ବିଶ୍ୱ ଐତିହ୍ୟ ସପ୍ତାହ ଉପଲକ୍ଷେ ପଦଯାତ୍ରା

ସମ୍ବଲପୁର  : ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ବିଶ୍ୱ ଐତିହ୍ୟ ସପ୍ତାହ ଉପଲକ୍ଷେ ଐତିହ୍ୟ ପଦଯାତ୍ରା କରାଯାଇଛି । ରବିବାର ଇତିହାସ ବିଭାଗର ଛାତ୍ରଛାତ୍ରୀ ମାନେ ଗୋପାଲଜୀ ମଠ ଓ ସମଲେଶ୍ୱରୀ ମନ୍ଦିରର ସ୍ଥପତି ଏବଂ ଐତିହାସିକ ବିଶେଷତ୍ୱ ସହିତ ପରିଚିତ ହୋଇଥିଲେ । ଗୋପାଲଜୀ ମଠରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିଶ୍ୱବିଦ୍ୟାଳୟର କୂଳପତି ପ୍ର. ଏନ. ନାଗାରାଜୁ ସ୍ଥାନୀୟ ଇତିହାସ ଏବଂ କୀର୍ତ୍ତିରାଜୀ ସହିତ ସମସ୍ତେ ପରିଚିତ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟକ୍ଷ ଜ୍ଞାନ ଆହରଣକୁ ବିଶ୍ୱବିଦ୍ୟାଳୟ ପ୍ରୋତ୍ସାହିତ କରୁଥିବାରୁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ । ଐତିହାସିକ କୀର୍ତ୍ତି ରାଜିର ସଂରକ୍ଷଣ ପାଇଁ ସମସ୍ତେ ତତ୍ପର ହେବାକୁ ପ୍ର. ନାଗରାଜୁ ଆହ୍ୱାନ ଦେଇଥିଲେ ।

prayash

ସମ୍ମାନିତ ବକ୍ତା ରୂପେ ଇନଟାକ ସମ୍ବଲପୁର ଚାପ୍ଟରର ସହ ଆବାହକ ଦୀପକ କୁମାର ପଣ୍ଡା ଗୋପାଲଜୀ ମଠ ନିର୍ମାଣର ପୃଷ୍ଠଭୂମି, ଏହାର ବିଶେଷତ୍ୱ, ମୂର୍ତ୍ତିକଳାର ମହତ୍ୱ ଆଦି ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏଥି ସହ ସମ୍ବଲପୁର ଦୁର୍ଗର ସ୍ୱରୂପ ଏବଂ ସମଲେଇ ଦରୋଜା ବାବଦରେ ମଧ୍ୟ ଶ୍ରୀ ପଣ୍ଡା ତଥ୍ୟ ଭିତ୍ତିକ ସୂଚନା ପ୍ରଦାନ କରିଥିଲେ । ଇତିହାସ ବିଭାଗର ମୁଖ୍ୟ ଅତୁଲ କୁମାର ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ନଭେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଐତିହ୍ୟ ପ୍ରତି ଆମର ଉତ୍ତର ଦାୟିତ୍ୱକୁ ସ୍ମରଣ କରିବା, ସମାଜରେ ସଚେତନତା ସୃଷ୍ଟି ଏବଂ ସଂରକ୍ଷଣକୁ ତ୍ୱରାନ୍ୱିତ କରିବାର ଆହ୍ୱାନ ରହିଥାଏ ବୋଲି ମତପ୍ରକାଶ ଶ୍ରୀ ପ୍ରଧାନ କରିଥିଲେ। ବିଶ୍ୱବିଦ୍ୟାଳୟର କୂଳ ସଚିବ ଯୁଗଳେଶ୍ୱରୀ ଦାଶ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଓ ଏହି ପଦଯାତ୍ରା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିରଳ ସୁଯୋଗ ଆଣିଛି ବୋଲି କହିଥିଲେ । ଗୋପାଲଜୀ ମଠର ମହନ୍ତ ହୃଷିକେଶ ଦାସ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ। ଛାତ୍ରୀଛାତ୍ରୀ ମାନେ ଗୋପାଲଜୀ ମଠ ଓ ସମଲେଶ୍ୱରୀ ମନ୍ଦିର ତଥା ପରିସରରେ ଥିବା ସମଲେଇ ଦରୋଜା ବୁଲି ଦେଖିବା ସହିତ ସଫେଇ କରିଥିଲେ।

Comments are closed.