ହାଫିଜ୍‌ ସୟିଦଙ୍କୁ ହଇରାଣ କରନି : ଲାହୋର ହାଇକୋର୍ଟ

0

ଲାହୋର : ଲସ୍କର-ଇ-ତୋଇବା (ଏଲ୍‌ଇଟି) ମୁଖ୍ୟ ତଥା ୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦଙ୍କୁ ମିଳିତ ଜାତିସଂଘ ଆତଙ୍କବାଦୀର ଆଖ୍ୟା ଦେଇଥିବା ବେଳେ ପାକିସ୍ତାନ ତାଙ୍କୁ ସାମାଜିକ କର୍ମୀ ବୋଲି ବିବେଚନା କରୁଛି । ଏ କ୍ରମରେ ହାଫିଜ୍‌ ସୟିଦଙ୍କୁ ପୁଣି ଥରେ ପାକିସ୍ତାନ ନ୍ୟାୟପାଳିକା ଘଣ୍ଟ ଘୋଡାଇବା ସହ ନିଜର କୁକର୍ମ ଜାରି ରଖିବାକୁ ସୁଯୋଗ ଦେଇଛି । ଲାହୋର ହାଇକୋର୍ଟ ହାଫିଜ୍‌ ସୟିଦଙ୍କୁ କୌଣସି ପ୍ରକାର ହଇରାଣ ନ କରିବାକୁ ପାକିସ୍ତାନ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ହାଫିଜ୍‌ଙ୍କ ଦରାଜନୈତିକ ଦଳ ‘ମିଲି ମୁସଲିମ୍‌ ଲିଗ୍‌’ (ଏମ୍‌ଏମ୍‌ଏଲ)କୁ ଆମେରିକା ଆତଙ୍କବାଦୀ ଦଳ ବୋଲି ଘୋଷଣା କରିଛି । ହେଲେ ହାଫିଜ୍‌ଙ୍କୁ ଲାହୋର ହାଇକୋର୍ଟଙ୍କ ସୁରକ୍ଷା ପ୍ରଦାନ ବିଶ୍ୱ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ଲାହୋର ହାଇକୋର୍ଟ ମଙ୍ଗଳବାର ପାକିସ୍ତାନ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଯେ ହାଫିଜ୍‌ ସୟିଦଙ୍କୁ ଜନକଲ୍ୟାଣ କାର୍ଯ୍ୟ କରିବାକୁ ଦିଆଯାଉ । ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ହାଫିଜ୍‌ଙ୍କୁ କୌଣସି ପ୍ରକାର ହଇରାଣ କରିବା ଭଳି ନୀତି ଯେପରି ଆପଣାନଯାଏ ସେଥିପ୍ରତି ଧ୍ୟାନ ଦିଆଯାଉ। ଉଲ୍ଲେଖ ଯେ ହାଇକୋର୍ଟଙ୍କ ରାୟ ପ୍ରକାଶର କିଛି ଘଣ୍ଟା ପରେ ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦୀ ତାଲିକା ପ୍ରକାଶ ପାଇଥିଲା । ଏହି ତାଲିକାରେ ହାଫିଜ୍‌ ସୟିଦ, ତା’ର ସହଯୋଗୀ ଅବ୍‌ଦୁଲ ସଲାମ ଏବଂ ଜାଫର ଇକ୍‌ବାଲଙ୍କ ନାମ ରହିଛି । ଏହା ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦର ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫ୍‌ଏଟିଏଫ୍‌) ପାକିସ୍ତାନକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ପାଇଁ ଗ୍ରେ ଲିଷ୍ଟଭୁକ୍ତ କରିଛି । ପାକିସ୍ତାନ ଏପରି କାର୍ଯ୍ୟ ଜାରି ରଖିଲେ ଆଗକୁ କଳା ତାଲିକାଭୁକ୍ତ ହେବ ଓ ଆତଙ୍କବାଦୀ ଦେଶ ବୋଲି ଘୋଷିତ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ହାଫିଜ୍‌ ସୟିଦ୍‌ ଦ୍ୱାରା ପରିଚାଳିତ ଜମାତ ଉଦ ଦାବା (ଜେୟୁଡି) ଦ୍ୱାରା ଦାଖଲ ଆବେଦନ ଉପରେ ବିଚାର କରି ଲାହୋର ହାଇକୋର୍ଟ ଏପରି ରାୟ ଦେଇଛନ୍ତି । ପ୍ରକାଶ ଯେ ଆମେରିକା, ମିଳିତ ଜାତିସଂଘ ଏବଂ ବ୍ରିକ୍ସ ଦେଶ ସମୂହ ଜମାତ ଉଦ୍‌ ଦାବାକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଛନ୍ତି ।

Leave A Reply