ଜି-୨୦ ହେବ ଜି-୨୧ : ମିଶିବ ଆଫ୍ରିକୀୟ ସଂଘ
ନୂଆଦିଲ୍ଲୀ : ଗ୍ରୁପ୍ ଅଫ୍ ୨୦ ନେସନ୍ସ ବା ଜି-୨୦ ରାଷ୍ଟ୍ର ଗୋଷ୍ଠୀର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବ। ଏହା ଖୁବ୍ ଶୀଘ୍ର ଜି-୨୧ରେ ପରିଣତ ହେବ ଏବଂ ଏଥିରେ ଆଫ୍ରିକାନ୍ ୟୁନିୟନ୍କୁ ସ୍ଥାୟୀ ସଦସ୍ୟତା ମିଳିବ ଏବଂ ଏହାକୁ ୟୁରୋପୀୟ ସଂଘ ତୁଲ୍ୟ ମର୍ଯ୍ୟାଦା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଆସନ୍ତା ୯ ଓ ୧୦ରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଏ ସଂକ୍ରାନ୍ତ ଘୋଷଣା ହେବା ସମ୍ଭାବନା ରହିଛି। ଆଫ୍ରିକୀୟ ସଂଘରେ ୫୫ ସଦସ୍ୟ ଅଛନ୍ତି। ସମ୍ପ୍ରତି ଏହା ୟୁରୋପୀୟ ସଂଘ ପରି ‘ଆମନ୍ତ୍ରିତ ବିଶ୍ବ ସଂଗଠନ’ ଭାବେ କାର୍ଯ୍ୟ କରୁଛି। ଏହାକୁ ସଦସ୍ୟତା ପ୍ରଦାନ ପାଇଁ ଜି-୨୦ ସମ୍ମିଳନୀ ଆୟୋଜକ ଦେଶ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନୀ ଓ ଜର୍ମାନୀ ଚାନ୍ସେଲର ସଲାଫ ସୋଲ୍ଜ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ମେ’ ମାସରେ ଜାପାନରେ ଅନୁଷ୍ଠିତ ଜି-୨୦ ଅଧୀନ ଜି-୭ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଫ୍ରିକୀୟ ସଂଘର ମୁଖ୍ୟାଳୟ ସମ୍ପ୍ରତି ଇଥିଓପିଆଠାରେ କାର୍ଯ୍ୟ କରୁଛି। ଉଲ୍ଲେଖଯୋଗ୍ୟ ଯେ ଜି-୨୦ରେ ଏବେ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ୍ ଓ ୟୁରୋପୀୟ ସଂଘ ସଦସ୍ୟ ଅଛନ୍ତି।
ଗୀତା ଜ୍ଞାନ ଦେବ ଏଆଇ କିଓସ୍କ
ଅତ୍ୟନ୍ତ ସୃଜନଶୀଳ ଢଙ୍ଗରେ ଜି-୨୦ ସମ୍ମିଳନୀର ଅତିଥିମାନଙ୍କୁ ଭାରତକୁ ଚିହ୍ନାଇବା ଓ ଏହାର ଐତିହ୍ୟ, ସଂସ୍କୃତି ବିଷୟରେ ଜ୍ଞାନ ଆହରଣର ସୁଯୋଗ ପ୍ରଦାନ ବ୍ୟବସ୍ଥା କରାଯାଇଛି। ଭାରତ ମଣ୍ଡପମ୍ ପରିସରରେ କୃତ୍ରିମ ବୁଦ୍ଧିମତା(ଏଅାଇ) ମାଧ୍ୟମରେ ଭଗବତ୍ ଗୀତାର ବାଣୀ ଓ ଏହାର ଭାବାର୍ଥ ତଥା ଦର୍ଶନ ବର୍ଣ୍ଣନା କରାଯିବ। ଆଧ୍ୟାତ୍ମିକତା ଓ ବୈଷୟିକ ଜ୍ଞାନକୌଶଳର ଅପୂର୍ବ ସଂଯୋଗ ପ୍ରଦର୍ଶନ ପାଇଁ ସମ୍ମିଳନୀ ସ୍ଥଳରେ ଏକ କିଓସ୍କ ପ୍ରତିଷ୍ଠା କରାଯାଇଛି। ଏହା ପରିଦର୍ଶକଙ୍କ ଗୀତା ଆଧାରିତ ବିଭିନ୍ନ ପ୍ରଶ୍ନର ତତ୍କାଳ ଉତ୍ତର ମଧ୍ୟ ପ୍ରଦାନ କରିବ। ଏମିତିକି ଗୀତାରେ ବର୍ଣ୍ଣିତ ଜୀବନ ଦର୍ଶନ, ଆଧ୍ୟାତ୍ମିକତା, ନୀତି ଓ ଆଦର୍ଶ ସମ୍ପର୍କରେ ଏହା ବର୍ଣ୍ଣନା କରିବ। ଗୁରୁତ୍ବପୂର୍ଣ୍ଣ ହେଉଛି, ଏହା ୨୪ଟି ଭାରତୀୟ ଭାଷା ସମେତ ସମସ୍ତ ଜି-୨୦ ରାଷ୍ଟ୍ରର ଭାଷାରେ ଉତ୍ତର ପ୍ରଦାନ ତଥା କଥାବର୍ତ୍ତା କରିବାର କ୍ଷମତା ରଖିଛି। ଏହି କିଓସ୍କ ବୈଷୟିକ ଜ୍ଞାନକୌଶଳର ଅପୂର୍ବ ନିଦର୍ଶନ ବୋଲି କୁହାଯାଉଛି। ଏତଦ୍ ବ୍ୟତୀତ ଭାରତର ବୈଷୟିକ ଜ୍ଞାନ ପ୍ରଦର୍ଶନ ପାଇଁ ଏକ ସ୍ବତନ୍ତ୍ର ମଣ୍ଡପ ପ୍ରତିଷ୍ଠା କରାଯାଇଛି। ଏଥିପାଇଁ ହଲ୍-୪ ଓ ୧୪ରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ସେହିଭଳି ସ୍ବତନ୍ତ୍ର ଭାବେ ଜି-୨୦ ମୋବାଇଲ ଆପ୍ ପ୍ରସ୍ତୁତ କରାଯାଇଛି। ଏଥିରୁ ବିଶ୍ବ ନେତା ଓ ପ୍ରତିନିଧିମାନେ ସମସ୍ତ ସୂଚନା ପାଇପାରିବେ। ସମସ୍ତ କାର୍ଯ୍ୟକ୍ରମ, ଭାଷଣ ଆଦି ଏଥିରେ ତୁରନ୍ତ ଉପଲବ୍ଧ ହେବ।
ପୁସ୍ତିକାରେ ‘ଜନନୀ ଭାରତ’ର ବର୍ଣ୍ଣନା
ସମ୍ମିଳନୀ ପାଇଁ ଦୁଇଟି ପୁସ୍ତିକା ପ୍ରସ୍ତୁତ କରାଯାଇଛି; ଯେଉଁଥିରେ ଭାରତକୁ ଗଣତନ୍ତ୍ରର ଜନନୀ ଭାବେ ବର୍ଣ୍ଣନା କରାଯିବା ସହ ଭଗବାନ ରାମଚନ୍ଦ୍ର କିଭଳି ଗଣତାନ୍ତ୍ରିକ ଉପାୟରେ ରାଜା ହୋଇଥିଲେ ଏବଂ ମହାଭାରତରେ ସୁଶାସନର ନିଦର୍ଶନ କିପରି ରହିଛି ତାହା ଉଲ୍ଲେଖ କରାଯାଇଛି। ଖ୍ରୀଷ୍ଟାବ୍ଦ ୬୦୦୦ ସାମ୍ପ୍ରତିକ କାଳ ପର୍ଯ୍ୟନ୍ତ ଭାରତ ଓ ଭାରତୀୟତାର ଯାତ୍ରା ଏଥିରେ ଉଲ୍ଲେଖ ହୋଇଛି। ଭାରତରେ ଗଣତନ୍ତ୍ର ଓ ନିର୍ବାଚନ ମାଧ୍ୟମେର ସଫଳତାର ସହ କ୍ଷମତା ହସ୍ତାନ୍ତର ଆଦି ବର୍ଣ୍ଣନା କରାଯାଇଛି। ଛତ୍ରପତି ଶିବାଜୀ, ସମ୍ରାଟ ଆକବର, ରାଣୀ ଲକ୍ଷ୍ମୀବାଈ ପ୍ରମୁଖଙ୍କ ସମ୍ପର୍କରେ ମଧ୍ୟ ଏହି ୪୦ପୃଷ୍ଠା ବିଶିଷ୍ଟ ପୁସ୍ତିକାରେ ଉଲ୍ଲେଖ ରହିଛି। ଭାରତର ୫ହଜାର ବର୍ଷର ଇତିହାସ ସମ୍ୟକ୍ ଓ ଅତି ସୂକ୍ଷ୍ମ ଭାବେ ବର୍ଣ୍ଣିତ ହୋଇଛି। ଅତିଥିମାନଙ୍କୁ ଏହି ପୁସ୍ତିକା ପ୍ରଦାନ କରାଯିବ। ଗୋଟିଏ ପୁସ୍ତିକାର ପ୍ରଥମ ୨୬ଟି ପୃଷ୍ଠାରେ ଗଣତନ୍ତ୍ର ଜନନୀ ଭାରତ ବିଷୟରେ ସଦୃଶ୍ୟ ଉଲ୍ଲେଖ ରହିଛି। ପୁନଶ୍ଚ ଚତୁର୍ବେଦର ଶ୍ଳୋକ ବ୍ୟାଖ୍ୟା କରାଯାଇଛି। ବୌଦ୍ଧ ଓ ଜୈନ ଧର୍ମ, ସମ୍ରାଟ ଅଶୋକ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ଶାସକଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି। ସ୍ବାଧୀନତା ପରବର୍ତ୍ତୀ ସମୟରେ ଭାରତର ପୁନର୍ଗଠନ ଓ କ୍ରମବିକାଶ ସମ୍ପର୍କରେ ଦ୍ବିତୀୟ ପୁସ୍ତିକାର ୧୫ ପୃଷ୍ଠା ବର୍ଣ୍ଣନା କରାଯାଇଛି।
ତିନି ଦିନ ବର୍ଷାରେ ପ୍ରଭାବିତ ହେବ ନାହିଁ
ସେପ୍ଟେମ୍ବର ୯ ଓ ୧୦ ତାରିଖ ଦୁଇଦିନ ଜି-୨୦ ସମ୍ମିଳନୀ ହେବାକୁ ଯାଉଥିବାବେଳେ ଏଥିରେ ବର୍ଷା ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ। ଦିଲ୍ଲୀରେ ଯଦି କ୍ରମାଗତ ୩ଦିନ ଧରି ବର୍ଷା ହୁଏ ତେବେ ପ୍ରଗତି ମଇଦାନରେ ନବ ନିର୍ମିତ ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ର ଓ ଭାରତ ମଣ୍ଡପମ୍ କୌଣସି ପ୍ରକାର ପ୍ରଭାବିତ ହେବ ହେବ।
ଗୋଟିଏ ପରିବାର ପରି ଭୋଜନ କରିବ ସାରା ବିଶ୍ବ
ସମ୍ମିଳନୀରେ ଖାଇବାର ବ୍ୟବସ୍ଥା ଏମିତି ହୋଇଛି ଯେ ସାରା ବିଶ୍ବ ଗୋଟିଏ ପରିବାର ଭଳି ଭୋଜନ କରିପାରିବେ। ଅତିଥିମାନେ ଅବସ୍ଥାନ କରୁଥିବା ହୋଟେଲ ଓ ଅନ୍ୟ ଭୋଜନାଳୟରେ ଭାରତୀୟ ସ୍ବାଦିଷ୍ଟ ଖାଦ୍ୟ ସହ ସବୁ ଦେଶର ଲୋକପ୍ରିୟ ଭୋଜନ ପ୍ରସ୍ତୁତ କରାଯିବ। ଅତିଥିମାନେ ଭାରତୀୟ ମିଲେଟ୍ର ସ୍ବତନ୍ତ୍ର ଆକର୍ଷଣ ଉପଭୋଗ କରିବେ। ସମସ୍ତଙ୍କ ରୁଚିକୁ ଏଥିରେ ଗୁରୁତ୍ବ ଦିଆଯିବ। ତାଜ୍ ପ୍ୟାଲେସ୍, ଆଇଟିସି ଆଦି ହୋଟେଲରେ ୧୨୦ରୁ ୧୩୦ ଜଣିଆ ରୋଷେୟା ଦଳ ପ୍ରସ୍ତୁତ ରହିଛନ୍ତି। ବିଭିନ୍ନ ରାଷ୍ଟ୍ରର ରୋଷେୟାଙ୍କୁ ଏଥିରେ ସାମିଲ କରାଯାଇଛି। ମାସେ ହେଲା ସେମାନେ ବିଭିନ୍ନ ଦେଶର ଦୂତାବାସ ମାଧ୍ୟମରେ ସେଠାକାର ରୁଚିପୂର୍ଣ୍ଣ ଖାଦ୍ୟ ପ୍ରସ୍ତୁତ ଅଭ୍ୟାସ କରୁଛନ୍ତି। ଭାରତର ବିଭିନ୍ନ ପ୍ରାନ୍ତର ପ୍ରସିଦ୍ଧ ଖାଦ୍ୟ ପରିବେଷଣ କରାଯିବ। ଅତିଥିମାନେ ସମ୍ମିଳନୀ ସ୍ଥଳରେ ମଧ୍ୟ ଯେମିତି ଖାଇପାରିବେ ତାହାର ବ୍ୟବସ୍ଥା ହୋଇଛି। ଖାଦ୍ୟ ପ୍ରସ୍ତୁତିର ସର୍ବାଧିକ ଯାଞ୍ଚ ସହ ଏହାର ମାନରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ବିଭିନ୍ନ ପ୍ରସିଦ୍ଧ ସ୍ଥଳ ଅନୁସାରେ ଖାଦ୍ୟ ଥାଳିର ନାମକରଣ ଓ ଶୈଳୀ ପ୍ରସ୍ତୁତ ହୋଇଛି। ବିଶେଷ କରି ପାରମ୍ପରିକ ମିଷ୍ଟାନ୍ନର ନାମ ଐତିହ୍ୟ ସ୍ଥାନ ଅନୁସାରେ ହୋଇଛି। ଅତିଥିଙ୍କୁ ସ୍ବାଗତ ପାଇଁ ସ୍ବତନ୍ତ୍ର ଖାଦ୍ୟ ବ୍ୟବସ୍ଥା ହୋଇଛି।
ଯୋଗ ଦେବେ ଆଦାନି, ଅମ୍ବାନୀ
ସମ୍ମିଳନୀରେ ଯୋଗ ଦେବାକୁ ଏକାଧିକ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଭାରତ ଆସୁଥିବା ବେଳେ ସେମାନଙ୍କ ନିମନ୍ତେ ଶନିବାର ଏକ ନୈଶ୍ୟ ଭୋଜିର ଆୟୋଜନ କରାଯାଇଛି। ଏହି ନୈଶ ଭୋଜିରେ ଭାରତର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ଗୌତମ ଆଦାନି ପ୍ରମୁଖ ଯୋଗ ଦେବେ। ଭାରତୀୟ ଅର୍ଥନୀତିକୁ ଅଧିକ ମଜଭୁତ୍ କରିବା ସହ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବାରୋପ କରୁଥିବାରୁ ଭାରତର ୫୦୦ଜଣ ପ୍ରମୁଖ ବ୍ୟବସାୟୀଙ୍କୁ ଏହି ନୈଶ ଭୋଜିରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି। ଆଦାନି ଓ ଅମ୍ବାନୀଙ୍କ ବ୍ୟତୀତ ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍, କୁମାର ମଙ୍ଗଳମ୍ ବିର୍ଲା, ଭାରତୀ ଏୟାରଟେଲ୍ ଅଧ୍ୟକ୍ଷ ସୁନୀଲ ମିତ୍ତଲ ପ୍ରମୁଖ ଏହି ନୈଶ ଭୋଜିରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।
ହୋଟେଲରେ ଗଚ୍ଛିତ ରହିବ ଅସ୍ତ୍ରଶସ୍ତ୍ର
ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ବିଶ୍ବ ନେତାଙ୍କ ନିମନ୍ତେ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ପୁଲିସ ବ୍ୟତୀତ ସହରରେ ୧ଲକ୍ଷ ୩୫ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଏହା ସହିତ ଆକାଶ ମାର୍ଗର ସୁରକ୍ଷା ନିମନ୍ତେ ବାୟୁସେନାର ଯୁଦ୍ଧବିମାନ ମୁତୟନ କରାଯାଇଛି। ଏପରିକି ଚୀନ ଓ ପାକିସ୍ତାନ ସୀମାରେ ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜି-୨୦ ସମ୍ମିଳନୀ ସମୟରେ ୨୬/୧୧ ମୁମ୍ବଇ ଆତଙ୍କବାଦୀ ଭଳି ଆକ୍ରମଣ ଆଶଙ୍କାକୁ ଏଡାଇବା ଲାଗି ହୋଟେଲଗୁଡିକରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶ୍ବର ଅତିଥିମାନେ ରହୁଥିବା ହୋଟେଲଗୁଡିକର ସୁରକ୍ଷା ପାଇଁ କମାଣ୍ଡୋ ବାହିନୀ ମୁତୟନ କରାଯାଇଛି। ଏହା ସହିତ ହୋଟେଲଗୁଡିକରେ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ମହଜୁଦ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ହୋଟେଲରେ ଅସ୍ତ୍ରଶସ୍ତ୍ର ମହଜୁଦ କରାଯିବ। ଯଦ୍ଦ୍ବାରା ଆତଙ୍କବାଦୀଙ୍କ କୌଣସି ପ୍ରକାର ଆକ୍ରମଣ ସମୟରେ ସୁରକ୍ଷାକର୍ମୀଙ୍କ ନିକଟରେ ଅସ୍ତ୍ରର ଅଭାବ ରହିବ ନାହିଁ। ହୋଟେଗୁଡିକରେ ଗୁଳିଗୋଳା ସହିତ ଲୋଡେଡ୍ ମାଗାଜିନ, ମେଡିକାଲ ସାମଗ୍ରୀ, ସ୍ମୋକ୍ ଗ୍ରେନେଡ, ୱାରଲେସ୍ ସେଟ୍ ଚାର୍ଜର ଓ ବ୍ୟାକଅପ୍ ଅସ୍ତ୍ର ରଖାଯିବ। ସେହିପରି ହୋଟେଲ ଗୁଡିକରେ ୨୪ଘଣ୍ଟିଆ ଡାକ୍ତରୀ ସେବା ବ୍ୟବସ୍ଥା କରାଯାଇଛି।
କର୍ମଚାରୀଙ୍କୁ ୱାର୍କଫ୍ରମ୍ ହୋମ ନିର୍ଦେଶ
ଜି-୨୦ ସମ୍ମିଳନୀ ପାଇଁ ହରିୟାଣାର ଗୁଡଗାଓଁ ଜିଲା ପ୍ରଶାସନ ସମସ୍ତ କର୍ପୋରେଟ ଓ ଘରୋଇ ଅନୁଷ୍ଠାନର କର୍ମଚାରୀଙ୍କ ପାଇଁ ୱାର୍କଫ୍ରମ ହୋମ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରଶାସନ ସମ୍ପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ନିର୍ଦେଶନାମା ଜାରି କରିଛନ୍ତି।
Comments are closed.