ସ୍ୱାସ୍ଥ୍ୟସେବା: ବାଂଲାଦେଶ, ଶ୍ରୀଲଙ୍କା ଠାରୁ ବି ପଛରେ ଭାରତ
ନୂଆଦିଲ୍ଲୀ : ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାବେ ପରିଚିତ ଭାରତରେ ସ୍ୱାସ୍ଥ୍ୟଜନିତ ସମସ୍ୟା ଚିନ୍ତାର ଅନ୍ୟତମ ପ୍ରମୁଖ କାରଣ ହୋଇଥିବା ବେଳେ ସ୍ୱାସ୍ଥ୍ୟସେବା ପ୍ରଦାନ ଦୃଷ୍ଟିକୋଣରୁ ରାଷ୍ଟ୍ର ଏହା ଅନୁନ୍ନତ ପଡ଼ୋଶୀ ଦେଶ ବାଂଲାଦେଶଠାରୁ ମଧ୍ୟ ପଛରେ ପଡିଯାଇଛି। ଭୁଟାନ ଓ ଶ୍ରୀଲଙ୍କା ଭଳି କ୍ଷୁଦ୍ର ରାଷ୍ଟ୍ରଠାରୁ ଆରମ୍ଭ କରି ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନ୍ର ସ୍ୱାସ୍ଥ୍ୟସେବା ଭାରତ ତୁଳନାରେ ଉନ୍ନତ ବୋଲି ଏକ ଅନୁଧ୍ୟାନମୂଳକ ରିପୋର୍ଟରେ କୁହାଯାଇଛି। ‘ଦି ଗ୍ଲୋବାଲ ବର୍ଡନ୍ ଅଫ୍ ଡିଜିଜ୍’ ପକ୍ଷରୁ ବିଶ୍ୱର ୧୯୫ଟି ରାଷ୍ଟ୍ରରେ ସାଧାରଣ ଲୋକଙ୍କୁ ସୁସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଅନୁଧ୍ୟାନ କରି ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଦେଶଗୁଡିକର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକାରେ ଭାରତ ୧୪୫ତମ ସ୍ଥାନରେ ଥିବା ବେଳେ ଚୀନ ୪୮ତମ, ଶ୍ରୀଲଙ୍କା ୭୧ତମ, ବାଂଲାଦେଶ ୧୩୩ତମ ଏବଂ ଭୁଟାନ ୧୩୪ତମ ସ୍ଥାନରେ ରହିଛି। ଏହି କ୍ଷେତ୍ରରେ ପାକିସ୍ତାନ (୧୫୪), ନେପାଳ (୧୪୯) ଏବଂ ଆଫଗାନିସ୍ତାନ (୧୯୧) ଠାରୁ ଭାରତ ଆଗରେ ରହିଛି। ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ସୂଚକାଙ୍କରେ ଭାରତ ୧୯୯୦ରେ ୨୪.୭ ପଏଣ୍ଟ ଲାଭ କିରିଥିଲା। କିନ୍ତୁ ୨୦୧୬ ସୁଦ୍ଧା ଏଥିରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ବର୍ଷ ଭାରତ ୪୧.୨ ପଏଣ୍ଟ ଲାଭ କରିଛି। ରିପୋର୍ଟରେ କୁହାଯାଇଛି, ୨୦୧୬ରେ ଭାରତର ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଗୋଆ ଏବଂ କେରଳରେ ରୋଗୀସେବା ବ୍ୟବସ୍ଥା ଅତି ପ୍ରଶଂସନୀୟ ଥିବା ରେକର୍ଡ କରାଯାଇଛି। ଏହି ଦୁଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସୁସ୍ୱାସ୍ଥ୍ୟସେବା ପ୍ରଦାନ ସୂଚକାଙ୍କରେ ୬୦ରୁ ଊର୍ଦ୍ଧ୍ବ ପଏଣ୍ଟ ଲାଭ କରିଥିବା ବେଳେ ଆସାମ ଏବଂ ଉତ୍ତରପ୍ରଦେଶକୁ ୪୦ରୁ କମ୍ ପଏଣ୍ଟ ମିଳିଛି। ବିଶେଷକରି ଯକ୍ଷ୍ମା, ଆଣ୍ଠୁଗଣ୍ଠି ବାତ, ଦୃଦ୍ରୋଗ, ଇସ୍କିମିକ୍ ହୃଦ୍ରୋଗ, ହୃଦ୍ଘାତ, ଟେଷ୍ଟିକୁଲାର କ୍ୟାନସର, ବୃହଦନ୍ତ୍ର କ୍ୟାନସର ଏବଂ ବୃକକ୍ ରୋଗ ଭଳି ବହୁ ଦୀର୍ଘସ୍ଥାୟୀ ରୋଗର ଉପଚାର ଦିଗରେ ଉଦାସୀନତା ଯୋଗୁ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛୁଆ ପଡିଯାଇଛି ବୋଲି ରିପୋର୍ଟରେ କୁହାଯାଇଛି।