ସରକାରୀ ଡାଏରୀରେ ତ୍ରୁଟି; ତେଜିଲା ଅସନ୍ତୋଷ
ଭୁବନେଶ୍ବର : ସରକାରୀ ଡାଏରୀରେ ଗୁରୁତର ତ୍ରୁଟିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆବର୍ଷ ଅବସରରେ ପ୍ରକାଶିତ ଏହି ଡାଏରୀରେ ଗୋପବନ୍ଧୁ ଦାସଙ୍କ କବିତାକୁ କବିବର ରାଧାନାଥ ରାୟ ରଚନା କରିଥିବା ଉଲ୍ଲେଖ ରହିଛି। ଯାହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ତେଜିବାରେ ଲାଗିଛି। ସରକାରୀ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତିକୁ ଅନେକ ନାପସନ୍ଦ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି।
ପ୍ରକାଶ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ପାଇଁ ପ୍ରକାଶିତ ଡାଏରୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ….’ କବିତାର ସ୍ରଷ୍ଟା ରାଧାନାଥ ରାୟ ବୋଲି ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ, ଉତ୍କଳମଣିଙ୍କ କବିତାରେ କବିବର ରାଧାନାଥ ରାୟଙ୍କ ଫଟୋ ଓ ନାମ ମଧ୍ୟ ପ୍ରକାଶ ପାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ଏହି ଡାଏରୀରେ ଏଭଳି ଗୁରୁତର ତ୍ରୁଟିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୁଦ୍ଧିଜୀବୀ, ସାରସ୍ବତ ସାଧକ। ଏ ସମ୍ପର୍କରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ସେମାନେ ଭୁଲ୍ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଡାଏରୀ ମୁଦ୍ରଣ ପାଇଁ ଯିବା ପୂର୍ବରୁ ସଠିକ୍ ଭାବେ ଅନୁଧ୍ୟାନ କରାନଯିବା ଫଳରେ ଏଭଳି ଭୁଲ୍ ରହିଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ସମ୍ପ୍ରତି ଜୟଦେବ ଭବନ ସମେତ ବିଭିନ୍ନ ବହି ଦୋକାନରେ ଏହି ଡାଏରୀ ବିକ୍ରି ହେଉଥିବା ବେଳେ ଏହାକୁ ତୁରନ୍ତ ପ୍ରତ୍ୟାହାର କରି ନେବା ଓ ସଠିକ ତଥ୍ୟ ଦେଇ ପୁନଃପ୍ରକାଶନ ଉପରେ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଯାବତ ମୋଟ ୧୪ ହଜାର ଡାଏରୀ ମୁଦ୍ରିତ ହୋଇଛି। ବିଭାଗ ଏବେ ବାଣିଜ୍ୟ ଓ ପରିବହନ ବିଭାଗକୁ ତ୍ରୁଟି ସଂଶୋଧନ ପାଇଁ ପତ୍ର ଲେଖିଲେ ପଦକ୍ଷେପ ନିଆଯିବ ବୋଲି ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।