ସମ୍ବଲପୁର: ମଝି ନଦୀରୁ ଯୁବତୀଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଏଭଳି ଘଟଣା ଘଟିଛି ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର ନିକଟରେ ମହାନଦୀ ପଠାରେ ରହିଥିବା ସମଲେଇ ଘାଟରେ। ସମଲେଇ ଘାଟକୁ କିଛି ମହିଳା ଆଜି ପ୍ରାତଃ ସମୟରେ ଗାଧୋଇବା ପାଇଁ ଯାଇଥିବା ବେଳେ ଜଣେ ଯୁବତୀଙ୍କ ଚିତ୍କାର କରି ସହାୟତା ମାଗୁଥିବାର ଶୁଣିବାକୁ ପାଇଥିଲେ। ତେବେ ମହିଳାମାନେ କାହାରିକୁ ଦେଖିବାକୁ ନ ପାଇବାରୁ ତୁରନ୍ତ ଆସି ସ୍ଥାନୀୟ ନିବାସୀମାନଙ୍କୁ ଜଣାଇବାରୁ ତୁରନ୍ତ ପ୍ରାୟ ସାଢ଼େ ୫ଟା ସମୟରେ ଅଗ୍ନିଶମ ଓ ପୁଲିସ ବିଭାଗକୁ ଖବର ଦିଆଯାଇଥିଲା। ଖବର ବିଜୁଳି ବେଗରେ ବ୍ୟାପିବାରୁ ଅଞ୍ଚଳରେ ଅନେକ ଲୋକ ରୁଣ୍ଡ ହୋଇଯାଇଥିଲେ। ଖବର ପାଇବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ସମଲେଇ ଘାଟରେ ପହଞ୍ଚି ଯୁବତୀଙ୍କୁ ମହାନଦୀର ମଝିରେ ଏକ ବୁଦା ଓ ପଥର ସାହାଯ୍ୟରେ ଓହଳି ରହିଥିବାର ଠାବ କରିଥିଲେ।
ଏ ସର୍ମ୍ପକରେ ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ କହିଛନ୍ତି ଯେ, ଯୁବତୀଙ୍କୁ ନଦୀ ମଧ୍ୟରେ ଠାବ ପରେ ତୁରନ୍ତ ଏକ ବୋଟ ଓ ଜୀବନ ରକ୍ଷାକାରୀ ଜ୍ୟାକେଟ ଆଦି ସାରଞ୍ଜାମ ଜରିଆରେ ମହାନଦୀ ମଧ୍ୟକୁ ପ୍ରବେଶ କରି ପ୍ରାୟ ୨ ଘଣ୍ଟାର କଡା ପରିଶ୍ରମ ପରେ ଉଦ୍ଧାର କରାଯାଇଛି। ଯୁବତୀଙ୍କ ନାମ ପ୍ରଭାବତୀ ସେଠ (୨୨) ବୋଲି ଜଣାପଡିଛି। ଉଦ୍ଧାର କରାଯିବା ପରେ ତୁରନ୍ତ ଯୁବତୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ଏବଂ ସେ ସୁସ୍ଥ ରହିଥିବାର ଜଣାପଡିଛି। ଅପର ପକ୍ଷରେ ଯୁବତୀ ଜଣକ ବରଗଡ ଜିଲା ରେଙ୍ଗାଲି କ୍ୟାମ୍ପ ଅଞ୍ଚଳର ମୂଳ ନିବାସୀ ହୋଇଥିବା ବେଳେ ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କୋଚିଂ ନେଉଛନ୍ତି। ଆଜି ପ୍ରାତଃ ସମୟରେ ସେ ସମଲେଇ ଘାଟ ଉପର ମୁଣ୍ଡରେ ରହିଥିବା ଏକ ଘାଟକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ସେ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ତେବେ ସୌଭାଗ୍ୟବଶତଃ ମଝି ନଦୀରେ କୌଣସି ପ୍ରକାରରେ ଏକ ବୁଦାକୁ ଧରି ନଦୀ ମଝିରେ ଥିବା ଏକ ପଥରରେ ଲାଖି ରହିଯାଇଥିଲେ। ଏହି ଘଟଣା ଘଟିବା ସମୟରେ ହୀରାକୁଦ ନଦୀବନ୍ଧରୁ ୪ଟି ଦ୍ୱାର ଦେଇ ବନ୍ୟା ଜଳ ମହାନଦୀକୁ ନିଷ୍କାସନ ଜାରି ରହିଥିଲା।



