ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା : ଗୋଆରେ ହାଇ ଆଲର୍ଟ
ପାଣାଜୀ : ୨୦୦୮ ମୁମ୍ବଇ ଆକ୍ରମଣ ଢାଞ୍ଚାରେ ପାକିସ୍ତାନରେ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ପୁଣି ଥରେ ସମୁଦ୍ରପଥରେ ପ୍ରବେଶ କରି ଆକ୍ରମଣ ଘଟାଇ ପାରନ୍ତି ବୋଲି ତଟରକ୍ଷୀ ବାହିନୀ ପକ୍ଷରୁ ଗୁଇନ୍ଦା ରିପୋର୍ଟ ମିଳିବାପରେ ଗୋଆରେ ହାଇ ଆଲର୍ଟ ଜାରି କରାଯାଇଛି। ଗୋଆର ବେଳାଭୂମିରେ ଥିବା ସବୁ ଅଫ୍ସୋର କ୍ୟାସିନୋ ଓ ସମୁଦ୍ରରେ ପର୍ଯ୍ୟଟକଙ୍କୁ ବୁଲାଉଥିବା ଜାହାଜଗୁଡିକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। କେବଳ ଗୋଆ ନୁହେଁ, ଆତଙ୍କବାଦୀମାନେ ମୁମ୍ବଇ କିମ୍ବା ଗୁଜରାଟ ଉପକୂଳ ଦେଇ ପ୍ରବେଶ କରିବାର ମଧ୍ୟ ସମ୍ଭାବନା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନିକଟରେ ପାକିସ୍ତାନ ନୌସେନା ପକ୍ଷରୁ କରାଚି ଉପକୂଳରେ ଗୋଟିଏ ଭାରତୀୟ ମାଛଧରା ବୋଟକୁ ଜବତ କରାଯାଇଥିଲା। ଏହାକୁ ଯାଞ୍ଚ କରାଯିବାପରେ ପୁଣି ଖଲାସ କରାଯାଇଛି। ଏହି ବୋଟରେ ଆତଙ୍କବାଦୀମାନେ ଭାରତୀୟ ସୀମାରେ ପ୍ରବେଶ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ସମୁଦ୍ରରେ କୌଣସି ଅଜଣା ବୋଟ କିମ୍ବା ଜାହାଜ ଚଳାଚଳ କରୁଥିବା ନଜରକୁ ଆସିଲେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ ମତ୍ସ୍ୟଜୀବୀଙ୍କ ସମେତ ଅଫ୍ସୋର କ୍ୟାସିନୋ ଓ ପର୍ଯ୍ୟଟନ ବୋଟ୍ ମାଲିକଙ୍କୁ ପରାମର୍ଶ ଦିଆଯାଇଛି।