ଟାଟା ଷ୍ଟିଲ ଓ ମାଇନିଂ କାରଖାନାରେ ଛଟେଇ, ପ୍ରତିବାଦରେ କାରଖାନା ସମ୍ମୁଖରେ ୨ବର୍ଷର ଶିଶୁ ସହିତ ସପରିବାର ଧାରଣା

ଗୁରୁଡିଝାଟିଆ: ଆମ ଅଞ୍ଚଳର ଜମି, ଜଳ ଓ ପରିବେଶରେ ଅନନ୍ତପୁର ଠାରେ ଗଢିଉଠିଛି ଟାଟା ଷ୍ଟିଲ ଓ ମାଇନିଂ କାରଖାନା। ଖୋଦ୍ ମୋର ଜମିରେ କାରଖାନା କର୍ତ୍ତୃପକ୍ଷ ଉଚ୍ଚଶକ୍ତି ସଂପନ୍ନ ଟାୱାର ଲାଇନ ବସାଇଛନ୍ତି। ସେଥିପାଇଁ ମୋତେ କାରଖାନାରେ ନିଯୁକ୍ତି ମିଳିଛି। ହେଲେ କାରଖାନା କର୍ତ୍ତୃପକ୍ଷଙ୍କ ଆକ୍ରୋଶମୂଳକ ଆଭିମୁଖ୍ୟ ନେଇ ମୋତେ କାରଖାନାର ବିଭିନ୍ନ ବିଭାଗରେ ବାରମ୍ବାର ବଦଳି କରିବା ସହିତ ଗଞ୍ଜାମର ଗୋପାଳପୁରକୁ ମଧ୍ୟ ବଦଳି କରିଛନ୍ତି। ହେଲେ ଘରେ ଦୁଇବର୍ଷର କୁନି ଛୁଆ ଠାରୁ ଆରମ୍ଭ କରି ବଢିଲା ଝିଅଥିବାରୁ ପରିବାର ଛାଡି ଗୋପାଳପୁର ନଯିବାରୁ ମୋତେ ଚାକିରୀରୁ ଛଟେଇ କରିଛି କାରଖାନା କର୍ତ୍ତୃପକ୍ଷ ବୋଲି କହିଛନ୍ତି ନୂଆଶାସନ ଗ୍ରାମର ବିପିନ ବିହାରୀ ବେହେରା।

prayash

କାରଖାନା କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟମୂଳକ ହିଟଲରୀ ନୀତି ବିରୋଧରେ ବାଧ୍ୟ ହୋଇ ନିଜର ଚାକିରୀ ଛଟେଇ ପ୍ରତିବାଦରେ କାରଖାନା ସମ୍ମୁଖରେ ଦୁଇବର୍ଷର ଛୋଟଝିଅ, କଲେଜ ପଢୁଆ ଝିଅ, ସ୍ତ୍ରୀ ଓ ଭଉଣୀମାନଙ୍କ ସହିତ ବିପିନ କାରଖାନା ସମ୍ମୁଖରେ ଅଖିଆ ଅପିଆ ବସିଛନ୍ତି। ମୋର ଜମିରେ କାରଖାନା କର୍ତ୍ତୃପକ୍ଷ ଟାୱାର କରିଛନ୍ତି ସେଥିପାଇଁ ମୋତେ ଚାକିରୀ ଦେଇଥିଲେ ୨୦୦୬ ମସିହାରେ। ୨୦୦୮ରେ ଚାକିରୀ ସ୍ଥାୟୀତ୍ୱ ହୋଇଥିଲା। ଜଣେ ନିଷ୍ଠାପର କର୍ମଚାରୀ ହିସାବରେ କାମ କରିଥାଏ। ହେଲେ କାରଖାନା କର୍ତ୍ତୃପକ୍ଷ ବାରମ୍ବାର ମୋତେ କାରଖାନା ଭିତରେ ଏ ବିଭାଗରୁ ସେ ବିଭାଗ ବଦଳି କରାଇ ଏକ ପ୍ରକାର ମାନସିକସ୍ତରରେ ବ୍ୟତିବ୍ୟସ୍ତ କରିଦେଇଥିଲେ। ଶେଷରେ ମୋତେ ପ୍ରଶିକ୍ଷଣ ଦେବା ପାଇଁ ଗୋପାଳପୁର ପଠାଇଥିଲେ। ହେଲେ ପରିବାର ସମାସ୍ୟା ପାଇଁ ମୁଁ ସେଠାକୁ ନଯିବାରୁ ମୋତେ ଛଟେଇ କରିଛନ୍ତି। ଏ ସଂପର୍କରେ ଛଟେଇ କର୍ମଚାରୀ ବିପିନ ଶ୍ରମ ବିଭାଗର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ନ୍ୟାୟ ପାଇବା ପାଇଁ ଜିଲା ପ୍ରଶାସନକୁ ଲିଖିତ ଭାବରେ ଅବଗତ କରାଇ ଆଜି କାରଖାନା ସମ୍ମୁଖରେ ସପରିବାର ବସିଥିଲେ। ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି କହିଥିଲେ।

ଏ ସଂପର୍କରେ କାରଖାନାର ବରିଷ୍ଠ ପ୍ରବନ୍ଧକ ବିଭୂଦତ୍ତ ମହାନ୍ତିଙ୍କୁ ପଚାରିବାକୁ କହିଥିଲେ, କାରଖାନାରେ ବିପିନ କ୍ରେନ ଅପରେଟର ଭାବରେ କାର୍ଯ୍ୟ କରୁଥିଲେ। ପ୍ରଶିକ୍ଷଣ ଆବଶ୍ୟକତା ଥିବାରୁ ଗୋପାଳପୁର ୩ମାସ ପାଇଁ ଯିବା ନିମନ୍ତେ କାରଖାନା ପକ୍ଷରୁ ଲିଖିତ ଭାବରେ ଅବଗତ କରାଯାଇଥିଲା। ହେଲେ ସେ ଗୋପାଳପୁର ନଯାଇ , କୌଣସି ସୂଚନା ନଦେଇ ଘରେ ରହିଥିଲେ। ସେଥିପାଇଁ ତାଙ୍କୁ ବାରମ୍ବାର କାରଣଦର୍ଶାଅ ନୋଟିସ ମଧ୍ୟ ପଠାଯାଇଛି। ହେଲେ ସନ୍ତୋଷଜନକ ଉତ୍ତର ନଦେବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ଘଟଣାସ୍ଥଳରେ କାରଖାନା କର୍ତ୍ତୃପକ୍ଷ ଓ ସ୍ଥାନୀୟ ସରପଞ୍ଚ ଶକ୍ତି ପ୍ରସାଦ ସାହୁ ପ୍ରମୁଖ ବିପିନ କୁ ବୁଝାସୁଝା କରିଥିଲେ। ଆସନ୍ତା ୨୮ତାରିଖ ଦିନ ଶ୍ରମ ଅଧିକାରୀଙ୍କ ସହିତ ଆଲୋଚନା ଥିବାରୁ ସେ ପର୍ଯ୍ୟନ୍ତ ଧାରଣାକୁ ସ୍ଥଗିତ କରିବା ନିମନ୍ତେ କହିବାରୁ ବିପିନ ଧାରଣାରୁ ପ୍ରତ୍ୟାହୃତ ହୋଇଥିଲେ।

kalyan agarbati

Comments are closed.