ମହୁଲଫୁଲ ବିକ୍ରୀ ପାଇଁ ନାହିଁ ବଜାର ସୁବିଧା, ଶୋଷଣର ଶିକାର ହେଉଛନ୍ତି ସଂଗ୍ରହକାରୀ
ଗୁଣୁପୁର : ଓଡ଼ିଶା ମାନଚିତ୍ରରେ ରାୟଗଡ଼ା ଜିଲାର ପଦ୍ମପୁର ବ୍ଲକର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏହା ଏକ ଆଦିବାସୀ ବହୁଳ ବ୍ଲକ ଭାବେ ବେଶ ପରିଚିତ। ଏହାର କୋଣ ଅନୁକୋଣରେ ବାସ କରୁଥିବା ଆଦିବାସୀମାନେ ଧାନ ଫସଲ ସହ ବର୍ଷ ତମାମ ଜଙ୍ଗଲଯାତ ଦ୍ରବ୍ୟ ଉପରେ ନିର୍ଭରକରି ଜୀବନ ଜୀବିକା ନିର୍ବାହ କରିଥାନ୍ତି। ମହୁଲ ଏକ ଅର୍ଥକାରୀ ଲଘୁ ବନଜାତ ଦ୍ରବ୍ୟ ହୋଇଥିବାରୁ ଆଦିବାସୀମାନେ ବର୍ଷର ତିନି ମାସ ଏହାକୁ ସଂଗ୍ରହ କରିଥାନ୍ତି। ତେବେ ଏନେଇ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଏହାର ଉଚିତ୍ ମୂଲ୍ୟ ଏମାନେ ଜାଣିପାରୁନାହାନ୍ତି। ଏହା ଲଘୁ ବନଜାତ ଦ୍ରବ୍ୟ ହୋଇଥିବାରୁ ଏହାକୁ ସରକାରୀ ସ୍ତରରେ ମୂଲ୍ୟ ଧାର୍ଯ୍ୟ କରାଯାଇ ପ୍ରଚାରପ୍ରସାର କଲେ ମହୁଲ ସଂଗ୍ରହକାରୀ ମାନେ ଏହାର ସଠିକ ମୂଲ୍ୟ ପାଇପାରେନ୍ତେ। ସେଭଳି ସୂଚନା ରହୁନଥିବାରୁ ଏହାର ଫାଇଦା ଉଠାଉଛନ୍ତି ଆନ୍ଧ୍ର ବେପାରୀ ସାଙ୍ଗକୁ ଅଞ୍ଚଳରେ ଥିବା ଅସାଧୁ ମହୁଲ ବେପାରୀ। ରାୟଗଡ଼ା ଜିଲା ବଣପାହାଡ଼ ଘେରା ପଦ୍ମପୁର ବ୍ଲକର ଲିକିଟିପଦର, ଗୁଲୁଗୁଡା, ନୂଆଗଡ, ତେମ୍ବାଗୁଡା, ନାଇରା, ଡେରିଙ୍ଗା, ଜାତ୍ତିଲି , ଖମାପଦର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆଦିବାସୀମାନେ ବର୍ଷର ବିଭିନ୍ନ ସମୟରେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି।
ମହୁଲ ସୁଖିଲା ପରେ ବେପାରି ମାନେ ସାଜନ୍ତି ମହୁଲ ଦଲାଲ। ଲୋକଙ୍କଠୁ କମ୍ ଦରରେ କିଣି ବଜାରରେ ଚଢା ଦାମରେ ବିକ୍ରୟ କରିଥାନ୍ତି। ସରକାରୀ ପ୍ରୋତ୍ସାହନ ନଥିବାରୁ ପ୍ରକୃତ ମୂଲ୍ୟ ପାଇବାରେ ବଂଚିତ ହେଉଛନ୍ତି ମହୁଲ ସଂଗ୍ରହକାରୀମାନେ। ମହୁଲ ଫୁଲକୁ ପୋଚକରି ଆଲକହଲ ତିଆରି ହେଉଥିବାରୁ ବଜାରରେ ଏହାର ଚାହିଦା ବେଶି। ମହୁଲ ଫୁଲରୁ ଦେଶୀ ମଦ ତିଆରି ହେବା ସହ ପୌଷ୍ଟିକ ଗୋଖାଦ୍ୟ, ମହୁଲ ପିଠା, ଲଡୁ ଓ ଔଷଧୀୟ କାମରେ ବ୍ୟବହାରରେ ହୁଏ। ଏଣୁ ଏହାର ଚାହିଦା ଅଧିକ ଥିବାରୁ ଆଦିବାସୀ ମହିଳାମାନେ ପ୍ରାତଃ ସମୟରେ ଜଙ୍ଗଲକୁ ଯାଇ ବହୁ କଷ୍ଟରେ ମହୁଲ ସଂଗ୍ରହ କରିଥାନ୍ତି। ପରେ ତାକୁ ଖରାରେ ଶୁଖାଇ ବିକ୍ରି ଉପଯୋଗୀ କରିଥାନ୍ତି। କୋଭିଡ୍ କଟକଣା ଯୋଗୁଁ ଗତ ଦୁଇବର୍ଷ ହେବ ଜଙ୍ଗଲ ଯାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳୁଥିବା ପରିବାର ଏଥୁରୁ ବଞ୍ଚିତ ହୋଇ ବହୁ କଷ୍ଟରେ ଜୀବିକା ନିର୍ବାହ କରିଛନ୍ତି। ତେବେ ଚଳିତ ବର୍ଷ ମହୁଲ ଫୁଲ ବିକ୍ରି କରି ଦୁଇ ପଇସା ରୋଜଗାର କରିବା ଆଶା ରଖିଥିଲେ। ହେଲେ ତାହାର ସଠିକ୍ ମୂଲ୍ୟ ଜାଣି ପାରୁନାହାନ୍ତି ଆଦିବାସୀ। ଫଳରେ ଅଞ୍ଚଳର ଅସାଧୁ ମହୁଲ ବେପାରୀ ଗାଁ ଗାଁ ବୁଲି ଅତି କମ୍ ମୂଲ୍ୟରେ ମହୁଲ କିଣି ବାହାର ରାଜ୍ୟକୁ ପଠେଇ ମାଲେ ମାଲ୍ ହେଉଛନ୍ତି। ସରକାରୀ ସ୍ତରରେ ଏହାର ମୂଲ୍ୟ ନିର୍ଦ୍ଧାରଣ କରି ସିଧାସଳଖ ସଂଗ୍ରହକାରୀଙ୍କ ଠାରୁ ମହୁଲ କ୍ରୟ କରାଗଲେ ନୀରିହ ଆଦିବାସୀ ପରିବାର ଉଚିତ ମୂଲ୍ୟ ପାଇପାରିବା ସହ ବେଶ ଭଲ ଭାବରେ ପରିବାର ପ୍ରତିପୋଷଣ କରିପାରିବେ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।
Comments are closed.