ଦେଢ଼ବର୍ଷ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇବା କ୍ଷମତା ରହିଛି : ଭାରତୀୟ ଖାଦ୍ୟ ନିଗମ
ନୂଆଦିଲ୍ଲୀ : ଭାରତରେ ପ୍ରଚୁର ପରିମାଣର ଖାଦ୍ୟଶସ୍ୟ ମହଜୁଦ ଅଛି ଏବଂ ଏହା ଜରୁରୀ ପରିସ୍ଥିତି ସମୟରେ ଦେଶର ଦରିଦ୍ରଲୋକଙ୍କୁ ଏହା ଅନ୍ୟୂନ ଦେଢବର୍ଷ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇବାକୁ ସମର୍ଥ ହୋଇପାରିବ ବୋଲି କୁହାଯାଇଛି। ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ କୁହାଯାଇଛି ଯେ ଦେଶରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଅମଳ ହୋଇଥିବାରୁ ଖାଦ୍ୟଶସ୍ୟର ଅଭାବ ରହିବନାହିଁ। ସେ କହିଛନ୍ତି ଯେ ଆଗାମୀ ଏପ୍ରିଲ ଶେଷସୁଦ୍ଧା ଦେଶର ପଣ୍ୟାଗାରଗୁଡିକରେ ପ୍ରାୟ ୧୦୦ ନିୟୁତ ଟନ୍ ଖାଦ୍ୟଶସ୍ୟ ମହଜୁଦ ରହିଥିବ। ଅନ୍ୟପକ୍ଷରେ ଦେଶରେ ଦରିଦ୍ରଙ୍କ ପାଇଁ ବିିଭିନ୍ନ କଲ୍ୟାଣମୂଳକ ଯୋଜନା ବାବଦରେ ବାର୍ଷିକ ଆବଶ୍ୟକତା ହେଉଛି ୫୦ରୁ ୬୦ ନିୟୁତ ଟନ୍। ୨୦୧୯-୨୦ରେ ଦେଶରେ ରେକର୍ଡ ୨୯୨ ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦିତ ହେବା ଆକଳନ କରାଯାଇଛି। ତେଣୁ ଦେଶର କୌଣସି ଭାଗରେ ଗହମ ଓ ଚାଉଳ ଭଳି ଖାଦ୍ୟଶସ୍ୟ ଉପଲବ୍ଧତାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ଖାଦ୍ୟ ନିଗମର ଜଣେ ତୁଙ୍ଗ ଅଧିକାରୀ କହିଛନ୍ତି; ତଥାପି ଅନେକ ରାଜ୍ୟରେ ସୁଲଭ ମୂଲ୍ୟ ଦୋକାନଗୁଡିକରେ ଏକାଧିକ ମାସର ଚାହିଦା ମୁତାବକ ଖାଦ୍ୟଶସ୍ୟ ମହଜୁଦ ରଖିବା କ୍ଷମତା ନାହିଁ। ପୂର୍ବରୁ ଗତ ସପ୍ତାହରେ କେନ୍ଦ୍ର ଖାଦ୍ୟମନ୍ତ୍ରୀ ରାମବିଳାସ ପାଶୱାନ କହିଥିଲେ ଯେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନେ ରିଆତିମୂଲ୍ୟରେ ଖାଦ୍ୟଶସ୍ୟ ଏକକାଳୀନ ଛଅମାସ ପାଇଁ ଖରିଦ କରିପାରିବେ। ଆମେରିକାରେ କରୋନା ସଂକ୍ରମଣ ପରେ ଜନସାଧାରଣ ଆତଙ୍କିତ ହୋଇ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଅଧିକ ପରିମାଣରେ ଖରିଦ କରୁଥିବାବେଳେ ରୁଷରେ ପାସ୍ତା ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟର ଚାହିଦା ବୃଦ୍ଧି ପାଇଛି।
ଅଷ୍ଟ୍ରେଲିଆରେ ସର୍ବବୃହତ ସୁପରମାର୍କେଟ ଚେନ୍ ପକ୍ଷରୁ ଜନସାଧାରଣଙ୍କ ନିମନ୍ତେ କ୍ରୟ କରିବାର ସୀମା କଡାକଡି କରାଯାଇଛି। ସମୁଦାୟ ଭାରତକୁ ଲକ୍ଡାଉନ କରାଯିବାପରେ ଦେଶରେ ଜନସାଧାରଣ ଆତଙ୍କିତ ହୋଇ ଗ୍ରୋସରୀ ଦୋକାନଗୁଡିକରେ ଲମ୍ବାଧାଡି ଲଗାଇବା ସହିତ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ ଖରିଦ କରିବା ଆରମ୍ଭ କରିଦେଇଛନ୍ତି। ଏହାଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବା ଆଶଙ୍କା ଦେଖାଦେଇଛି। ସରକାରୀ କର୍ତ୍ତୃପକ୍ଷ ଦେଶର ସମୁଦାୟ ଅଞ୍ଚଳକୁ ସିଲ୍ କରିଦେଇଥିବାବେଳେ ଟ୍ରେନ, ବିମାନ ଓ ବସ୍ ଚଳାଚଳକୁ ବନ୍ଦ ରଖାଯାଇଛି। ଏଭଳି ପରିସ୍ଥିତିରେ ଆଗାମୀ ଛଅମାସର ଚାହିଦା ପୂରଣ ନିମନ୍ତେ ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରାୟ ୩୦ ନିୟୁତ ଟନ ଗହମ ଆବଶ୍ୟକ କରିପାରନ୍ତି। ସମ୍ପ୍ରତି ଦେଶରେ ପ୍ରାୟ ୬୪ ନିୟୁତ ଟନ୍ ଗହମ ମହଜୁଦ ଥିବାବେଳେ ଏପ୍ରିଲରେ ନୂଆ ଅମଳ ଆସିବାପରେ ମହଜୁଦ ପରିମାଣ ବୃଦ୍ଧି ପାଇବାକୁ ଯାଉଛି। ଇତିମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ କହିଛନ୍ତି ଯେ ରାଜ୍ୟ ସରକାରମାନେ ଖାଦ୍ୟ ନିଗମରୁ ତିନିମାସ ପାଇଁ ଖାଦ୍ୟଶସ୍ୟ ସଂଗ୍ରହ କରିପାରିବେ।
ଏହାଦ୍ୱାରା ଆବଶ୍ୟକତା ସମୟରେ ରାଜ୍ୟଗୁଡିକ ଖାଦ୍ୟଶସ୍ୟ ଆବଣ୍ଟନ କ୍ଷେତ୍ରରେ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ। ଚଳିତ କୃଷିବର୍ଷରେ ଦେଶରେ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ଗତବର୍ଷର ଉତ୍ପାଦନ ପରିମାଣ ୨୮୫.୨ ନିୟୁତ ଟନ୍ଠାରୁ ବୃଦ୍ଧିପାଇ ୨୯୨ ନିୟୁତ ଟନ୍ ହେବା ଆଶା କରାଯାଉଥିବାବେଳ କେବଳ ଚାଉଳ ଉତ୍ପାଦନ ୧୧୭.୪୭ ନିୟୁତ ଟନ୍ରେ ପହଞ୍ଚି ସର୍ବକାଳୀନ ରେକର୍ଡ ସୃଷ୍ଟି କରିବା ଆକଳନ କରାଯାଇଛି। ସେହିଭଳି ଗହମ ଉତ୍ପାଦନ ମଧ୍ୟ ୧୦୬.୨୧ ନିୟତ ଟନ୍ ହେବା ଆଶା ରହିଛି।
Comments are closed.