ଅବଧି ପରେ ମଧ୍ୟ ଅଧାରେ ଅଟକିଛି ଗୋବରା-ଦମ୍ପତିପୁର ରାସ୍ତା ଉନ୍ନତିକରଣ

ବର୍ଷାଋତୁ, ରାସ୍ତା ଚଉଡା ପାଇଁ ଅସହମତି ବିଳମ୍ବର କାରଣ

ଗୁରୁଡିଝାଟିଆ :  ଛଅଗାଁ ଲେବୁଲ କ୍ରସିଂ ଠାରୁ ଗୋବରା ଦେଇ ଦମ୍ପତିପୁରକୁ ସଂଯୋଗ କରୁଥିବା ରାସ୍ତା ଉନ୍ନତିକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କାର୍ଯ୍ୟକରିବା ପାଇଁ ଠିକାଦାରକୁ ନିର୍ଦ୍ଦେଶପତ୍ର ପ୍ରଦାନ କରାଯାଇଛି । ରାସ୍ତାର ଲମ୍ବ ୫.୩୧ କିଲୋମିଟର ହୋଇଥିବା ବେଳେ ଏହାର ବ୍ୟୟ ଅଟକଳ ୧୯୦.୩୫ଲକ୍ଷ ଟଙ୍କା ରହିଛି। ଠିକାଦାରକୁ ଚଳିତବର୍ଷ ଜୁନ୍ ୧୩ ତାରିଖ ସୁଦ୍ଧା ସମାପନ କରିବା ପାଇଁ ନିର୍ଦ୍ଦେଶନାମା ରହିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଶେଷ ନ ହୋଇ ଅଧାରେ ଅଟକି ରହିଛି । କାର୍ଯ୍ୟ ସରିବା ପରେ ରକ୍ଷଣାବେକ୍ଷଣ ବାବଦରେ ୧୭.୬୦ଲକ୍ଷ ଟଙ୍କା ଅଟକଳ ରହିଛି। କାର୍ଯ୍ୟଟିକୁ ସମାପନ କରିବା ପାଇଁ କୋଲକତାର ଠିକାଦାରୀ ସଂସ୍ଥା ମଦେଶୀୟା ଇନଫ୍ରାଷ୍ଟକଚର ପ୍ରାଲି ନେଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ମେଣ୍ଟାଲ ବିଛାଯାଇ ରୋଲରରେ ସମତଳ କରାଯାଇଥିବା ବେଳେ ପିଚୁ କରାଯାଇନାହିଁ ଓ ଅନେକ ସ୍ଥାନରେ ରାସ୍ତାକୁ ତଡାଯାଇ ରଖାଯାଇଅଛି । ଯାହାଫଳରେ କି ଗୋବରା ଗାଁ ଦେଇ ଗୋବରା, ଗୋବରାଶାସନ, ଓରିଙ୍ଗାବାଡି, ତାଳପଡିଆ ଓ ଦମ୍ପତିପୁର ଆଦି ଗାଁକୁ ଯିବା ପାଇଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଆର୍ଥିକ ସହଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ-୨ କଟକ ପକ୍ଷରୁ ଏହି କାର୍ଯ୍ୟକୁ ତଦାରଖ କରାଯାଉଛି। ଅବଧି ସରିଲା ପରେ ମଧ୍ୟ ରାସ୍ତାକାମ ଅଧାପାନ୍ତରା ହୋଇପଡିଥିବାରୁ ଏହା କେବେ ସରିବ ତାହା ମଧ୍ୟ ସନ୍ଦେହ ଭିତରେ ରହିଛି । ରାସ୍ତାକାମ ନସରିବା ପର୍ଯ୍ୟନ୍ତ ଜନସାଧାରଣଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିଚାଲିଛି । ଜନସାଧାରଣ ତୀବ୍ର ଅସନ୍ତୋଷବ୍ୟକ୍ତ କରୁଛନ୍ତି । ଅବଧିପରେ ରାସ୍ତାକାମ ସଂପୂର୍ଣ୍ଣ ନହେବା ସଂପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ ଡଃ ଅଜୟ କୁମାର ମହାପାତ୍ରଙ୍କୁ ପଚାରିବାରୁ ବର୍ଷାଋତୁ ପାଇଁ ରାସ୍ତାକାର୍ଯ୍ୟ ସମାପନ ହୋଇପାରିନାହିଁ। ଏଥିସହିତ ରାସ୍ତାର ପ୍ରଶସ୍ତିକରଣ ପାଇଁ ଜମିମାଲିକଙ୍କ ଅସହଯୋଗ ହେଉଛି ଅନ୍ୟତମ କାରଣ। ଏହାବାଦ୍ ତ୍ୱରିତ ଓ ଠିକଣା ଢଙ୍ଗରେ କାର୍ଯ୍ୟ ସଂପାଦନ କରିବା ପାଇଁ ଠିକାଦାର ସଂସ୍ଥାକୁ ତାଗିଦ କରାଯାଇଥିବା ସଂପର୍କରେ କହିଥିଲେ।

Comments are closed.