ଏଫ୍‍ଡବ୍ଲ୍ୟୁଆଇସିଇର ଚେତାବନୀ: ପାକ୍‍ କଳାକାରଙ୍କ ସହ କାମ କଲେ ଏଥର କଠୋର କାର୍ଯ୍ୟାନୁଷ୍ଠାନ

ମୁମ୍ବଇ : ଫେଡେରେସନ୍‍ ଅଫ୍‍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍‍ପ୍ଲୋଇଜ୍‍(ଏଫ୍‍ଡବ୍ଲ୍ୟୁଆଇସିଇ) ପୁଣି ଥରେ ଭାରତୀୟ ଗାୟକମାନଙ୍କୁ ପାକିସ୍ତାନୀ କଳାକାରଙ୍କ ସହ କାମ କରିବାକୁ ନେଇ ଚେତାବନୀ ଦେଇଛି। ସାମାଜିକ ଗଣମାଧ୍ୟମରେ ଏଫ୍‍ଡବ୍ଲ୍ୟୁଆଇସିଇ ପକ୍ଷରୁ ଏକ ବୟାନ୍‍ ଶେୟାର କରାଯାଇଛି, ଯେଉଁଥିରେ ଲେଖାହୋଇଛି କିଛି ଭାରତୀୟ କଳାକାର ପାକିସ୍ତାନୀ ଗାୟକ ରାହତ ଫତେହ ଅଲୀ ଖାନଙ୍କ ସହ ଡିଜିଟାଲ୍‍ ପ୍ଲାଟ୍‍ଫର୍ମରେ କାମ କରୁଛନ୍ତି।
ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟରରେ ଏହି ବୟାନକୁ ଶେୟାର କରି ଲେଖିଛନ୍ତି, ‘ପାକିସ୍ତାନୀ କଳାକାର, ଗାୟକ, ଟେକ୍ନିସିଆନଙ୍କ ସହ କେହି କାମ କରିବେ ନାହିଁ। ଡିଜିଟାଲ ପ୍ଲାଟ୍‍ଫର୍ମରେ ମଧ୍ୟ ନୁହେଁ। ଏଫ୍‍ଡବ୍ଲ୍ୟୁଆଇସିଇ ଏନେଇ କଡ଼ା ଚେତାବନୀ ଦେଇଛି। ଏନେଇ କରାଯାଇଥିବା ଆନୁଷ୍ଠାନିକ ବୟାନକୁ ମଧ୍ୟ ତରଣ ଶେୟାର କରିଛନ୍ତି।
ସେହି ବୟାନରେ ଲେଖାହୋଇଛି, ‘ଆମକୁ ଦୁଃଖର ସହ କହିବାକୁ ପଡ଼ୁଛି ଯେ, ଏଫ୍‍ଡବ୍ଲ୍ୟୁଆଇସିଇର କହିବା ପରେ ମଧ୍ୟ କିଛି ସାଥୀ ପାକ୍‍ କଳାକାରଙ୍କ ସହ କାମ କରୁଛନ୍ତି। ନିକଟରେ ଆମର କିଛି ସଙ୍ଗୀତକାର ପାକିସ୍ତାନର ରାହତ ଫତେହ ଅଲୀ ଖାନଙ୍କ ସହ କାମ କରିଛନ୍ତି’। ଏଫ୍‍ଡବ୍ଲ୍ୟୁଆଇସିଇ ଏହା ମଧ୍ୟ ଲେଖିଛି ଯେ, ତାଙ୍କୁ ଖବର ମିଳିଛି ଆଗକୁ ଆହୁରି କାମ କରିବାକୁ ଯୋଜନା କରାଯାଇଛି। ବର୍ତ୍ତମାନ ସାରା ଦୁନିଆ କରୋନା ଭାଇରସ ସହ ଲଢେଇ କରୁଛି, ଏଭଳି ସମୟରେ ମଧ୍ୟ ପାକିସ୍ତାନ ସୀମାରେ ଆମ ଯବାନମାନଙ୍କୁ ମାରିବାରେ ବ୍ୟସ୍ତ ରହିଛି। ଏହା ଆପଣ ବୁଝିବା ଆବଶ୍ୟକ ବୋଲି ବୟାନରେ ଲେଖା ହୋଇଛି।
ଯଦି କେହି ଭାରତୀୟ ଗାୟକ ପାକିସ୍ତାନୀ କଳାକାରଙ୍କ ସହ ଆଗାମୀ ଦିନରେ କାମ କରୁଥିବା ସୂଚନା ମିଳେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଫ୍‍ଡବ୍ଲ୍ୟୁଆଇସିଇର ମୁଖ୍ୟ ପରାମର୍ଶଦାତା ଅଶୋକ ପଣ୍ଡିତ, ଅଧ୍ୟକ୍ଷ ବିଏନ୍‍ ତିୱାରୀ, ଜେନେରାଲ୍‍ ସେକ୍ରେଟାରୀ ଅଶୋକ ଦୁବେ ଓ ଗଙ୍ଗେଶ୍ୱରଲାଲ ଶ୍ରୀବାସ୍ତବ ଚେତାବନୀ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, କଣ୍ଠଶିଳ୍ପୀ ହର୍ଷଦୀପ କୌର ଓ ଡିଜାଇନର ବିଜୟ ଅରୋଡ଼ା ନିକଟରେ ରାହତ ଫତେହ ଅଲୀ ଖାନଙ୍କ ସହ ଏକ ଅନ୍‍ଲାଇନ୍‍ କନ୍‍ସର୍ଟ କରିଥିଲେ। ଏହାପରେ ଏଫ୍‍ଡବ୍ଲ୍ୟୁଆଇସିଇ ଏହି କଡ଼ା ଚେତାବନୀ ଜାରି କରିଛି।
ଉଲ୍ଲେଖଯୋଗ୍ୟ, ୨୦୧୯ରେ ପାକିସ୍ତାନ ପକ୍ଷରୁ ହୋଇଥିବା ପୁଲୱାମା ଆକ୍ରମଣ ପରେ ଇଣ୍ଡିଆନ୍‍ ଫିଲ୍ମ ଆଣ୍ଡ୍‍ ଟେଲିଭିଜନ୍‍ ଡିରେକ୍ଟର୍ସ ଆସୋସିଏସନ୍‍(ଆଇଏଫ୍‍ଟିଡିଏ) ପକ୍ଷରୁ ପାକ୍‍ କଳାକାରଙ୍କ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିଲା। ଏହାସହିତ କୁହାଯାଇଥିଲା ଯେ, କେହି ବି କଳାକାର, ମ୍ୟୁଜିକ୍‍ କମ୍ପାନୀ କିମ୍ବା ଚଳଚ୍ଚିତ୍ର ନିର୍ମାତା କୌଣସି ପାକିସ୍ତାନୀ କଳାକାରଙ୍କ ସହ କାମ କରିବେ ନାହିଁ।

Comments are closed.