www.samajalive.in
Tuesday, December 9, 2025
26.1 C
Bhubaneswar

ପହଞ୍ଚିଲେ ସବୁ ଦଳ; ଲଢ଼େଇକୁ ଅପେକ୍ଷା

ଭୁବନେଶ୍ୱର : ହକିର ଏନ୍ତୁଡ଼ିଶାଳ କୁହା ଯାଉଥିବା ଓଡ଼ିଶାରେ ଆୟୋଜକ ହେଉଛି ହକି ଦୁନିଆର ସବୁଠାରୁ ବଡ଼ ପ୍ରତିଯୋଗିତା ବିଶ୍ୱକପ୍‍। ପୁଣି ବିଶ୍ୱର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ବିଶ୍ୱକପ୍‍ର ପ୍ରାୟୋଜକ ସାଜିଛି। ତେଣୁ ସାରା ଓଡ଼ିଶା ଏବେ ହକିମୟ। ମିନି ବିଶ୍ୱରେ ପରିଣତ ହୋଇଛି ରାଜଧାନୀ ଭୁବନେଶ୍ୱର। ବୁଧବାର ପ୍ରତିଯୋଗିତା ଆରମ୍ଭ ହେଉଥିବା ବେଳେ ରବିବାର ସୁଦ୍ଧା ୧୬ଟିଯାକ ପ୍ରତିଯୋଗୀ ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ପୁଣି ଏହି ବିଶ୍ୱକପ୍‍ର ମଜା ନେବା ଲାଗି ବିଦେଶରୁ ମଧ୍ୟ ପର୍ଯ୍ୟଟକ ଓଡ଼ିଶା ଆସିବାରେ ଲାଗିଛନ୍ତି। ବିଶ୍ୱକପ୍‍ ଖେଳିବା ଲାଗି ସମସ୍ତ ଦେଶର ଖେଳାଳି ପହଞ୍ଚିବା ପରେ ବିଶ୍ୱକପର ଉତ୍କଣ୍ଠା ଚରମସୀମାରେ ପହଞ୍ଚିଛି। ମଙ୍ଗଳବାର ଉଦ୍‍ଘାଟନୀ ଉତ୍ସବ ସହ ପୂର୍ବରୁ ଏବେଠାରୁ କେବଳ ଭୁବନେଶ୍ୱର ନୁହେଁ; ସାରାରାଜ୍ୟରେ ସୃଷ୍ଟିହୋଇଛି ଚମତ୍କାର ଉନ୍ମାଦନା। ବିଶେଷକରି ପାକିସ୍ତାନ ଦଳ ପହଞ୍ଚିବା ପରେ ହକିର ରୋମାଞ୍ଚ ଅଧିକ ବୃଦ୍ଧି ପାଇଛି। ଏବେ କେବଳ ପ୍ରତିଯୋଗିତାକୁ ଅପେକ୍ଷା।
ଏହି ୧୬ଟି ଦଳ ୧୯ ଦିନରେ ୩୬ଟି ମ୍ୟାଚ୍‍ ଖେଳିବେ। ସମସ୍ତଙ୍କ ଲକ୍ଷ୍ୟ ବିଶ୍ୱକପ୍‍ ଜିତିବା। ଗତ ୨୧ରେ ପ୍ରଥମ ବିଦେଶୀ ଦଳ ଭାବେ ଆର୍ଜେଣ୍ଟିନା ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଏହାପରେ ଗୋଟିଏ ପରେ ଗୋଟିଏ ଦଳ ଭୁବନେଶ୍ୱରେ ପହଞ୍ଚିବାରେ ଲାଗିଥିଲେ। ରବିବାର ଶକ୍ତିଶାଳୀ ଜର୍ମାନୀ ସହ ଆୟରଲାଣ୍ଡ, କାନାଡ଼ା ଏବଂ ଶେଷରେ ମାଲେସିଆ ଦଳ ଭୁବନେଶ୍ୱରେ ପହଞ୍ଚିଛି। ଏଣେ ପୂର୍ବରୁ ପହଞ୍ଚି ସାରିଥିବା ଦଳମାନେ ଅଭ୍ୟାସ କରିବା ସହ ପରସ୍ପର ବିପକ୍ଷରେ ଅଭ୍ୟାସ ମ୍ୟାଚ୍‍ ଖେଳିବା ଆରମ୍ଭ କରିଛନ୍ତି। ୨୦୧୪ ଚମ୍ପିଆନ୍‍ସ ଟ୍ରଫି ଓ ୨୦୧୭ ହକି ବିଶ୍ୱଲିଗ୍‍ ପରେ ହକି ମହାକୁମ୍ଭ ବିଶ୍ୱକପ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିଛି। ଭାରତରେ ୩ୟ ଓ ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ଏହି ବିଶ୍ୱକପ୍‍ ଲାଗି ସାରା ରାଜ୍ୟରେ ନାହିଁ ନଥିବା ଉତ୍ସାହ। ହକି ବିଶ୍ୱକପକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟରେ ରବିବାର ହକି ପାଇଁ ସାରା ଓଡ଼ିଶା ଦୌଡ଼ିଥିଲା। ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ମାଲକାନାଗିରି ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲାରେ ହକି ବିଶ୍ୱକପ ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାକୁ ସଫଳ ଆୟୋଜନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୂରା ସହର ସୁରକ୍ଷା ବଳୟରେ ରହିଛି। ଏବେ ହକିପ୍ରେମୀ ମଙ୍ଗଳବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମ୍‍ରେ ଆୟୋଜନ ହେବାକୁ ଥିବା ରଙ୍ଗାରଙ୍ଗ ଉଦ୍‍ଘାଟନ ଉତ୍ସବ ଦେଖିବାକୁ ଅପେକ୍ଷା କରିଛନ୍ତି। ଉଦ୍‍ଘାଟନୀ ଉତ୍ସବ ଲାଗି ରିହରସଲ ଚାଲିଛି। ଏହି ଉତ୍ସବରେ ସଂଗୀତ ନିର୍ଦେଶକ ଏ.ଆର୍‍. ରେହ୍‍ମାନଙ୍କ ସହ ବଲିଉଡ୍‍ ସୁପରଷ୍ଟାର ଶାହାରୁଖ୍‍ ଖାଁ ଓ ମାଧୁରୀ ଦୀକ୍ଷିତ ନିଶ୍ଚିତ ଭାବେ ମୁଖ୍ୟ ଆକର୍ଷଣ ହେବେ। ପୁଣି ବୁଧବାର କଳିଙ୍ଗ ଷ୍ଟାଡିୟମ୍‍ରେ ୨ଟି ମ୍ୟାଚ୍‍ ଖେଳାଯିବାକୁ ଥିବା ବେଳେ ସେହିଦିନ ସନ୍ଧ୍ୟାରେ କଟକର ବାରବାଟୀ ଷ୍ଟାଡିୟମ୍‍ରେ ମଧ୍ୟ ରଙ୍ଗାରଙ୍ଗ ହକି ବିଶ୍ୱକପ୍‍ ଉତ୍ସବ ଅନୁଷ୍ଠିତ ହେବ।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories