କାର

ନୂଆଦିଲ୍ଲୀ: ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ୧୭ ବର୍ଷ ପରେ ଭାରତ ଟ୍ବେଣ୍ଟି୨୦ ବିଶ୍ବ ଚମ୍ପିଆନ୍‌ ହୋଇଛି। ଦଳର ଏହି କୃତିତ୍ବ ପାଇଁ ଭାରତୀୟ ଦଳ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ବିସିସିଆଇ। ତେବେ ଏହି ୧୨୫ କୋଟି ଟଙ୍କାରୁ କିଏ କେତେ ଟଙ୍କା ପୁରସ୍କାର ପାଇଲେ; ତାଙ୍କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଛି। ୧୫ ଜଣିଆ ଭାରତୀୟ ଦଳର ଖେଳାଳିଙ୍କ ମଧ୍ୟରୁ ପୂରା ଟୁର୍ଣ୍ଣାମେଣ୍ଟରେ ୩ ଜଣ- ସଞ୍ଜୁ ସାମ୍‌ସନ, ଯଶସ୍ବୀ ଜୟସୱାଲ ଓ ୟୁଜବେନ୍ଦ୍ର ଚହଲ କୌଣସି ମାଚ୍‌ ଖେଳିନଥିଲେ। ତେବେ ଜଣାପଡ଼ିଛି ଯେ ସମସ୍ତ ମ୍ୟାଚ୍‌ ଖେଳିଥିବା ଖେଳାଳି ଯେତିକି ଅର୍ଥ ପାଇବେ; ଆଦୌ ଖେଳିନଥିବା ଉପରୋକ୍ତ ୩ ଜଣ ପୁରସ୍କାର ଅର୍ଥରୁ ସେତିକି ପାଇବେ।
ବିସିସିଆଇ ମଧ୍ୟସ୍ଥ ସୂତ୍ର ଅନୁସାରେ, ଚମ୍ପିଆନ୍ ଭାରତୀୟ ଦଳର ୧୫ ଜଣ​‌ ଖେଳାଳି ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ସମାନ ୫ କୋଟି ଟଙ୍କା ଲେଖାଏଁ ପାଇବେ। ଦଳର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର, ବୋଲିଂ ପ୍ରଶିକ୍ଷକ ପାରସ ମାହ୍‌ମ୍ବ୍ରେ ଓ ଫିଲ୍‌ଡିଂ ପ୍ରଶିକ୍ଷକ ଟି. ଦିଲୀପ ୨.୫ କୋଟି ଟଙ୍କା ଲେଖାଏଁ ପାଇବେ। ପୁଣି ଦଳର ୪ ଜଣ ଅତିରିକ୍ତ ଖେଳାଳି ରିଙ୍କୁ ସିଂହ, ଆଭେସ୍ ଖାଁ, ଶୁବ୍‌ମାନ ଗିଲ୍‌ ଓ ଖଲିଲ ଅହମ୍ମଦ ୧ କୋଟି ଟଙ୍କା ଲେଖାଏଁ ପାଇବେ। ପୁଣି ଜାତୀୟ ବରିଷ୍ଠ ମନୋନୟନ କମିଟିର ୫ ସଦସ୍ୟ ମଧ୍ୟ ୧ କୋଟି ଟଙ୍କା ଲେଖାଏଁ ପାଇବେ। ଏହାସହ ଦଳରେ ୯ ଜଣ ସପୋର୍ଟ ଷ୍ଟାଫ୍ (ଫିଜିଓଥରୋପିଷ୍ଟ, ଥ୍ରୋଡାଉନ୍ ବିଶେଷଜ୍ଞ, ମାଲିସ୍ ବାଲା, ଶାରୀରିକ ପ୍ରଶିକ୍ଷକ ପ୍ରଭୃତି) ୨ କୋଟି ଟଙ୍କା ଲେଖାଏଁ ପାଇବେ। ପୁଣି ଭାରତୀୟ ଦଳ ସହ ଥିବା ଭିଡିଓ ଆନାଲିଷ୍ଟ ଏବଂ ବିସିସିଆଇ କର୍ମଚାରୀ ମଧ୍ୟ ପୁରସ୍କାର ରାଶିରୁ କିଛି ପାଇବେ। ହେଲେ ଏମାନେ କେତେ ପାଇବେ; ତାହା ସ୍ପଷ୍ଟ ହୋଇନାହିଁ।

Comments are closed.