ଜୁନିୟର ହକି: ଭାରତୀୟ ମହିଳା ଦଳ ବିଜୟୀ; ପୁରୁଷ ଦଳର ମ୍ୟାଚ୍ ଡ୍ର
ଆଣ୍ଟୱେର୍ପ (ବେଲ୍ଜିୟମ୍) : ଏଠାରେ ଚାଲିଥିବା ଜୁନିୟର ହକି ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ଭାରତୀୟ ମହିଳା ଦଳ ବିଜୟୀ ହୋଇଥିବା ବେଳେ ଭାରତୀୟ ପୁରୁଷ ଦଳ ତା’ର ମ୍ୟାଚ୍ ଡ୍ର ରଖିଛି। ୬-ରାଷ୍ଟ୍ରୀୟ ୨୩ ବର୍ଷରୁ କମ୍ ମହିଳା ହକି ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ଘରୋଇ ବେଲ୍ଜିୟମ୍କୁ ୨-୦ ଗୋଲ୍ରେ ଭାରତ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିବା ପରେ ଭାରତ ପାଇଁ ସଂଗୀତା କୁମାରୀ ୩୬ ମିନିଟରେ ଏକ ଫିଲ୍ଡ ଗୋଲ୍ ଦେଇଥିବା ବେଳେ ଓ ସାଲିମା ଟେଟେ ୪୨ ମିନିଟରେ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇଥିଲେ।
ଭାରତୀୟ ମହିଳା ଦଳର ଏହା କ୍ରମାଗତ ୩ୟ ବିଜୟ। ପ୍ରଥମ ମ୍ୟାଚ୍ରେ ଭାରତ ୪-୧ ଗୋଲ୍ରେ ଆୟରଲାଣ୍ଡକୁ ହରାଇଥିବା ବେଳେ ୨ୟ ମ୍ୟାଚ୍ରେ ଗ୍ରେଟ୍ ବ୍ରିଟେନ୍କୁ ୧-୦ ଗୋଲ୍ରେ ପରାସ୍ତ କରିଥିଲା। କାନାଡ଼ା ବିପକ୍ଷରେ ଭାରତୀୟ ମହିଳା ଦଳ ୪ର୍ଥ ଲିଗ୍ ମ୍ୟାଚ୍ ଖେଳିବ। ୫-ରାଷ୍ଟ୍ରୀୟ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ଆୟୋଜକ ବେଲ୍ଜିୟମ୍ ଓ ଭାରତ ମଧ୍ୟରେ ମୁକାବିଲା ୧-୧ ଗୋଲ୍ରେ ଡ୍ର ରହିଛି। ଭାରତ ପାଇଁ ୩୦ ମିିନିଟରେ ମହମ୍ମଦ ଉମର ଗୋଲ୍ଦେଇ ଦଳକୁ ଆଗୁଆ କରିଥିଲେ। ତେବେ ୩୪ ମିନିଟରେ ବେଲ୍ଜିୟମ୍ର ସିରିଲ୍ ଫ୍ରାଇଙ୍ଗ୍ ଗୋଲ୍ ସୁଝାଇ ଦେଇଥିଲେ। ଭାରତ ପାଇଁ ଏହି ମ୍ୟାଚ୍ରେ ବିଜୟ ଆବଶ୍ୟକ ଥିଲା। କାରଣ ପ୍ରଥମ ମ୍ୟାଚ୍ରେ ଆୟରଲାଣ୍ଡକୁ ୫-୦ ଗୋଲ୍ରେ ପରାସ୍ତ କରିଥିବା ଭାରତ ୨ୟ ମ୍ୟାଚ୍ରେ ଗ୍ରେଟ୍ ବ୍ରିଟେନ୍ଠାରୁ ୧-୩ ଗୋଲ୍ରେ ପରାସ୍ତ ହୋଇଥିଲା। ୨୦ରେ ନେଦରଲାଣ୍ଡ୍ସ ବିପକ୍ଷରେ ଭାରତୀୟ ଜୁନିୟର ଦଳ ୪ର୍ଥ ଲିଗ୍ ମ୍ୟାଚ୍ ଖେଳିବ।