ମହିଳା ବିଶ୍ୱକପ ହକି: ଜାତୀୟ ଦଳରେ ୪ ଓଡ଼ିଆ

0

ନୂଆଦିଲ୍ଲୀ : ଜୁଲାଇ ୨୧ରୁ ଲଣ୍ଡନରେ ଆରମ୍ଭ ହେବାକୁ ଥିବା ମହିଳା ବିଶ୍ୱକପ ହକି ପ୍ରତିଯୋଗିତା ନିମନ୍ତେ ଶୁକ୍ରବାର ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାତୀୟ ଦଳରେ ଓଡ଼ିଶାରୁ ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏମାନେ ହେଲେ ସୁନିତା ଲାକ୍ରା, ଦୀପ୍‍ ଗ୍ରେସ୍‍ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍‍। ଫରୱାର୍ଡ ରାଣୀ ରାମପାଲ ଏହି ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେଉଥିବାବେଳେ ଗୋଲରକ୍ଷକ ସବିତାଙ୍କ ଉପରେ ଉପଅଧିନାୟିକା ଦାୟିତ୍ୱ ନ୍ୟସ୍ତ କରାଯାଇଛି।
ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏଗୁଡିକ ହେଲା ନେଦରଲାଣ୍ଡ୍‍ସ, ଦକ୍ଷିଣ କୋରିଆ, ଇଟାଲୀ, ଚୀନ, ଭାରତ, ଇଂଲଣ୍ଡ, ଆମେରିକା, ଆୟରଲାଣ୍ଡ, ଆର୍ଜେଣ୍ଟିନା, ଜର୍ମାନୀ, ସ୍ପେନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଜାପାନ ଓ ବେଲଜିୟମ। ୧୬ଟି ଦଳକୁ ଚାରିଟି ଗ୍ରୁପ୍‍ରେ ବିଭକ୍ତ କରାଯାଇଛି। ଇଂଲଣ୍ଡ, ଆମେରିକା ଓ ଆୟରଲାଣ୍ଡ ସହ ଭାରତ ଗ୍ରୁପ୍‍ ‘ବି’ରେ ସ୍ଥାନ ପାଇଛି। ୨୧ ଜୁଲାଇରେ ଭାରତ ତାହାର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ଭେଟୁଥିବାବେଳେ ୨୬ରେ ଆୟରଲାଣ୍ଡକୁ ଓ ୨୯ରେ ଆମେରିକାକୁ ଭେଟିବ। ପ୍ରତ୍ୟେକ ଗ୍ରୁପ୍‍ର ଶ୍ରେଷ୍ଠ ଦୁଇଟି ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ। ଅଗଷ୍ଟ ୫ରେ ଫାଇନାଲ ମ୍ୟାଚ ଖେଳାଯିବ। ବିଶ୍ୱକପକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ଗତମାସରେ ସ୍ପେନ ଗସ୍ତରେ ଯାଇ ପାଞ୍ଚଟିକିଆ ଦ୍ୱିପାକ୍ଷିକ ସିରିଜ ଖେଳିଥିଲା। ଏଥିରୁ ଭାରତୀୟ ଖେଳାଳି ଯଥେଷ୍ଟ ଅଭିଜ୍ଞତା ଅର୍ଜନ କରିଥିବାରୁ ବିଶ୍ୱକପରେ ଦଳ ଉନ୍ନତ ପ୍ରଦର୍ଶନ କରିବ ବୋଲି ଭାରତର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‍ ଆଶାବ୍ୟକ୍ତ କରିଛନ୍ତି। ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତିକୁ ଅଗ୍ରାଧିକାର ଦିଆଯାଇଛି ବୋଲି ମାରିନ କହିଛନ୍ତି। ଆନ୍ତର୍ଜାତିକ ହକି ମହାସଂଘ ଆନୁକୂଲ୍ୟରେ ୧୯୭୪ରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଆସୁଛି। ଏପର୍ଯ୍ୟନ୍ତ ୧୧ଟି ସଂସ୍କରଣ ଆୟୋଜିତ ହୋଇସାରିଥିବାବେଳେ ନେଦରଲାଣ୍ଡ୍‍ସ ସର୍ବାଧିକ ୭ ଥର ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ୧୯୭୪ ବିଶ୍ୱକପରେ ୪ର୍ଥ ସ୍ଥାନ ଅଧିକାର କରିବା ଭାରତୀୟ ଦଳ ପାଇଁ ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ରହିଆସିଛି।
ଘୋଷିତ ଦଳ: ଗୋଲରକ୍ଷକ-ସବିତା (ଉପଅଧିନାୟିକା), ରଜନୀ, ଡିଫେଣ୍ଡର-ସୁନିତା ଲାକ୍ରା, ଦୀପ୍‍ଗ୍ରେସ ଏକ୍କା, ଦୀପିକା, ଗୁରଜିତ କୌର, ରୀନା ଖୋଖାର, ମିଡ୍‍ଫିଲ୍ଡର-ନମିତା ଟପ୍ପୋ, ଲିଲିମା ମିଞ୍ଜ୍‍, ମୋନିକା, ନେହା ଗୋଏଲ, ନବ୍‍ଜ୍ୟୋତ୍‍ କୌର, ନିକି ପ୍ରଧାନ, ଫରୱାର୍ଡ- ରାଣୀ ରାମପାଲ (ଅଧିନାୟିକା), ବନ୍ଦନା କାଟାରିୟା, ନବନିତ କୌର, ଲାଲରେମ୍‍ସିଆମି ଓ ଉଦିତା।

Leave A Reply