ମହିଳା ଟି-୨୦ ବିଶ୍ବକପ୍‌ : ୨ୟ ବିଜୟ ସହ ସେମିର ନିକଟତର ଭାରତ

ଇଣ୍ଡିଜ୍‌ର କ୍ରମାଗତ ୨ୟ ପରାଜୟ

କେପ୍‌ଟାଉନ୍‌ : ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ କ୍ରମାଗତ ୨ୟ ବିଜୟ ହାସଲ କରିଛି । ଫଳରେ ଗତଥରର ରନର୍ସଅପ୍‌ ଭାରତ ସେମିଫାଇନାଲ ଖେଳିବାର ନିକଟତର ହୋଇଛି । ବୁଧବାର ଖେଳା ଯାଇଥିବା ଗ୍ରୁପ୍‌-୨ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ସହଜରେ ୬ ୱିକେଟରେ ଭାରତ ପରାସ୍ତ କରିଛି । ଷ୍ଟିଫାନି ଟେଲରଙ୍କ ୪୨ ରନ୍‌ ସତ୍ତ୍ବେ ଦୀପ୍ତି ଶର୍ମା ୩ଟି ୱିକେଟ ନେବାରୁ ପ୍ରଥମେ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍‌ ୬ ୱିକେଟ୍‌ରେ ୧୧୮ ରନ୍‌ କରିଥିଲା । ପରେ ହରମନପ୍ରୀତ ସିଂହ ଓ ରିଚା ଷୋଷ ୭୨ ରନ୍‌ର ଭାଗିଦାରୀ କରିବାରୁ ୧୧ଟି ବଲ୍‌ ବାକିଥାଇ ୪ ୱିକେଟ ହରାଇ ଭାରତ ଜିତିଥିଲା। ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ୨ଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି । ଭାରତ ପ୍ରଥମ ୨ଟିଯାକ ମ୍ୟାଚ୍‌ ଜିତି ଗ୍ରୁପ୍‌ର ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହିବାର ସମ୍ଭାବନା ସୃଷ୍ଟି କରିଛି ।
ଭାରତର ଦୃଢ଼ତାର ସହ ୧୧୯ ରନ୍‌ ବିଜୟ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା । ମାତ୍ର ୨୦ ବଲ୍‌ରୁ ଭାରତୀୟ ଓପ୍‌ନର ୩୨ ରନ୍‌ କରିଥିଲେ। ଫିଟ୍‌ହୋଇ ଦଳକୁ ଫେରିଥିବା ତାରକା ଓପ୍‌ନର ସ୍ମୃତି ମାନ୍ଧାନା ୧୦ ରନ୍‌ କରିଥିଲେ। ଭାରତକୁ ପ୍ରଥମ ମ୍ୟାଚ୍‌ ଜିତାଇଥିବା ଜେମିମା ରଡ୍ରିଗ୍ବେ‌ଜ୍‌ ୧ ରନ୍‌କରି ଆଉଟ୍‌ ହୋଇଥିଲେ। ଶେଫାଳି ବର୍ମା ୨୩ ବଲ୍‌ରୁ ୫ଟି ଚୌକା ସହ ୨୮ ରନ୍‌ର ଦର୍ଶନୀୟ ଇନିଂସ ଖେଳି ଆଉଟ୍‌ ହୋଇଥିଲେ । ୪୩ ରନ୍‌ରେ ଭାରତ ୩ଟି ୱିକେଟ ହରାଇଥିବା ବେଳେ ଅଧିନାୟକ ହରମନପ୍ରୀତ ଓ ଫର୍ମରେ ଥିବା ରିଚା ଘୋଷ ଚମତ୍କାର ବ୍ୟାଟିଂ କରିଥିଲେ। ହରମନପ୍ରୀତ ଜଗିରଖି ଖେଳିଥିବା ବେଳେ ରିଚା ଚିରାଚରିତ ଭାବେ ଆକ୍ରମଣ କରିଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୧୦.୪ ଓଭରରୁ ୭୨ ରନ୍‌ ଯୋଗକରି ଭାରତର ବିଜୟ ନିଶ୍ଚିତ କରିଥିଲେ। ହରମନପ୍ରୀତ ୪୨ ବଲ୍‌ରୁ ୩ଟି ଚୌକା ସହ ୩୩ ରନ୍‌ କରିଥିଲେ। ରିଚା ୩୨ ବଲ୍‌ରୁ ୫ଟି ଚୌକା ସହ ୪୪ ରନ୍‌କରି ଅପରାଜିତ ଥିଲେ। କରିସ୍ମା ରାମ୍‌ହାରାକ୍ ୨ଟି ୱିକେଟ ନେଇଥିଲେ। ସଫଳ ବୋଲିଂ ପାଇଁ ଦୀପ୍ତି ଶର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ୱେଷ୍ଟଇଣ୍ଡିଜ୍‌ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିବା ବେଳେ ଭାରତ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ବୁଧବାରର ମ୍ୟାଚ୍‌ରେ ଟସ୍ ଜିତି ୱେ​‌ଷ୍ଟଇଣ୍ଡିଜ୍‌ ବ୍ୟାଟିଂ ନେବା ପରେ ପୂଜା ବସ୍ତ୍ରାକର ତାଙ୍କ ପ୍ରଥମ ବଲ୍‌ରେ ୱେଷ୍ଟଇଣ୍ଡିଜ୍‌ ଅଧିନାୟକ ହେଲି ମାଥ୍ୟୁସ୍‌ (୨)ଙ୍କୁ ଆଉଟ୍‌ କରି ଦେଇଥିଲେ । ପରେ ଅଭିଜ୍ଞ ଷ୍ଟିଫାନି ଟେଲର ଓ ସେମେନ୍‌ କ୍ୟାମ୍ପବେଲେ ୧୨ ଓଭର କ୍ରିଜ୍‌ରେ ରହି ୨ୟ ୱିକେଟ ପାଇଁ ୭୩ ରନ୍‌ ଯୋଗ କରିଥିଲେ। କ୍ୟାମ୍ପବେଲେ ୩୬ ବଲ୍‌ରୁ ୩ଟି ଚୌକା ସହ ୩୦ ରନ୍‌ କରିଥିଲେ। ଷ୍ଟିଫାନି ଟେଲର ୪୦ ବଲ୍‌ରୁ ୬ଟି ଚୌକା ସହ ୪୨ ରନ୍‌ କରିଥିଲେ। ଏକଦା ୱେଷ୍ଟଇଣ୍ଡିଜ୍‌ ୧୩୦ରୁ ଅଧିକ ରନ୍‌ କରିବ ବୋଲି ଅନୁମାନ କରା ଯାଉଥିଲେ ହେଁ ଭାରତୀୟ ବୋଲର ଶେଷଆଡ଼କୁ ଭଲ ବୋଲିଂ କରିଥିଲେ। ଚିନେଲେ ହେନ୍‌ରି ୨ ରନ୍‌ କରିଥିଲେ। ୫ମ ୱିକେଟ ପାଇଁ ଚେଡିନ୍‌ ନେସନ୍‌ ଓ ସାବିକା ଗଜ୍‌ନବି ୩୫ ରନ୍‌ ଯୋଡ଼ିଲେ। ସାବିକା ୧୩ ବଲ୍‌ରୁ ୧୫ ରନ୍‌ କରିଥିଲେ। ନେସନ୍‌ ୧୮ ବଲ୍‌ରୁ ୨୧ ରନ୍‌କରି ଅପରାଜିତ ଥିଲେ। ଅଫ୍‌ସ୍ପିନର ଦୀପ୍ତି ଶର୍ମା ୩ଟି ଏବଂ ଦୁଇ ପେସ୍‌ ବୋଲର ପୂଜା ବସ୍ତ୍ରାକର ଓ ରେଣୁକା ସିଂହ ଗୋଟିଏ ୱିକେଟ ନେଇଥିଲେ। ଆସନ୍ତା ଶନିବାର ଇଂଲଣ୍ଡ ବିପକ୍ଷରେ ଭାରତ ୩ୟ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ର ଫଳାଫଳ ନିର୍ଦ୍ଧାରଣ କରିବ ଯେ ଗ୍ରୁପ୍‌-୨ ଶୀର୍ଷରେ କେଉଁ ଦଳ ରହୁଛି।

Comments are closed.