ହାଫିଜ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭାରି ମହଙ୍ଗା  : ପୂର୍ବତନ ଆଇଏସ୍‍ଆଇ ମୁଖ୍ୟ

0

ଇସଲାମାବାଦ : ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ସଂଗଠନ ଜମାତ ଉଦ୍‍ ଦାବାର ମୁଖ୍ୟ ହାଫିଜ ସୟିଦ୍‍ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ରାଜନୀତି ପାଇଁ ଭାରି ମହଙ୍ଗା ପଡ଼ିବ ବୋଲି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇର ପୂର୍ବତନ ଅଧ୍ୟକ୍ଷ ଅସଦ୍‍ ଦୁରାନୀ ପ୍ରକାଶ କରିଛନ୍ତି। ହାଫିଜ ସୟିଦ୍‍ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଗଲେ, ଭାରତ ଚାପରେ ଜଣେ ନିର୍ଦୋଷକୁ ଦଣ୍ଡ ଦିଆଯାଉଛି ବୋଲି ପ୍ରଥମେ ପ୍ରତିକ୍ରିୟା ପ୍ରକାଶ ପାଇବ। ଫଳରେ ପାକିସ୍ତାନ ଶାସକ ଦଳକୁ ବଡ଼ ରାଜନୈତିକ ମୂଲ୍ୟ ଦେବାକୁ ପଡ଼ିବ ବୋଲି ୭୭ ବର୍ଷିୟ ଦୁରାନୀ ଏବଂ ପୂର୍ବତନ ‘ର’ ମୁଖ୍ୟ ଏଏସ୍‍ ଦୁଲାତଙ୍କ ଦ୍ୱାରା ଲିଖିତ ନୂଆ ପୁସ୍ତକରେ ଏହା ଉଲ୍ଲେଖ ରହିଛି। ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଲିଖିତ ଏହି ପୁସ୍ତକରେ ସର୍ଜିକାଲ ଷ୍ଟ୍ରାଇକ, କୁଳଭୂଷଣ ଯାଦବ, ନୱାଜ ସରିଫ, କାଶ୍ମୀର ଏବଂ ବୁରହାନ ୱାନି ଆଦି ବିଷୟରେ ଚର୍ଚ୍ଚା କରାଯାଇଛି। ଉଲ୍ଲେଖ ଯେ ହାଫିଜ ସୟିଦକୁ ଆମେରିକା ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ସହ ତା ମୁଣ୍ଡରେ ୧୦ ନିୟୁତ ଡଲାର ପୁରସ୍କାର ରାଶି ରଖିଛି। ପାକିସ୍ତାନରେ ୨୦୧୭ଜାନୁଆରୀରୁ ନଭେମ୍ବର ମାସ ପର୍ଯ୍ୟନ୍ତ ହାଫିଜ ସୟିଦ୍‍ ଗୃହବନ୍ଦୀ ହୋଇ ରହିଥିଲା। ପରେ ପାକିସ୍ତାନ ଅଦାଲତଙ୍କ ହସ୍ତକ୍ଷେପରେ ହାଫିଜ ଗୃହବନ୍ଦୀରୁ ମୁକ୍ତ ହୋଇ ଭାରତ ବିରୋଧୀ କାର୍ଯ୍ୟକଳାପ ଚଲାଇଛି। ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଏକ ଆଗଧାଡିର ଶାଖା ସଂଗଠନ ଭାବେ ହାଫିଜ ସୟିଦ୍‍ ଦ୍ୱାରା ପ୍ରତିଷ୍ଠିତ ଜମାତ-ଉଦ୍‍-ଦାବା (ଜେୟୁଡ଼ି) କାର୍ଯ୍ୟ କରୁଛି। ୨୦୦୮ ମସିହା ୨୬/୧୧ ମୁମ୍ବଇ ଆକ୍ରମଣ ପଛରେ ଜେୟୁଡି ଆତଙ୍କବାଦୀ ସଂଗଠନର ହାତ ରହିଥିଲା। ଏଥିରେ ୬ ଆମେରିକୀୟ ନାଗରିକଙ୍କ ସହ ୧୬୬ ଲୋକ ପ୍ରାଣ ହରାଇଥିଲେ। ଏହାପରେ ମିଳିତ ଜାତିସଂଘ ଏବଂ ଆମେରିକା ହାଫିଜ ସୟିଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛନ୍ତି। ଦୁରାନୀଙ୍କ ଏଭଳି ବୟାନ ଓ ବହିକୁ ନେଇ ପାକିସ୍ତାନ ସେନା ଅସନ୍ତୋଷ ବ୍ୟକ୍ତ କରିଛି। ସେନା ଆଇନ ଉଲ୍ଲଙ୍ଘନ କରିଥିବାରୁ ଦୁରାନୀଙ୍କୁ ସମନ୍‍ କରାଯାଇଛି।

Leave A Reply