ଚମ୍ପିଆନ୍ସ ଟ୍ରଫି ହକି ; ଫାଇନାଲରେ ଭାରତ
ବ୍ରେଡା : ଭାରତ ଏଠାରେ ଚାଲିଥିବା ପୁରୁଷ ଚମ୍ପିଆନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ଉନ୍ନୀତ ହୋଇଛି। ଶନିବାର ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ରାଉଣ୍ଡ ରବିନ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଫଳରେ ଭାରତ ପାଞ୍ଚଟି ମ୍ୟାଚରୁ ୮ ପଏଣ୍ଟ ପାଇଁ ଦ୍ୱିତୀୟ ଦଳ ଭାବେ ଫାଇନାଲକୁ ଉନ୍ନୀତ ହୋଇଛି। ଆସନ୍ତାକାଲି ଅର୍ଥାତ ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ।
ଭାରତ-ନେଦରଲାଣ୍ଡ୍ସ ମୁକାବିଲା ପ୍ରାରମ୍ଭରୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା। ଫାଇନାଲକୁ ଉନ୍ନୀତ ହେବା ନିମନ୍ତେ ନେଦରଲାଣ୍ଡ୍ସ ଏହି ମ୍ୟାଚରେ ବିଜୟୀ ହେବା ଜରୁରୀ ହୋଇପଡିଥିବାବେଳେ ଭାରତ ପାଇଁ କେବଳ ମ୍ୟାଚକୁ ଡ୍ର ରଖିବା ଯଥେଷ୍ଟ ଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ଆକ୍ର୍ରମଣାତ୍ମକ ରଣନୀତି ଅବଲମ୍ବନ କରି ପ୍ରତିପକ୍ଷ ଗୋଲ ଏରିଆରେ ଚାପ ସୃଷ୍ଟି କରିଥିଲା। ୨ ମିନିଟରେ ଏସ୍.ଭି.ସୁନିଲ ନେଦରଲାଣ୍ଡ୍ସ ଗୋଲପୋଷ୍ଟ ସମ୍ମୁଖରେ ସୁବର୍ଣ୍ଣ ସୁଯୋଗ ପାଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିପାରିନଥିଲେ। ୩ ମିନିଟରେ ଭାରତକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ହରମନପ୍ରୀତ ସିଂହଙ୍କ ଶକ୍ତିଶାଳୀ ସଟ୍କୁ ନେଦରଲାଣ୍ଡ୍ସ ଗୋଲରକ୍ଷକ ଅଟକାଇବା ଫଳରେ ଭାରତ ଏହି ସୁଯୋଗରୁ ବଞ୍ଚିତ ହୋଇଥିଲା। ୭ ମିନିଟରେ ନେଦରଲାଣ୍ଡ୍ସ ଦଳ ପ୍ରତିଆକ୍ରମଣ ଜାରି ରଖି ଭାରତୀୟ ଗୋଲପୋଷ୍ଟ ଉପରେ ଆକ୍ରମଣ କରିଥିଲା। ତେବେ ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କ ତତ୍ପରତା ଯୋଗୁଁ ସେମାନେ କୃତକାର୍ଯ୍ୟ ହୋଇପାରିନଥିଲେ। ୧୩ ମିନିଟରେ ଭାରତକୁ ୨ୟ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ହରମନପ୍ରୀତ ଏଥର ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲେ। ଫଳରେ ଏହି କ୍ୱାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଦଳର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। ୨୪ ମିନିଟରେ ନେଦରଲାଣ୍ଡ୍ସକୁ କ୍ରମାଗତ ଦୁଇଟି ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଭାରତୀୟ ଗୋଲରକ୍ଷକ ଶ୍ରୀଜେସ ଚମତ୍କାର ଭଙ୍ଗିରେ ସେଗୁଡିକୁ ଅଟକାଇଥିଲେ। ୨୬ ମିନିଟରେ ନେଦରଲାଣ୍ଡ୍ସକୁ ୩ୟ ପେନାଲଟି କର୍ଣ୍ଣର ମିଳିଥିଲା। ଏଥର ମଧ୍ୟ ନେଦରଲାଣ୍ଡ୍ସ ଖେଳାଳିଙ୍କ ଉଦ୍ୟମରେ ଶ୍ରୀଜେସ ପ୍ରତିବନ୍ଧକ ସାଜିଥିଲେ। ଫଳରେ ମଧ୍ୟାନ୍ତର ସୁଦ୍ଧା ମ୍ୟାଚ ଗୋଲଶୂନ୍ୟ ରହିଥିଲା।
ବିରତି ପରେ ନେଦରଲାଣ୍ଡ୍ସ ଦଳ ସଂଗଠିତ ଭାବେ ଆକ୍ରମଣ ଜାରି ରଖିଥିଲେ। ୩୨ ମିନିଟରେ ସେମାନଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିଥିଲେ ସୁଦ୍ଧା ଶ୍ରୀଜେସ ଡାଇଭ୍ ମାରି ଏହି ସୁଯୋଗକୁ ପଣ୍ଡ କରିଦେଇଥିଲେ। ୩୮ ଓ ୩୯ ମିନିଟରେ ନେଦରଲାଣ୍ଡ୍ସ ଖେଳାଳି ଦୁଇ ଦୁଇ ଥର ଭାରତୀୟ ଗୋଲପୋଷ୍ଟ ଉପରେ ଆକ୍ରମଣ କରିଥିଲେ ସୁଦ୍ଧା ରକ୍ଷଣଭାଗ ଖେଳାଳିଙ୍କ ତତ୍ପରତା ଯୋଗୁଁ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା। ଏହି କ୍ୱାର୍ଟରରେ ମଧ୍ୟ କେହି କାହାରିକୁ ଗୋଲ ଦେଇପାରିନଥିଲେ। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ପ୍ରାରମ୍ଭରେ ଭାରତକୁ ୩ୟ ପେନାଲଟି କର୍ଣ୍ଣର ମିଳିଥିଲା। ହରମନପ୍ରୀତଙ୍କ ସଟ୍କୁ ନେଦରଲାଣ୍ଡ୍ସ ଗୋଲରକ୍ଷକ ଭଲ ଭାବେ ଅଟକାଇପାରିନଥିଲେ। ତେବେ ରିବାଉଣ୍ଡରୁ ମନଦୀପ ସିଂହ ଗୋଲ ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ଏହି ଗୋଲ ବଳରେ ଭାରତୀୟ ଦଳ ଉତ୍ସାହିତ ହୋଇପଡିଥିଲା। ୫୩ ମିନିଟରେ ଜର୍ମନପ୍ରୀତ ସିଂହଙ୍କ ରିଭର୍ସ ସଟ୍କୁ ନେଦରଲାଣ୍ଡ୍ସ ଗୋଲରକ୍ଷକ ଅଟକାଇଥିଲେ। ୫୫ ମିନିଟରେ ଥିଏରୀ ବ୍ରିଙ୍କ୍ମ୍ୟାନ ନେଦରଲାଣ୍ଡ୍ସ ପକ୍ଷରୁ ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ସମାନସ୍ତରକୁ (୧-୧) ଆଣିଥିଲେ। ଭାରତ ପକ୍ଷରୁ ପ୍ରତିବାଦ କରାଯାଇଥିଲେ ସୁଦ୍ଧା ଭିଡିଓ ରିପ୍ଲେକୁ ଅନୁଧ୍ୟାନ କରି ରେଫେରୀ ଗୋଲକୁ ବୈଧ ଘୋଷଣା କରିଥିଲେ। ୫୮ ମିନିଟରେ ନେଦରଲାଣ୍ଡ୍ସ ଗୋଲ ସ୍କୋର କରିଥିଲେ ସୁଦ୍ଧା ଏହା ନାକଚ ହୋଇଥିଲା। ଅନ୍ତିମ ଲଗ୍ନରେ ନେଦରଲାଣ୍ଡ୍ସକୁ କ୍ରମାଗତ ୩ଟି ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ସେମାନଙ୍କୁ ସଫଳତା ମିଳିନଥିଲା ଓ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଥିଲା।