ଶ୍ୱିତୋଲିନା, କ୍ୱିଟୋଭା, ଜେରେଭ୍‍ ୩ୟ ରାଉଣ୍ଡରେ

0

ପ୍ୟାରିସ୍‍ : ବର୍ଷର ୨ୟ ଗ୍ରାଣ୍ଡସ୍ଲାମ୍‍ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍‍ ଓପନ୍‍ରେ ବୁଧବାର ଥିଲା ୪ର୍ଥ ଦିବସ। ଏହିଦିନ ବାକିଥିବା କିଛି ପ୍ରଥମ ରାଉଣ୍ଡ ମ୍ୟାଚ୍‍ ଖେଳା ଯାଇଥିବା ବେଳେ ପୁରୁଷ ଓ ମହିଳା ସିଙ୍ଗଲ୍‍ସରେ ପ୍ରାୟତଃ ୨ୟ ରାଉଣ୍ଡ ମୁକାବିଲା ଖେଳା ଯାଇଥିଲା। ମହିଳା ସିଙ୍ଗଲ୍‍ସରେ ଟପ୍‍ ସିଡ୍‍ ସିମୋନା ହାଲେପ୍‍ ୨ୟ ରାଉଣ୍ଡରେ ପହଞ୍ଚିଛନ୍ତି। ରୋମାନିଆର ହାଲେପ୍‍ ପ୍ରଥମ ରାଉଣ୍ଡରେ ଆମେରିକାର ଆଲିସନ୍‍ ରିସ୍କେଙ୍କୁ ୨-୬, ୬-୧, ୬-୧ରେ ପରାସ୍ତ କରିଛନ୍ତି। ମ୍ୟାଚ୍‍ର ପ୍ରଥମ ୫ଟି ଗେମ୍‍ ହାରିଥିଲେ ହେଁ ହାଲେପ୍‍ ଲଢ଼ୁଆ ପ୍ରଦର୍ଶନ କରି ଜିତିଥିଲେ। ଆମେରିକାର ଟେଲର ଟାଉନ୍‍ସେଣ୍ଡ୍‍ଙ୍କ ବିପକ୍ଷରେ ହାଲେପ୍‍ ୨ୟ ରାଉଣ୍ଡ ଖେଳିବେ।
ମହିଳା ସିଙ୍ଗଲ୍‍ସର ୨ୟ ରାଉଣ୍ଡରେ ପହଞ୍ଚିଛନ୍ତି ୪ର୍ଥ ସିଡ୍‍ ଏଲିନା ଶ୍ୱିତୋଲିନା। ୟୁକ୍ରେନ୍‍ର ଶ୍ୱିତୋଲିନା ବୁଧବାର ୨ୟ ରାଉଣ୍ଡରେ ସ୍ଲୋଭାକିଆର ଭିକ୍ଟୋରିଆ କୁଜ୍‍ମୋଭାଙ୍କୁ ୬-୩, ୬-୪ ଗେମ୍‍ରେ ହରାଇଛନ୍ତି। ପ୍ରଥମ ରାଉଣ୍ଡରେ ୨୦୧୦ ଚମ୍ପିଆନ୍‍ ଫ୍ରାନ୍‍ସେସ୍କା ସିଆଭୋନ୍‍ଙ୍କୁ ହରାଇଥିବା କୁଜ୍‍ମୋଭା ୨ୟ ରାଉଣ୍ଡରେ ସେପରି ପ୍ରଦର୍ଶନ କରି ପାରିନଥିଲେ। ୨ ଥର ୱିମ୍ବଲଡନ୍‍ ଚମ୍ପିଆନ୍‍ ହୋଇଥିବା ଚେକ୍‍ ରିପବ୍ଲିକ୍‍ର ପେଟ୍ରା କ୍ୱିଟୋଭା ମଧ୍ୟ ୨ୟ ରାଉଣ୍ଡରେ ପହଞ୍ଚିଛନ୍ତି। ୮ମ ସିଡ୍‍ କ୍ୱିଟୋଭା ୨ୟ ରାଉଣ୍ଡରେ ସ୍ପେନ୍‍ର ଲାରା ଆରୁଆବାରେନାଙ୍କୁ ୬-୦, ୬-୪ ସେଟ୍‍ରେ ପରାସ୍ତ କରିଛନ୍ତି। ୩ୟ ରାଉଣ୍ଡରେ କ୍ୱିଟୋଭା ଇଷ୍ଟୋନିଆର ଆନେଟ୍‍ କୋଣ୍ଟାଭିଟ୍‍ଙ୍କୁ ଭେଟିବେ। ୨୫ନଂ ସିଡ୍‍ କୋଣ୍ଟାଭିଟ୍‍ ୨ୟ ରାଉଣ୍ଡରେ ରୋମାନିଆର ଆଲେକ୍‍ଜାଣ୍ଡ୍ରା ଡୁଲ୍‍ଘେରୁଙ୍କୁ ୭-୫, ୬-୨ ସେଟ୍‍ରେ ପରାସ୍ତ କରିଛନ୍ତି। ୧୩ନଂ ସିଡ୍‍ ଆମେରିକାର ମ୍ୟାଡିସନ୍‍ କେୟିସ୍‍ ୬-୪, ୬-୧ ସେଟ୍‍ରେ ନିଜଦେଶର କାରୋଲିନ୍‍ ଡୋଲେହିଡେଙ୍କୁ ପରାସ୍ତକରି ୩ୟ ରାଉଣ୍ଡରେ ପହଞ୍ଚିଛନ୍ତି। ୨୧ନଂ ସିଡ୍‍ ଜାପାନର ନାଓମି ଓସାକା ୬-୪, ୭-୫ ସେଟ୍‍ରେ କାଜାଖ୍‍ସ୍ତାନର ଜାରିନା ଡିୟାସ୍‍ଙ୍କୁ ପରାସ୍ତ କରିଛନ୍ତି। ୨୬ନଂ ସିଡ୍‍ ଚେକ୍‍ ରିପବ୍ଲିକ୍‍ର ବାର୍ବୋରୋ ଷ୍ଟ୍ରାଇକୋଭା ୬-୪, ୬-୨ ସେଟ୍‍ରୁ ରୁଷିଆର ଏକ୍‍ତାରିନା ମାକାରୋଭାଙ୍କୁ ହରାଇଛନ୍ତି। ଏମାନଙ୍କୁ ଛାଡ଼ି ୩୧ନଂ ସିଡ୍‍ ରୋମାନିଆର ମିହେଲା ବୁଜାମେସ୍କ୍ୟୁ ମଧ୍ୟ ୩ୟ ରାଉଣ୍ଡରେ ପହଞ୍ଚିଛନ୍ତି।
ପୁରୁଷ ସିଙ୍ଗଲ୍‍ସରେ ୨ୟ ସିଡ୍‍ ଜର୍ମାନୀର ଆଲେକ୍‍ଜାଣ୍ଡର ଜେରେଭ୍‍ ୫ଟି ସେଟ୍‍ର କଡ଼ା ମୁକାବିଲା ପରେ ସର୍ବିୟାର ଲୁସାନ୍‍ ଲାଜୋଭିକ୍‍ଙ୍କୁ ପରାସ୍ତ କରିଛନ୍ତି। ସେହିପରି ୪ର୍ଥ ସିଡ୍‍ ବୁଲ୍‍ଗେରିଆର ଗ୍ରିଗୋର ଡିମିଟ୍ରୋଭ୍‍ ୫ଟି ସେଟ୍‍ରେ ଆମେରିକାର ଜାରେଡ୍‍ ଡୋନାଲ୍‍ଡସନ୍‍ଙ୍କୁ ପରାସ୍ତ କରିଛନ୍ତି। ପୂର୍ବତନ ଚମ୍ପିଆନ୍‍ ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୨୦ନଂ ସିଡ୍‍ ଜୋକୋଭିକ୍‍ ୨ୟ ରାଉଣ୍ଡରେ ସ୍ପେନ୍‍ର ଜାଉମେ ମୁନାରଙ୍କୁ ୭-୬, ୬-୪, ୬-୪ ସେଟ୍‍ରେ ପରାସ୍ତ କରିଛନ୍ତି। ୮ମ ସିଡ୍‍ ବେଲ୍‍ଜିୟମ୍‍ର ଡେଭିଡ୍‍ ଗଫିନ୍‍ ଫ୍ରାନ୍‍ସର କୋରେଣ୍ଟିନ୍‍ ମୌଟେଟ୍‍ଙ୍କୁ ୭-୫, ୬-୦, ୬-୧ ସେଟ୍‍ରେ ପରାସ୍ତ କରିଛନ୍ତି। ୧୦ମ ସିଡ୍‍ ସ୍ପେନ୍‍ର ପାବ୍‍ଲୋ କାରେନୋ ବୁଷ୍ଟା ୭-୬, ୭-୬, ୩-୬, ୬-୪ରେ ଆର୍ଜେଣ୍ଟିନାର ଫେଡେରିକୋ ଡେଲ୍‍ବୋନିସ୍‍ଙ୍କୁ ପରାସ୍ତ କରିଛନ୍ତି। ୧୩ନଂ ସିଡ୍‍ ସ୍ପେନ୍‍ର ରବେର୍ଟୋ ବାଟିଷ୍ଟା ଆଗୁଟ୍‍ ୬-୪, ୭-୫, ୬-୩ ସେଟ୍‍ରେ କଲମ୍ବିଆର ସାନ୍ତିଆଗୋ ଜିରାଲ୍‍ଡୋଙ୍କୁ ପରାସ୍ତ କରିଛନ୍ତି। ୨୬ନଂ ସିଡ୍‍ ବୋସ୍‍ନିଆ ହର୍ଜେଗୋବିନାର ଦାମିର ଜୁମ୍‍ହୁର ୫ଟି ସେଟ୍‍ର କଡ଼ା ମୁକାବିଲା ପରେ ମାଲ୍‍ଡୋଭାର ରାଡୁ ଆଲ୍‍ବୋଟ୍‍ଙ୍କୁ ପରାସ୍ତ କରିଛନ୍ତି। ୩୦ନଂ ସିଡ୍‍ ଫ୍ରାନ୍‍ସର ଫର୍ଣ୍ଣାଣ୍ଡୋ ଭର୍ଡାସ୍କୋ ୬-୩, ୬-୨, ୬-୨ ସେଟ୍‍ରେ ଆର୍ଜେଣ୍ଟିନାର ଗ୍ୱିଡୋ ଆଣ୍ଡ୍ରିଓଜିଙ୍କୁ ପରାସ୍ତ କରିଛନ୍ତି। ତେବେ ୧୨ଶ ସିଡ୍‍ ଆମେରିକାର ସାମ୍‍ କ୍ୱେରି ପରାସ୍ତ ହୋଇ ଯାଇଛନ୍ତି। କ୍ୱେରିଙ୍କୁ ଫ୍ରାନ୍‍ସର ଜାଇଲ୍‍ସ ସାଇମନ୍‍ ୧-୬, ୭-୬, ୬-୪, ୬-୧ରେ ପରାସ୍ତକରି ବିପର୍ଯ୍ୟୟ ଘଟାଇଛନ୍ତି।

Leave A Reply