mission shakti banner

ଜର୍ମାନୀ ସହରରେ କାର୍‌ ମାଡ଼ିଯାଇ ୪ମୃତ, ୩୦ଆହତ

nua o banner
0

ବର୍ଲିନ୍‌ : ଜର୍ମାନୀର ପଶ୍ଚିମାଞ୍ଚଳ ସହର ମୁଏନଷ୍ଟରଠାରେ ଏକ ରେସ୍ତୋରାଁ ବାହାରେ ରାସ୍ତାକଡ଼ରେ ବସିଥିବା ଲୋକଙ୍କ ଉପରେ ଏକ କାର୍‌ ଆଖିବୁଜା ମାଡ଼ିଯିବା ଫଳରେ ବହୁ ଲୋକ ମୃତାହତ ହୋଇଛନ୍ତି। ପ୍ରାଥମିକ ସୂଚନାନୁଯାୟୀ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଏହା ଏକ ଦୁର୍ଘଟଣା କିମ୍ବା ଆତଙ୍କବାଦୀ ଆକ୍ରମଣ ତାହା ତୁରନ୍ତ ସ୍ପଷ୍ଟ ହୋଇ ନାହିଁ; ତେବେ ଦୁର୍ଘଟଣା ଘଟାଇବା ପରେ କାର୍‌ଚାଳକ ନିଜ ଉପରକୁୁ ଗୁଳି ଚଳାଇ ଆତ୍ମହତ୍ୟା କରିଛି। ସେଥିରୁ ଏହା ଏକ ଆକ୍ରମଣ ବୋଲି ସନ୍ଦେହ କରାଯାଉଛି।
ପୁଲିସଠାରୁ ମିଳିଥିବା ସୂଚନାନୁଯାୟୀ, ସ୍ଥାନୀୟ ସମୟ ଶନିବାର ଅପରାହ୍ଣରେ ଦେଶର ଏହି ଐତିହାସିକ ସହରର ଏକ ପ୍ରସିଦ୍ଧ କିପେନ୍‌କର୍ଲ ରେସ୍ତୋରାଁ ବାହାରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବା ବସିଥିôବା ଲୋକଙ୍କ ଉପରେ ହଠାତ୍‌ କାର୍‌ଟି ମାଡ଼ି ଯାଇଥିଲା। ମୃତାହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପୁଲିସ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ରଖିଛି। ଏହି ଘଟଣା ପରେ ଜର୍ମାନୀ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା ମୃତାହତଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।
ମୁଏନଷ୍ଟର ହେଉଛି ଦେଶର ଏକ ମଧ୍ୟଯୁଗୀୟ ଐତିହାସିକ ସହର ଏବଂ ଏଠାକାର ଲୋକସଂଖ୍ୟା ୩ଲକ୍ଷରୁ ଅଧିକ। ଏଠାରେ ଥିବା କିପେନ୍‌କର୍ଲ ପବ୍‌ ବେଶ୍‌ ପ୍ରସିଦ୍ଧ। ଏହି ବାର୍‌କୁ ବହୁ ସଂଖ୍ୟାରେ ସ୍ଥାନୀୟ ଜନତା ଓ ପର୍ଯ୍ୟଟକ ଆସିଥାନ୍ତି। ସେ ଦୃଷ୍ଟିରୁ ଦୁର୍ଘଟଣା ପରେ ପୁଲିସ ପକ୍ଷରୁ କିପେନ୍‌କର୍ଲକୁ ଆସିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି। ଏହାଛଡ଼ା ଯେଉଁ ଢ଼ଙ୍ଗରେ ଦୁର୍ଘଟଣା ଘଟିଛି ତାହା ନିଶ୍ଚିତ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରିବା ପାଇଁ ଯଥେଷ୍ଟ ଥିବା କୁହାଯାଉଛି। ଏହି ଘଟଣା ୨୦୧୬ ଡିସେମ୍ବର ୧୯ରେ ବର୍ଲିନ୍‌ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ସ୍ମୃତିକୁ ଜାଗ୍ରତ କରିଛି। ଏହି ଆକ୍ରମଣରେ ୧୨ଜଣ ପ୍ରାଣ ହରାଇବା ସହ ୪୮ଜଣ ଆହତ ହୋଇଥିଲେ। ଟ୍ୟୁନିସୀୟ ଆତଙ୍କବାଦୀ ଆନିସ୍‌ ଆମ୍ରି ଖ୍ରୀଷ୍ଟମାସ ବଜାରରେ କିଣାବିକା କରୁଥିବା ଲୋକଙ୍କ ଉପରେ ଟ୍ରକ୍‌ ଚଢ଼ାଇ ଦେଇଥିଲା। ଘଟଣାର ୪ଦିନ ପରେ ଇଟାଲୀର ମିଲାନ୍‌ଠାରେ ଆନିସକୁ ପୁଲିସ ଗୁଳି ମାରି ହତ୍ୟା କରିଥିଲା। ଏହି ଆକ୍ରମଣ ପାଇଁ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଥିଲା।

Leave A Reply