୮୨ ପାକିସ୍ତାନୀଙ୍କୁ ମିଳିଲା ଭାରତୀୟ ନାଗରିକତା
ନୂଆଦିଲ୍ଳୀ : ପାକିସ୍ତାନରୁ ବିସ୍ଥାପିତ ହୋଇ ଭାରତରେ ଶରଣ ନେଇଥିବା ୮୨ ଜଣଙ୍କୁ କେନ୍ଦ୍ର ସରକାର ଭାରତୀୟ ନାଗରିକତା ପ୍ରଦାନ କରିଛନ୍ତି। ମଙ୍ଗଳବାର ଲୋକସଭାରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଲିଖିତ ଭାବେ ଏହି ଜବାବ ଦିଆଯାଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ କେନ୍ଦ୍ର ସରକାର ଅଧିନିୟମ ୧୯୫୫ ଧାରା ୧୬ରେ ପାକିସ୍ତାନରୁ ବିସ୍ଥାପିତ ହୋଇ ଭାରତରେ ଶରଣ ନେଇଥିବା ୮୨ ଜଣଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି।
ଗୃହ ମନ୍ତ୍ରାଳୟ ଅନୁସାରେ କେନ୍ଦ୍ର ସରକାର ଅଧିନିୟମ ୧୯୫୫ ଧାରା ୧୬ରେ ରାଜସ୍ଥାନ ଗୃହ ସଚିବ ଏବଂ ୧୬ ଜିଲାପାଳଙ୍କୁ ନାଗରିକତା ପ୍ରଦାନ ପାଇଁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରାଯାଇଛି। ଏହି ଅଧିକାର ଅନୁସାରେ ଗୃହ ସଚିବ ଏବଂ ଜିଲାପାଳମାନେ ସଂଖ୍ୟାଲଘୁ ସମ୍ପର୍କିତ ଆଇନ ଅନୁସାରେ ଶରଣାର୍ଥୀ ଓ ପ୍ରବାସୀଙ୍କୁ ପଞ୍ଜୀକୃତ କରି ଭାରତୀୟ ନାଗରିକତା ପ୍ରଦାନ କରିପାରିବେ। କେବଳ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ପ୍ରବାସୀଙ୍କ କ୍ଷେତ୍ରରେ ଏହି ଅଧିକାର ପ୍ରୟୋଗ କରିହେବ। ଏହି ଅଧିକାର ପ୍ରୟୋଗ କରି ରାଜସ୍ଥାନର ଜିଲାପାଳମାନେ ୮୨ ଜଣ ପାକିସ୍ତାନୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଛନ୍ତି।
Comments are closed.