ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ କୁଳପତିଙ୍କ ଆହ୍ବାନ

ଉତ୍କଳ ବିଶ୍ବବିଦ୍ୟାଳୟ ‘ଅହିଂସା ସ୍ଥଳ’ରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ ଏବଂ ସତ୍ୟ, ଶାନ୍ତି ଓ ଅହିଂସାର ଯୁଗ ପ୍ରବର୍ତ୍ତକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ବାଣୀବିହାର ପରିସରରେ ଥିବା ଅହିଂସାସ୍ଥଳରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ କୁଳପତି ଆହ୍ବାନ ଦେଇଥିଲେ।  ଏହି ଅବସରରେ ବାଣୀବିହାର ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏବଂ ଛାତ୍ରଛାତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ କାମ ନିଜେ କରିବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ୱାର୍ଡେନ ପ୍ରଫେସର କବୀର ମୋହନ ସେଠୀ  ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଆଜିର ଯୁବଛାତ୍ର ସମାଜ ମହାତ୍ମା ଗାନ୍ଧୀଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର ଅନ୍ୟ ଅଧିକାରୀ, କର୍ମଚାରୀ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ବାଣୀବିହାର ପରିସରକୁ ସଫାସୁତୁରା କରିଥିଲେ।

ସହକାରୀ ପ୍ରଫେସର କିର୍ତ୍ତୀ ରଞ୍ଜନ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଡ.ବ୍ରଜ ନାରାୟଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.