ପୁଷ୍ପ ଉପତ୍ୟକା ‘ଚାମୋଲି’
ଉତ୍ତରାଖଣ୍ଡରେ ସଂଖ୍ୟାଧିକ ହିଲ୍ଷ୍ଟେସନ୍ ଥିବା ସହ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିବା ନିମନ୍ତେ ସୁନ୍ଦର ଭ୍ରମଣ ସ୍ଥାନ ମଧ୍ୟ ଅଛି। ତନ୍ମଧ୍ୟରୁ ଅନ୍ୟତମ ହେଉଛି ‘ଚାମୋଲି’। ଏହି ଅଞ୍ଚଳକୁ ଇଂରେଜଶାସନ ସମୟରେ ଗୋରାମାନେ ‘ଫ୍ଲାୱାର୍ ଭ୍ୟାଲି’ ନାମକରଣ କରିଥିଲେ। ୧୯୩୧ରେ ବ୍ରିଟିଶ୍ ପର୍ବତାରୋହୀ ଫ୍ରେଙ୍କ୍ ଏସ୍ ସ୍ମିଥ୍ ନିଜ ସାଥୀ ଆର୍.ଏଲ୍. ହୋଲ୍ଡସବର୍ଗଙ୍କ ସହ ଭ୍ରମଣରେ ଯାଇଥିଲେ। ରାସ୍ତା ଭୁଲି ସେମାନେ ଚାମୋଲିର ଏଇ ଫୁଲ ଘାଟିକୁ ପ୍ରବେଶ କରିଥିଲେ। ଫୁଲର ଉପତ୍ୟକା ଭଳି ସେମାନେ ଏହାକୁ ପରେ ବର୍ଣ୍ଣନା କରିଥିଲେ। ସ୍ବତସ୍ଫୂର୍ତ୍ତ ଭାବେ ଏଠାରେ ରଙ୍ଗବେରଙ୍ଗର ବିଭିନ୍ନ ପ୍ରଜାତିର ଫୁଲ ଫୁଟିଥାଏ। ଜୁଲାଇରୁ ସେପ୍ଟେମ୍ବର ଏଠାରେ ଭ୍ରମଣର ପ୍ରକୃଷ୍ଟ ସମୟ। ପ୍ରକୃତିପ୍ରେମୀଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳେ। ଚାମୋଲିର ନିକଟତମ ବିମାନବନ୍ଦର ହେଉଛି ଡେରାଡୁନ୍ର ‘ଜଲି ଗ୍ରାଣ୍ଟ ବିମାନବନ୍ଦର’। ରେଳଯାତ୍ରା ମଧ୍ୟ ସେଠାକୁ କରିହେବ। ପ୍ରତି ବର୍ଷ ସହସ୍ରାଧିକ ବିଦେଶୀ ପର୍ଯ୍ୟଟକ ଏହି ଫୁଲର ରାଇଜକୁ ଆସିଥାନ୍ତି। ସ୍ଥାନୀୟ ପ୍ରଶାସନ ମଧ୍ୟ ଏବେ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇଥିବାର ଦେଖାଯାଇଛି।