ବିପଦ ସଙ୍କେତ ତଳକୁ ଖସୁନି ହୀରାକୁଦ ଜଳସ୍ତର

ଭୁବନେଶ୍ୱର: ରାଜ୍ୟରେ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ହୋଇଥିବା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ପ୍ରାୟ ୧୫ଦିନରୁ ଊର୍ଦ୍ଧ୍ବ ସମୟ ଧରି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ତଳକୁ ଖସୁନାହିଁ। ପରିସ୍ଥିତି ଏପରି ହୋଇଛି ଯେ ଜଳପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ହୀରାକୁଦ ଜଳଭଣ୍ଡାରରୁ ଏବେ ଉପର ମୁଣ୍ଡରୁ ଯେତିକି ଜଳ ପ୍ରବେଶ କରୁଛି ସେତିକି ଜଳ ନିଷ୍କାସନ କରାଯାଉଛି। ରାଜ୍ୟ ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ହୀରାକୁଦ ଜଳଭଣ୍ଡାରର ବିପଦ ସଙ୍କେତସ୍ତର ୬୩୦ ଫୁଟ୍ ରହିଥିବାବେଳେ ଦୀର୍ଘ ଦୁଇ ସପ୍ତାହ ଧରି ଜଳପତ୍ତନ ସେତିକିରେ ରହିଛି। ଜଳପତ୍ତନ ହ୍ରାସରେ ସ୍ଥିତାବସ୍ଥା ବଜାୟ ରହିଛି।

ସବୁଠାରୁ ବଡ଼କଥା ହେଲା ସକାଳ ୬ଟାରେ ଜଳଭଣ୍ଡାର ଭିତରକୁ ୬୩ ହଜାର ୬୬ କ୍ୟୁସେକ୍ ଜଳ ପଶୁଥିବା ବେଳେ ସମପରିମାଣର ଜଳ ପ୍ରବାହିତ ହେଉଥିଲା। ଅବଶ୍ୟ ଏହି ପରିମାଣ ପୂର୍ବାହ୍ନ ୯ଟା ବେଳକୁ ଖସି ୪୫ ହଜାର ୩୮୮ କ୍ୟୁସେକରେ ପହଞ୍ଚିଥିଲା। ଏହି ସମୟରେ ଖଇରାମାଳଠାରେ ୫୮ହଜାର ୬୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳଠାରେ ୬୩ ହଜାର ୪୦୦ ଏବଂ ମୁଣ୍ଡଳିଠାରେ ୭୩ ହଜାର ୯୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା। ମାତ୍ର ସନ୍ଧ୍ୟା ୬ଟା ବେଳକୁ ପୁଣି ଜଳସ୍ତର ବଢ଼ିଛି। ୪୦ ହଜାର ୧୭୨ କ୍ୟୁସେକ୍ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ସମପରିମାଣ ନିଷ୍କାସିତ ହେଉଛି। ସେହିପରି ଖଇରାମାଳ ଓ ବରକୂଳରେ ଜଳପ୍ରବାହ ସ୍ତର ବଢ଼ିଥିବା ଏସଆରସିଙ୍କ ସୂଚନାରୁ ଜଣାଯାଇଛି।

ପ୍ରାୟ ଏକ ମାସ ଧରି ରାଜ୍ୟରେ ୩ଥର ଲଘୁଚାପଜନିତ ବର୍ଷା ଅନୁଭୂତ ହେଲାଣି। ଏହି ସମୟ ମଧ୍ୟରେ ଜଳକା, ବୈତରଣୀ ଭଳି କେତେକ ନଦୀର ଜଳସ୍ତର ଫୁଲି ତଳିଆ ଅଞ୍ଚଳବାସୀଙ୍କୁ ପ୍ରଭାବିତ କରିଛି। ଏବେବି କେତେକ ପରିବାର ପଲିଥିନ୍ ଖଣ୍ଡିଏ ନ ପାଇ ଖୋଲା ଆକାଶ ତଳେ ଜୀବନ ବିତାଉ ଥିବାବେଳେ ରାତି ପାହିଲେ ଆଉ ଏକ ଲଘୁଚାପ ଘନୀଭୂତ ହେବାକୁ ରହିଛି। ଏହାର ପ୍ରଭାବରେ ୧୫ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ବର୍ଷା ସମ୍ଭାବନା ରହିଛି। ଏହାକୁ ନେଇ ଏସଆରସିଙ୍କ ପକ୍ଷରୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତି ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି।

Comments are closed.